ମେଷ: ଅପରାହ୍ଣ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର, ମଙ୍ଗଳବାର ଯୋଗୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଏହାପରେ ପଞ୍ଚମ ଚନ୍ଦ୍ର ଯୋଗୁ ଓ ଘାତ ନକ୍ଷତ୍ର ଭୋଗ ହେଉଥିବାରୁ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ମାନ, ସମମାନ ହାନି ଘଟିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସତର୍କ ହେବେ ।ଶୁଭ ରଙ୍ଗ: ଗେରୁଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ ।

ବୃଷ: ତୃତୀୟ ଓ ଚତୁର୍ଥ ଚନ୍ଦ୍ର, ତୃତୀୟା ଏବଂ ଚତୁର୍ଥୀ ତିଥି ଏବଂ ବୁଧ ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ସ୍ୱଜନ, ପରିଜନ, ଭାଇଭଉଣୀଙ୍କ ସହଯୋଗ ମିଳିବ ଏବଂ ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଅତି ଉତ୍ତମ ହେବ ଏବଂ ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ :ଧଳା, ସଂଖ୍ୟା : ୧୨, ଆରାଧନା : ମା’ କମଳା ।

ମିଥୁନ: ଅପରାହ୍ଣ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନ ଅସ୍ଥିର ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଏହାପରେ ତୃତୀୟ ଚନ୍ଦ୍ର ଯୋଗୁ ସ୍ଥିତିରେ ସୁଧାର ଆସିବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଯେଉଁ ମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ଉପକୃତ ହେବେ ।ଶୁଭ ରଙ୍ଗ :ମେରୁନ୍, ସଂଖ୍ୟା : ୪, ଆରାଧନା: ମା’ ତ୍ରିପୁର ସୁନ୍ଦରୀ ।

କର୍କଟ: ଅପରାହ୍ଣ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଶ୍ରୀଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ କର୍ମରେ କିଛିଟା ସଫଳତା ମିଳିବ । ଏହାପରେ ଘାତଚନ୍ଦ୍ର ଯୋଗୁ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୁଷ୍ୟା ଓ ଅଶ୍ଲେଷା କର୍କଟ, ସେମାନେ ସତର୍କ ହେବେ ।ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୧, ଆରାଧନା ମା’ ଭୁବନେଶ୍ୱରୀ ।

ସିଂହ: ଦ୍ୱାଦଶ ଚନ୍ଦ୍ର, ଶ୍ରୀଚନ୍ଦ୍ର ଓ ମଙ୍ଗଳବାର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆମୋଦପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରଖିବେ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ଓ ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ଉପକୃତ ହେବେ ।ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୩, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ଏକାଦଶ ଚନ୍ଦ୍ର, ଦ୍ୱାଦଶ ଚନ୍ଦ୍ର ଏବଂ ବୁଧ, କେତୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟଠାରୁ ବ୍ୟୟ ବହୁତ କମ୍ ରହିବ । ଧନର ସତ୍ ବିନିଯୋଗ କରିବେ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି, ବ୍ୟବସାୟରେ ପ୍ରଗତି ଏବଂ ପରିବେଶ, ପରିସ୍ଥିତି, ସମୟ ଆଜି ଆପଣଙ୍କ ପାଇଁ ଅନୁକୂଳ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା, ସେମାନେ ସୁଫଳ ପାଇବେ ।ଶୁଭ ରଙ୍ଗ :ସବୁଜ, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।

ତୁଳା: ଦଶମ ଓ ଏକାଦଶ ଚନ୍ଦ୍ର ଏବଂ ବୁଧ, କେତୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଆୟର ମାର୍ଗ ଅତି ଉତ୍ତମ ହେବ । ଭାଗ୍ୟ, ଭବିଷ୍ୟ, ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରହିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମ ସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଚିତ୍ରା ଓ ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ ।ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା : ଅପରାହ୍ଣ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ନବମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଏହାପରେ ଦଶମ ଚନ୍ଦ୍ର ଯୋଗୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ରହିବ ଏବଂ କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ଶୀର୍ଷରେ ରହିବ । ଯେଉଁମାନଙ୍କର ବିଶାଖା ଓ ଅନୁରାଧା ବିଛା, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୧୧, ଆରାଧନା : ପ୍ରଭୁ ସ୍କନ୍ଦ ।

ଧନୁ : ଅଷ୍ଟମ ଚନ୍ଦ୍ର ଓ ନବମ ଚନ୍ଦ୍ର ତଥା ଅପରାହ୍ଣ ୧୨ଟା ୧୮ ମିନିଟ୍ ପରେ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ ଏବଂ ଗୁରୁଜନ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ଯଥା ସମ୍ଭବ ବାକ୍ ସଂଯମତା ରକ୍ଷା କରିବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସତର୍କ ହେବେ ।ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ମା’ ତାରା ।

ମକର : ଘାତବାର ଓ ଅପରାହ୍ଣ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା ମିଳିବ ନାହିଁ । ଏହାପରେ ଅଷ୍ଟମ ଚନ୍ଦ୍ର ଯୋଗୁ ବହୁ ଘାତ ପ୍ରତିଘାତ ଦେଇ ଗତି କରିବେ ଏବଂ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ । ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର, ସେମାନେ ସତର୍କତା ଅବଲମ୍ବନ କରିବେ । ଶୁଭ ରଙ୍ଗ : କଳା, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।

କୁମ୍ଭ : ଷଷ୍ଠ ଓ ସପ୍ତମ ଚନ୍ଦ୍ର ଏବଂ ସକାଳ ୮ଟା ୦୨ ମିନିଟ୍ ପରେ ଘାତତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟାର ସମ୍ମୁଖୀନ ହେବେ ଏବଂ ଶାରୀରିକ ପୀଡ଼ା ଭୋଗିବେ । ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ମୂଲ୍ୟବାନ ଧାତୁ, ବସନଭୂଷଣ, ସୌଖୀନ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦପ୍ରମୋଦରେ ଅଧିକ ଧନ ବ୍ୟୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସୁଫଳ ପାଇବେ ।ଶୁଭ ରଙ୍ଗ : ମାଟିଆ, ସଂଖ୍ୟା : ୨, ଆରାଧନା : ମା’ ଚଣ୍ଡୀ ।

ମୀନ : ଅପରାହ୍ଣ ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର, ଘାତ ନକ୍ଷତ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଏବଂ ସମସ୍ତ କର୍ମ ବିବାଦୀୟ ହେବ । ଏହାପରେ ଷଷ୍ଠ ଚନ୍ଦ୍ର ଯୋଗୁ ହୃତ ଗୌରବ ଫେରି ଆସିବ ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।

ଜ୍ୟୋତିର୍ବିଦ୍: କୈଳାସ ଦାଶ

୯୪୩୭୧୩୩୪୭୩