ଭୁବନେଶ୍ୱର,୧୦/୧୧: ଗତ ୪ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଣଜୀ ଟ୍ରଫିରେ ଓଡ଼ିଶାର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ସିନିୟର ଖେଳାଳିମାନେ ମ୍ୟାଚ୍ ଜିତାଇବାର ମନୋଭାବ ହରାଇ ସାରିଥିବାବେଳେ ଯୁବ ଖେଳାଳି ଖେଳ ଛାଡ଼ି ଭ୍ରମଣ ମଜା ଉଠାଉଛନ୍ତି । ମ୍ୟାଚ ଜିତିବାର ଆଗ୍ରହ କାହା ନିକଟରେ ନାହିଁ । ଦଳଗତ ପ୍ରଦର୍ଶନ ସ୍ୱପ୍ନ ହୋଇଯାଇଛି । ବୋଲିଂ ବିଭାଗ କଥା ଛାଡ଼, ବ୍ୟାଟରଙ୍କ ପ୍ରଦର୍ଶନ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କୁ କ୍ରିକେଟ୍ ପ୍ରତି ବିମୁଖ ହେବାକୁ ବାଧ୍ୟ କରୁଛି ।
ବରୋଦା ଓ ମୁମ୍ବାଇ ବିପକ୍ଷରେ ଓଡ଼ିଶାର କ୍ରମାନ୍ୱୟ ୨ଟି ଇନିଂସ ପରାଜୟ ପରେ ଜଣେ ଦକ୍ଷ ତଥା ଲଢୁଆ ମନୋଭାବ ରଖିଥିବା ମଧ୍ୟକ୍ରମ ବ୍ୟାଟରଙ୍କ କଥା ମନେ ପଡ଼ୁଛି । ସେ ହେଉଛନ୍ତି ଦେବାଶିଷ ସାମନ୍ତରାୟ । ରଣଜୀ ଦଳ ବାଛୁଥିବା ଚୟନକର୍ତ୍ତା ହୁଏତ ୨୮ବର୍ଷିୟ ଦେବାଶିଷଙ୍କୁ ଭୁଲି ଯାଇଛନ୍ତି କିମ୍ବା ତାଙ୍କ ପୂର୍ବ ପ୍ରଦର୍ଶନ ବିଷୟରେ ଅଜ୍ଞ ଥାଇପାରନ୍ତି । ଦେବାଶିଷଙ୍କ ବ୍ୟାଟିଂ ଟେକ୍ନିକ୍, ଫୁଟୱାର୍କ ଓ କ୍ରିଜ୍ରେ ଜମି ରହିବାର ଜିଦ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଓଡ଼ିଶା ଦଳର ଭବିଷ୍ୟତ ଭାବେ ସେ ଗଣା ହେଉଥିଲେ । ମାତ୍ର ୨୦୨୧/୨୨ ସିଜନ ପରେ ସେ ଆଉ ଦଳକୁ ଫେରି ପାରୁନାହାନ୍ତି ।
ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ପାଖାପାଖି ୪୪ ହାରରେ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ବିଶାଳ ଶତକ ଓ ୨ଟି ଅର୍ଦ୍ଧଶତକ ରହିଛି। ୨୦୨୦ରେ ସେ ଝାଡ଼ଖଣ୍ଡ ବିପକ୍ଷରେ ୧୫୬ ଓ ଅପରାଜିତ ୬୪ ରନ୍ର ଦୁଇଟି ଦମ୍ଦାର ଇନିଂସ ଖେଳିଥିଲେ । ବେଙ୍ଗଲ ବିପକ୍ଷ ପୂର୍ବ ମ୍ୟାଚ୍ରେ ମଧ୍ୟ ସେ ଅର୍ଦ୍ଧଶତକ(୬୮ ରନ୍) ସଂଗ୍ରହ କରିଥିଲେ । ଏହା ପୂର୍ବରୁ ୨୦୧୯ରେ ସେ ସର୍ଭିସେସ ବିପକ୍ଷରେ ୧୯୫ ରନ୍ର ଏକ ମାରାଥନ ଇନିଂସ ଖେଳିଥିଲେ । ୩ନଂ ସ୍ଥାନରେ ବ୍ୟାଟିଂ କରି ସେ ଉଭୟ ଶତକ ଅର୍ଜନ କରିଥିଲେ ।
ଓଡ଼ିଶାର ମଧ୍ୟକ୍ରମ ବ୍ୟାଟିଂ ବିଭାଗର ପ୍ରଦର୍ଶନ ଦେଖିଲେ ଦେବାଶିଷଙ୍କ ଅନୁପସ୍ଥିତି ସହଜରେ ବାରି ହୋଇ ପଡ଼ୁଛି । ଅନ୍ୟ ଯୁବ ବ୍ୟାଟର ମଧ୍ୟ ଦକ୍ଷ ହୋଇପାରନ୍ତି, ଏଥିରେ ଦ୍ୱିମତ ନାହିଁ, କିନ୍ତୁ ଦେବାଶିଷଙ୍କ ଉପସ୍ଥିତି ହୁଏତ ବ୍ୟାଟିଂ ବିଭାଗକୁ ଅଧିକ ସୁଦୃଢ କରିପାରିବ । ମଧ୍ୟ କ୍ରମରେ ଓଡ଼ିଶା ଜଣେ ବାମ ହାତି ବ୍ୟାଟର ଆବଶ୍ୟକ କରୁଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
