ମୁମ୍ବାଇ ୦୧/୦୨: ଖୁବ୍ଶୀଘ୍ର ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ରାଶା ଥଡାନି । ରୋମାଣ୍ଟିକ୍ ଡ୍ରାମା ‘ଶ୍ରୀନିବାସ ମଙ୍ଗାପୁରମ୍’ରେ ସେ ମହେଶ ବାବୁଙ୍କ ପୁତୁରା ଜୟ କୃଷ୍ଣ ଘଟ୍ଟମନେନିଙ୍କ ଅପୋଜିଟ୍ରେ ପରଦାକୁ ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଜୟ ଭୂପତି । ନିର୍ମାତା ଫିଲ୍ମର ଏକ ନୂଆ ପୋଷ୍ଟର୍ ସୋସିଆଲ ମିଡିଆରେ ଶେୟାର କରି ରାଶାଙ୍କ ଚରିତ୍ରର ନାଁ ଘୋଷଣା କରିଛନ୍ତି । ଫିଲ୍ମରେ ରାଶା ମଙ୍ଗା ଚରିତ୍ର ନିର୍ବାହ କରିବେ ।
ପୋଷ୍ଟର୍ରେ ରାଶା ଏକ ବଗିଚାରେ ବାଇଗଣି ରଙ୍ଗର କୁର୍ତ୍ତି ପିନ୍ଧି ଖୁବ୍ ଖୁସି ଜଣାପଡୁଛନ୍ତି । ଭିନ୍ନ ଲୁକ୍ରେ ତାଙ୍କର ଅନ୍ୟ ଏକ ପୋଷ୍ଟର୍ ମଧ୍ୟ ଜାରି ହୋଇଛି, ଯେଉଁଥିରେ ସେ କଳା ଟପ୍ ଓ ନୀଳ ଜିନ୍ସରେ ଆତ୍ମବିଶ୍ୱାସର ସହ ଏକ ବାଇକ୍ରେ ବସିଛନ୍ତି । ଏହି ଫିଲ୍ମ ଜରିଆରେ ଜୟ କୃଷ୍ଣ ବି ତେଲୁଗୁ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରୁଛନ୍ତି । ନିକଟରେ ଫିଲ୍ମରେ ତାଙ୍କ ଫାର୍ଷ୍ଟ ଲୁକ୍ ଜାରି ହୋଇଥିଲା । ‘ଆର୍ଏକ୍ସ ୧୦୦’ ଓ ‘ମଙ୍ଗଲବାରମ୍’ ଭଳି ସଫଳ ଫିଲ୍ମ ପାଇଁ ପରିଚିତ ନିର୍ଦ୍ଦେଶକ ଅଜୟ ଭୂପତି ଏହି ରୋମାଣ୍ଟିକ୍ ଡ୍ରାମାକୁ ନେଇ ଖୁବ୍ ଆଶା ବାନ୍ଧିଛନ୍ତି । ୨୦୨୫ରେ ବଲିଉଡ୍ ଫିଲ୍ମ ‘ଆଜାଦ୍’ ଜରିଆରେ ରାଶା ଫିଲ୍ମ ଦୁନିଆକୁ ଆସିଥିଲେ ।