ପୁରୀ,୧୫/୦୫: ନନ୍ଦିଘୋଷ ରଥର ମୋଟ୍ ୧୨ଟି ଚଉତା କାଠ ହଣା ସରିଥିବା କହିଛନ୍ତି ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର । ରଥ ଉପର ତିନି ଭୂଇଁରେ ଲାଗିଥାଏ ୧୨ଟି ଚଉତା କାଠ । ଏଥିସହ ମହାପ୍ରଭୁଙ୍କ ରଥର ୧୬ଟି ଚକ ମଧ୍ୟରୁ ୧୩ଟି ସମ୍ପୂର୍ଣ୍ଣ ହୋଇ ଆଉ ଗୋଟିଏ ଶେଷ ହେବା ଉପରେ । ଆଉ ଦୁଇଟି ଚକର ଅର ଓ ପହି ପହଞ୍ଚିଲେ ଚକ କାମ ଶେଷ ହେବ । ଏଥିସହ ୪ଟି ଚାରିନାହାକାରୁ ଦୁଇଟି ନାହାକା କାଠ ହଣା ଶେଷ ହୋଇଥିବା ମୁଖ୍ୟ ବିଶ୍ୱକର୍ମା ଶ୍ରୀ ମହାପାତ୍ର କହିଛନ୍ତି ।

ରଥର ଚଉଦ ନାହାକା ହଣା ଆରମ୍ଭ ହୋଇଛି । ତିନି ରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗଉଛି । ରଥଚାଳିରେ ବିଶ୍ୱକର୍ମା, ଭୋଇ ସେବକ, କରତୀ ଓ ରୂପକାର ସେବକମାନେ ନିର୍ମାଣରେ ବ୍ୟସ୍ତ ଥିବା ବେଳେ ଓଝା ସେବକମାନେ ଦୋଳବେଦିରେ ଦଣ୍ଡା କଣ୍ଟା ଆଦି ତିଆରିରେ ଲାଗିଛନ୍ତି । ରଥର ବ୍ରେକ୍ କାଠ ଚିହ୍ନଟ କରିବାକୁ ରଥ ଅମିନ, ଭୋଇ ସର୍ଦ୍ଦାର, କୋଠ ସୁଆଁସିଆ ସେବକଙ୍କ ସମେତ ଶ୍ରୀମନ୍ଦିରର ଏକ ଟିମ୍ ନୟାଗଡ଼ରେ ପହଞ୍ଚିଛନ୍ତି । ଦଶପଲ୍ଲା ନିକଟରେ ଶାଳ କାଠ ଚିହ୍ନଟ କରାଯାଇଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ । ରଥ ଗଡ଼ିଯାଉଥିବା ସ୍ଥଳେ ରଥ ସମ୍ମୁଖ ଭାଗରେ ଲାଗିଥିବା ବ୍ରେକ ରଥକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି କାଠ ବେଶ୍ ମଜଭୁତିଆ ହେବା ଆବଶ୍ୟକ । ସେହିଭଳି କୋଠସୁଆସିଆଁ ସେବକମାନେ ମଧ୍ୟ ଠାକୁରଙ୍କ ପହଣ୍ଡିରେ ଦରକାର ହେଉଥିବା ମାଲ (ମଜଭୁତିଆ ନିଦା କାଠ) ଚିହ୍ନି ଆଣିବାକୁ ଟିମ୍ରେ ଯାଇଥିବା ସୂଚନା ରହିଛି ।

ଅଧିକ ପଢ଼ନ୍ତୁ :- ମେ'୧୭ରୁ ଶ୍ରୀମନ୍ଦିରରେ ଶ୍ରୀପୁରୁଷୋତ୍ତମ ଉପାସନା, ଠାକୁରଙ୍କୁ ଲାଗିହେବ ୩୦ ପ୍ରକାର ଫୁଲ ଓ ଫଳ