ନୂଆଦିଲ୍ଲୀ,୨୯/୧୧:ବେଳେବେଳେ  ଅଜବ  ଖେଳ ଖେଳେ ଭାଗ୍ୟ । ୧୯୯୩ ମସିହାରେ ଅପହରଣର ଶିକାର ହୋଇଥିବା ୯ ବର୍ଷୀୟ ବାଳକ ଫେରିଲେ ଦୀର୍ଘ ୩୦ ବର୍ଷ ପରେ । ଜଣେ ବ୍ୟବସାୟୀଙ୍କ ତତ୍‌କାଳ ନିଷ୍ପତ୍ତି ତାକୁ ବନ୍ଦୀ ଜୀବନରୁ ମୁକ୍ତି ଦେଇଛି । ଦୀର୍ଘ ୩୦ ବର୍ଷ ତଳେ ଏକ ଅଟୋରୁ ଅପହୃତ ଏହି ବ୍ୟକ୍ତି ହେଉଛନ୍ତି ଭୀମ ସିଂହ । ଜୈସଲମେର ସ୍ଥିତ ସୁଦୂର ଏକ ଗାଁରେ ପଶୁ ଫାର୍ମରେ ଗଛରେ ବନ୍ଧାଯାଇଥିବା ଅବସ୍ଥାରେ ଭୀମ ସିଂହଙ୍କୁ ବ୍ୟବସାୟୀ ଜଣକ ଉଦ୍ଧାର କରିଥିଲେ । 

୧୯୯୩ ମସିହା, ସେପ୍ଟେମ୍ବର ମାସ  ୯ ବର୍ଷୀୟ ଭୀମ ଅପହରଣର ହୋଇଥିଲେ  ଶିକାର । ଯାହା ପରେ ତାଙ୍କ ପରିବାରକୁ  ଆସିଥିଲା ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌। କିନ୍ତୁ ତା’ପରେ ହଠାତ୍‌ ସବୁକିଛି ନିରବୀ ଯାଇଥିଲା। ପୁଲିସ ତାଙ୍କୁ ଖୋଜି ବିଫଳ ହେଲା ।ଏହାପରେ ପରିବାର ଲୋକ ମଧ୍ୟ ତାଙ୍କୁ ପାଇବାର ଆଶା ଛାଡ଼ିଦେଲେ । ଭୀମଙ୍କ ବାପା ତୁଲାରାମ ଚାକିରିରୁ ଅବସର ନେବା ପରେ ତାଙ୍କ ପରିବାର ଦାଦ୍ରୀ ଚାଲିଯିବାକୁ ନିଷ୍ପତ୍ତି ନେଲା । କିନ୍ତୁ ତୁଲାରାମ ଚିନ୍ତାକଲେ, ଦିନେ ଯଦି ଭୀମ ଘରକୁ ଫେରିଆସିବେ ଆଉ ନିଜ ପରିବାରକୁ ଖୋଜିବେ, ତେବେ କ’ଣ ହେବ? ତେଣୁ ଅବସର-ପରବର୍ତ୍ତୀ ଯୋଜନାକୁ ବଦଳାଇଲେ । ଗାଜିଆବାଦରେ ସେ ଏକ ଅଟା କଳ ଖୋଲିଲେ, ଯାହା ତାଙ୍କ ଘର ପାଖରେ ଅବସ୍ଥିତ । କିନ୍ତୁ ବାସ୍ତବରେ ଭୀମଙ୍କୁ ସେମାନେ ଦିନେ ଦେଖିପାରିବେ ବୋଲି ମନରେ ବିଶ୍ୱାସ ନ ଥିଲା । ଗତ ମଙ୍ଗଳବାର ସେମାନେ ଯେତେବେଳେ ଗାଜିଆବାଦ ସ୍ଥିତ ଖୋଦା ଥାନାରେ ପହଞ୍ଚିଲେ, ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କାରଣ ସାମ୍ନାରେ ଥିଲେ ଅପହୃତ ପୁଅ ଭୀମ । 

