ବ୍ରହ୍ମପୁର,୨୪/୦୧: ପୂର୍ବ ସରକାର ତରବରିଆ ଭାବେ କାର୍ଯ୍ୟକ୍ଷମ କରିଦେଲେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ । ଟର୍ମିନାଲ୍ ବିଲ୍ଡିଂ ନୁହେଁ ପୋର୍ଟେବଲ୍ କ୍ୟାବିନ୍, ଅଫ୍ଲାଇନ୍ ଟିକଟ୍ ବୁକିଂ, ଅସ୍ଥାୟୀ ଅଗ୍ନିଶମ ସେବା ଭିତରେ ନନ୍ ସିଡ୍ୟୁଲ୍ ବିମାନ ଚଳାଚଳ ଆରମ୍ଭ କରିଥିଲା । ସପ୍ତାହରେ ୩ ଦିନ ଯାତାୟାତ ହେଉଥିଲେ ବି ବେଶି ଦିନ ଚାଲି ପାରିଲାନି । ମାର୍ଚ୍ଚ ୨୦୨୩ରେ ଆରମ୍ଭ ହୋଇ ସେହି ବର୍ଷ ଡିସେମ୍ବରରେ ବନ୍ଦ ହୋଇଗଲା । ତା’ ପରେ ଏୟାର୍ଷ୍ଟ୍ରିପ୍ ସମ୍ପ୍ରସାରଣ କାମ ଆରମ୍ଭ ହେଲା । ଦେଖାଗଲେ ରଙ୍ଗେଇଲୁଣ୍ଡାରୁ ବିମାନ ସେବା ଆରମ୍ଭକୁ ପ୍ରାୟ ତିନି ବର୍ଷ ହୋଇଯାଇଥିଲେ ବି ଏହା ଭିତରେ ବିମାନ ଉଡ଼ିଛି କମ୍, ବନ୍ଦ ରହିଛି ବେଶି । ଅର୍ଥାତ ୪୨ ସପ୍ତାହ ବିମାନ ଚାଲିଛି ଏବଂ ଆଜି ପର୍ଯ୍ୟନ୍ତ ୧୦୮ ସପ୍ତାହ ବନ୍ଦ ରହିଛି ।
ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱର ଦୂରତା ୧୬୩ କିମି । ଟ୍ରେନ୍ କିମ୍ବା ବସ୍ରେ ଯାତ୍ରା କଲେ ୩ ଘଣ୍ଟା ସମୟ ଆବଶ୍ୟକ । ଯାତ୍ରା ସମୟ କମାଇବା ଲକ୍ଷ୍ୟରେ ରଙ୍ଗେଇଲୁଣ୍ଡାରୁ ଆରମ୍ଭ ହୋଇଥିଲା ବିମାନ ସେବା । ୨୦୨୩ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସରେ ବହୁ ଆଡ଼ମ୍ବରରେ ଆରମ୍ଭ ହେଲା ବିମାନ ଚଳାଚଳ । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରୁ ୯ ସିଟ୍ ବିଶିଷ୍ଟ ନନ୍-ସିଡ୍ୟୁଲ୍ ବିମାନ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଉଡ଼ିଥିଲା । ସପ୍ତାହରେ ତିନି ଦିନ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଇଣ୍ଡିଆ ୱାନ୍ ଏୟାର୍ କମ୍ପାନିର ବିମାନ ଚଳାଚଳ ପାଇଁ ଚୁକ୍ତିବଦ୍ଧ ହୋଇଥିଲା । ଯାତ୍ରା ଟିକଟ୍ ବି ଅଧିକ ନ ଥିଲା । ୧୨୦୦ରୁ ୧୬୦୦ ଭିତରେ ଥିଲା