କେବଳ ଓପନର ଅନୁରାଗ ଷଡ଼ଙ୍ଗୀଙ୍କୁ ଛାଡ଼ି ଦେଲେ ଦଳରେ କୌଣସି ବାମ ହାତି ବ୍ୟାଟର ନାହାନ୍ତି । ବରୋଦା ଦଳରେ କୃନାଲ ପାଣ୍ଡ୍ୟା, ଭାର୍ଗବ ଭଟ୍ଟ, ନିନାଦ ରତୱା ପ୍ରମୁଖ ବାମ ହାତି ସ୍ପିନ୍ ବୋଲର ରହିଥିଲେ । ନିନାଦ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ନେଇଥିଲେ । ଠିକ୍ ସେହିପରି ମୁମ୍ବାଇର ବାମ ହାତି ସ୍ପିନର ସାମ୍ସ ମୁଲାନି ମୋଟ୍ ୧୧ଟି ୱିକେଟ୍ ନେଇ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।
ଯେ କୌଣସି ଦଳରେ ବାମ ଓ ଡାହାଣ ହାତି ବ୍ୟାଟିଂ ଯୋଡି ଥରେ କ୍ରିଜରେ ଜମିଲେ ସବୁ ବୋଲରଙ୍କ ଲୟ ବିଗାଡ଼ି ପାରିବେ । ଏହାର ଅନେକ ପ୍ରମାଣ ରହିଛି । ଦେବାଶିଷ ମଧ୍ୟ ଧୈର୍ଯ୍ୟର ସହ କ୍ରିଜ୍ରେ ଜମି ରହିବାର କ୍ଷମତା ରଖିଥିବା ପୂର୍ବରୁ ପ୍ରମାଣ ଦେଖାଇ ସାରିଛନ୍ତି । ସେ ନିଶ୍ଚିତ ଭାବେ ତାଙ୍କ ପୂର୍ବ ବିଫଳତାରୁ ଶିଖିଥିବେ ଓ ତ୍ରୁଟି ସୁଧାରିଥିବେ । ମଧ୍ୟ କ୍ରମ ସମ୍ଭାଳିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ଦକ୍ଷତା ଓ ଅଭିଜ୍ଞତା ରହିଛି ।
କେବଳ ଦେବାଶିଷ ନୁହନ୍ତି, ଶାନ୍ତନୁ ମିଶ୍ର, ରାଜେଶ ଧୂପର ମଧ୍ୟ ଦଳକୁ ଅନେକ ଥର ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି । ମାତ୍ର ୨ଟି କିମ୍ବା ୩ଟି ସିଜନ ପଛକୁ ଗଲେ ସ୍ପଷ୍ଟ ହୋଇଯିବ ଯେ, ଉପରୋକ୍ତ ୩ ବ୍ୟାଟର ଓଡ଼ିଶାକୁ ଅନେକ ଥର ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ।
ଓଡ଼ିଶା ଶେଷ ଥର ପାଇଁ ୨୦୧୯/୨୦ ସିଜନରେ ରଣଜୀ ଟ୍ରଫି ନକ୍ ଆଉଟ୍ (କ୍ୱାର୍ଟର ଫାଇନାଲ୍) ଖେଳିଥିଲା । ଏଥର ଦଳ (୪ଟି ମ୍ୟାଚ ଶେଷ ସୁଦ୍ଧା) ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି । ଆଗକୁ ଦଳ ଆଉ ମାତ୍ର ୩ଟି ଲିଗ୍ ମ୍ୟାଚ୍ ଖେଳିବ । ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ହେଲେ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ତେଣୁ ଏହା ପୂର୍ବରୁ ବ୍ୟାଟିଂ ବିଭାଗକୁ ସୁଦୃଢ ଓ ସନ୍ତୁଳିତ କରିବା ଚୟନ କମିଟିର ଦାୟିତ୍ୱ । ସଠିକ୍ ସମୟରେ ଚୟନକର୍ତ୍ତା ନ ଚେତିଲେ ଆଉ ଏକ ବିଫଳ ସିଜନକୁ ଏଡ଼ାଇ ଦିଆଯାଇପାରିବ ନାହିଁ।