ପୁରୀ, ୦୭/୦୫: ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା। ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ଆସନ୍ତା ୯ ତାରିଖରେ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ୬ଟି ଚକ ସହିତ ତିନୋଟି ଅଖ ସଂଯୋଗ କରାଯାଇ ଡେରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ମୁଖ୍ୟ ବିଶ୍ଵକର୍ମା।
ତିନି ରଥର ଚକ ଅଖ ଡେରା ନୀତି ପାଇଁ ଉଭୟ ଅଖ ଓ ଚକ ପ୍ରସ୍ତୁତ କରାଯାଇଛି। ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୧୬ ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ଵଜ ଏବଂ ଦର୍ପଦଳନ ରଥର ପାଞ୍ଚଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ଛଅଟି ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ପ୍ରଭା ଅପସରା ଏବଂ ବେଦୀ ସିଂହାସନ ନିର୍ମାଣ ଶେଷ ହୋଇଛି। ତିନି ରଥର ଚାରି ଗୋଟି ଲେଖାଏଁ ପ୍ରଥମ ଭୂଇଁ, ମଝି ଭୂଇଁ ଏବଂ ଖମ୍ବି ନିର୍ମାଣ ଶେଷ ହୋଇଛି।
ଦୁଷ୍ଟ ସଂହାର ପାଇଁ ଖମ୍ବରୁ ଆବିର୍ଭାବ ହୋଇଥିଲେ ପ୍ରଭୁ ନୃସିଂହ । ଠିକ୍ ସେହି ପରମ୍ପରାକୁ ମନେ ପକାଇ ଦାରୁବ୍ରହ୍ମଙ୍କ ରଥର କୋଣ ଗୁଜରେ ରୂପପାଉଛନ୍ତି ସିଂହବିରାଳ ମୂର୍ତ୍ତି । ବଡ଼ଦେଉଳରେ ରହିଥିବା ସିଂହଙ୍କ ଅବିକଳ ଠିଆ ପ୍ରତିମୂର୍ତ୍ତି । ନୃସିଂହ ଜନ୍ମରେ ରୂପକାର ସେବକ ଖୋଦେଇ ଆରମ୍ଭ କରିଥିଲେ । ବଡ଼ମାନଙ୍କ ତତ୍ତ୍ୱାବଧାନରେ ସାନମାନେ କାମ କରି ଦକ୍ଷତା ହାସଲ କରୁଛନ୍ତି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୬ଟି ଲେଖା କୋଣ ଗୁଜ ସ୍ଥଳେ ଦର୍ପଦଳନ ରଥର ୧୨ଟି କୋଣ ଗୁଜ ରହିଛି । କୋଣ ଗୁଜ ହେଉଛି ରଥର ସୁରକ୍ଷା କବଚ କୁହନ୍ତି ଶ୍ରୀମନ୍ଦିର ରୂପକାର ନିଯୋଗ ସଭାପତି ପଞ୍ଚାନନ ମହାପାତ୍ର । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ରଥ ପାଇଁ ବିଭିନ୍ନ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ :- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ମଦନମୋହନଙ୍କ ଜାମିନ ଆବେଦନ ଖାରଜ
ସେପଟେ ଶୁକ୍ରବାର ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ସମିତି ବୈଠକ ଅନୁଷ୍ଠିତ ହେବ। ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଉପସ୍ଥିତ ରହିବେ।