କଟକ, ୦୭/୦୫: ବ୍ରହ୍ମପୁରର ପ୍ରତିଷ୍ଠିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ମଦନମୋହନ ଦଳାଇଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରି ଦେଇଛନ୍ତି । ସ୍ୱାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଅଧିକ ଚିକିତ୍ସା ପାଇଁ ଏହି ଅନ୍ତରୀଣ ଜାକିନ୍ ଆବେଦନ କରାଯାଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ମାମଲାର ଶୁଣାଣି କରି ଏହି ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି ।
ବ୍ରହ୍ମପୁରର ବହୁଚର୍ଚ୍ଚିତ ଶ୍ରୀ ପଣ୍ଡାଙ୍କ ହତ୍ୟା ମାମଲାରେ ମଦନମୋହନ ଦଳାଇ ଗିରଫ ହୋଇଥିଲେ । ଜେଲ୍ରେ ଥିବା ଶ୍ରୀ ଦଳାଇ ତାଙ୍କ ଗୋଡ଼ରେ ଅପରେସନ୍ ପରେ ରହିଥିବା ଏକ ରଡ୍ ବାହାର ପାଇଁ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆବେଦନ କରିଥିଲେ । କିନ୍ତୁ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଆବେଦନକାରୀଙ୍କୁ ଏମ୍କେସିଜି ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁଛି । ଏକ ଡାକ୍ତରୀ ଟିମ୍ ଶ୍ରୀ ଦଳାଇଙ୍କ ଚିକିତ୍ସା ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛନ୍ତି । ତେଣୁ ଆବେଦନକାରୀଙ୍କୁ ବାହାରକୁ ଯାଇ ଚିକିତ୍ସା କରିବାର କୌଣସି ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହି ଜବାବ ପରେ ହାଇକୋର୍ଟ ଆବେଦନକାରୀଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ପାର୍ଥ ସାରଥୀ ନାୟକ ମାମଲା ପରିଚାଳନା କରୁଥିଲେ ।
ଅଧିକ ପଢ଼ନ୍ତୁ :- ପ୍ରେମିକ ଘର ଆଗରେ ଗର୍ଭବତୀଙ୍କୁ ହତ୍ୟା ମାମଲା: MKCG ହସ୍ପିଟାଲରେ ମୃତଦେହ, ସତ୍କାର ପାଇଁ ଆସୁନାହାନ୍ତି କେହି...