ଦୀର୍ଘ ୩୦ ବର୍ଷ ପରେ ପୁଅକୁ ଫେରିପାଇବା କୌଣସି ଚମତ୍କାରଠୁ କମ୍‌ ନ ଥିଲା ।  ତାଙ୍କ ଜୀର୍ଣ୍ଣ ଅବସ୍ଥା ଦେଖି ପରିବାର ଆଖିରେ ଲୁହ ରହିଲା ନାହିଁ ।  ସାହିବାବାଦ ଏସିପି ରଜନୀଶ ଉପାଧ୍ୟାୟ କହିଛନ୍ତି, ଗତ ଶନିବାର ଅପରାହ୍ଣରେ ଭୀମ ଚାଲି ଚାଲି ଖୋଦା ଥାନାରେ ପହଞ୍ଚିଥିଲେ । ତାଙ୍କ ହାତରେ ଏକ ଚିଠି ଥିଲା । ଏଇଟି ଦିଲ୍ଲୀସ୍ଥିତ ସେହି ବ୍ୟବସାୟୀଙ୍କର ଥିଲା, ଯିଏ ଭୀମଙ୍କୁ ଉଦ୍ଧାର କରିଥିଲେ । ଭୀମ ତାଙ୍କୁ ନିଜ ଘର ଓ ପରିବାର ବିଷୟରେ ଯାହା କହିଥିଲେ, ସେସବୁ ସେ ଚିଠିରେ ଲେଖି ତାଙ୍କୁ ଧରାଇଥିଲେ । ପୁଲିସକୁ ତାହା ସାହାଯ୍ୟ କରିବ ବୋଲି ବ୍ୟବସାୟୀଙ୍କ ବିଶ୍ୱାସ ଥିଲା । ନୋଇଡ଼ାର କେଉଁ ଏକ ସ୍ଥାନରେ ତାଙ୍କ ଘର ବୋଲି ଭୀମ ପୁଲିସକୁ କହିଲେ । ଗାଜିଆବାଦ କିମ୍ବା ଶହିଦ ନଗର, ସେ ମନେପକାଇ ପାରୁନଥିଲେ । ତାଙ୍କୁ ଅପହରଣ କରାଯାଇଥିବା ବର୍ଷ- ୧୯୯୩ ମସିହା ବୋଲି ମଧ୍ୟ କହିଲେ । ଏହା ପରେ ପୁଲିସ ପୁରୁଣା ଫାଇଲ୍‌ ଖୋଜିଲା । ଆଉ ଯାଞ୍ଚ୍‌ରୁ ଜଣାପଡ଼ିଲା, ବିଦ୍ୟୁତ୍‌ ବିଭାଗରୁ ଅବସରପ୍ରାପ୍ତ ଭୀମଙ୍କ ବାପା ତୁଲାରାମଙ୍କର ୯ ବର୍ଷୀୟ ପୁଅ ନିଜର ଜଣେ ଭଉଣୀ ସହ ସ୍କୁଲରୁ ଘରକୁ ଫେରିବା ସମୟରେ ତାଙ୍କୁ ଏକ ଅଟୋ ଗ୍ୟାଙ୍ଗ୍‌ ଅପହରଣ କରିନେଇଥିଲା । ଅପହରଣ ପରେ ଭୀମଙ୍କୁ ରାଜସ୍ଥାନକୁ ନିଆଯାଇଥିଲା । ସେଠାରେ ଭୀମ ମେଣ୍ଢା ଓ ଛେଳିଙ୍କ ସହିତ ରହି ବଢ଼ିଲେ । ରାତିରେ ସେମାନଙ୍କ ସହ ଶୋଇଲେ । କାଳେ ଖସି ପଳାଇବେ, ସେଥିପାଇଁ ତାଙ୍କୁ ଚେନ୍‌ରେ ବାନ୍ଧି ରଖାଯାଉଥିଲା । ତାଙ୍କର ଦୈନନ୍ଦିନ ଖାଦ୍ୟ ଥିଲା ଖଣ୍ଡେ ରୁଟି ଓ କିଛି କପ୍‌ ଚା’ । ୩୦ ବର୍ଷ ଧରି ସେ ମେଣ୍ଢା-ଛେଳିଙ୍କ ଗହଣରେ ଏଭଳି ବନ୍ଦୀ ଜୀବନ ବିତାଉଥିଲେ ।