ଟିକଟ୍ ମୂଲ୍ୟ । ୨୫ରୁ ୩୦ ମିନିଟ୍ରେ ଗନ୍ତବ୍ୟସ୍ଥଳରେ ଯାତ୍ରୀ ପହଞ୍ଚି ଯାଉଥିଲେ। ମାତ୍ର ୪୨ ସପ୍ତାହ ଚାଲିବା ପରେ ୨୫ ଡିସେମ୍ବର ୨୦୨୩ରେ ବିମାନ ସେବା ବନ୍ଦ ହୋଇଥିବା ସୂଚନା ମିଳିଛି । ଏହି ସମୟ ଭିତରେ ଇଣ୍ଡିଆ ୱାନ୍ ଏୟାର୍ ବିମାନ ୧୨୬ ଥର ବ୍ରହ୍ମପୁରରୁ ଭୁବନେଶ୍ୱର ଯିବାଆସିବା କରିଛି । ତା’ ପରଠାରୁ ୧୦୮ ସପ୍ତାହ ହେଲା ବିମାନ ସେବା ବନ୍ଦ ପଡ଼ିଛି । ଅର୍ଥାତ୍ ୭୫୬ ଦିନ ହେବ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରୁ ବିମାନ ଯାତାୟାତ କରି ନାହିଁ । ଲୋକଙ୍କ ସୁବିଧା, ଯାତ୍ରା ସମୟ କମାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବିମାନ ସେବା ଆରମ୍ଭରୁ ଅଧିକାଂଶ ଦିନ ବନ୍ଦ ରହିଛି । ପ୍ରାରମ୍ଭିକ ବିମାନ ସେବା ଆରମ୍ଭ ସହ ଏଠାରୁ ପଡ଼ୋଶୀ ରାଜ୍ୟକୁ ବିମାନ ଚଳାଇବା ଏବଂ ସେଥିନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ୧୫ ଏକର ସରକାରୀ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ) ଜମି ଏବଂ ୧୭ ଏକର ଘରୋଇ ଜମି ଅଧିଗ୍ରହଣ କରିଥିଲେ ।
ରଙ୍ଗେଇଲୁଣ୍ଡା ତହସିଲ୍ର କରାପଲ୍ଲୀ ମୌଜାର ୨୩୦ ପ୍ଲଟ୍, ରାମଚନ୍ଦ୍ରପୁର ମୌଜାର ୧୪ ପ୍ଲଟ୍ ଓ ରଙ୍ଗେଇଲୁଣ୍ଡା ମୌଜାର ୫୯ଟି ପ୍ଲଟ୍ ଅଧିଗ୍ରହଣ କରାଯାଇଛି । ୭୫୦ ମିଟର ଲମ୍ବ ବିଶିଷ୍ଟ ରନ୍ୱେ ୧୦୫୦ ମିଟରକୁ ସମ୍ପ୍ରସାରଣ ଏବଂ ଓସାର ୧୫ରୁ ୩୦ ମିଟର କରିବା ପାଇଁ କାମ ଚାଲିଛି । ବିମାନବନ୍ଦରର ୨ବି ବର୍ଗରୁ ୩ସି ବର୍ଗକୁ ସମ୍ପ୍ରସାରଣ ବେଳେ ଚତୁଃପାଶ୍ୱର୍ ପାଚେରି ନିର୍ମାଣ, ନୂଆ ଟର୍ମିନାଲ ବିଲ୍ଡିଂ, ମୋବାଇଲ୍ ଏଟିସି ଟାୱାର, ୱାଚ୍ ଟାୱାର୍, ଅଗ୍ନିଶମ କୋଠା, ଫାଷ୍ଟ୍-ଏଡ୍ ସେଣ୍ଟର୍, ପୁଲିସ ଆଉଟ୍ପୋଷ୍ଟ୍, ବିମାନ ଇନ୍ଧନ ଷ୍ଟେସନ୍ ନିର୍ମାଣ ଏହାର ଅନ୍ତର୍ଭୁକ୍ତ ରହିଛି । ଏ ସମସ୍ତ କାମ ବି ଧିମେଇ ଚାଲିଛି ।