ପୁରୀ,୧୫/୦୫: ମଳମାସ ଅବସରରେ ଆସନ୍ତା ୧୭ ତାରିଖ ରବିବାରଠାରୁ ଶ୍ରୀମନ୍ଦିରରେ ଶ୍ରୀପୁରୁ ଷୋତ୍ତମଙ୍କ ସ୍ୱତନ୍ତ୍ର ଉପାସନା ବିଧି ଆରମ୍ଭ ହେବ । ଅମାବାସ୍ୟା ପରଦିନ ଶୁକ୍ଳ ପ୍ରତିପଦାଠାରୁ ମଳ ମାସ ଶେଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ଉକ୍ତ ମନ୍ଦିରରେ ବିରାଜିତ ଶ୍ରୀନାରାୟଣଙ୍କୁ ଶ୍ରୀପୁରୁଷୋତ୍ତମ ଭାବେ ଉପାସନା କରିବେ । ମାନସିକ ରଖି ସେଠାରେ ଗୁଆ ନଡ଼ିଆ ବସାଇ ସଂକଳ୍ପ କରିବା ସହ ଏକ ମାସ ହବିଷ୍ୟ ପାଳନ କରନ୍ତି । ମଳମାସ ହେତୁ ବଡ଼ଦେଉଳରେ ଭିତର ଚନ୍ଦନ ୨୧ ଦିନ ପରିବର୍ତ୍ତେ ଆଉ ଏକ ମାସ ଅଧିକ ହେବ । ପୁଣି ଏଥର ୧୦ ଥର ଠାକୁରଙ୍କ ଜଳକ୍ରୀଡ଼ା ବିଧି ହେବ ।
ସତ୍ୟନାରାୟଣ ପୂଜାପଣ୍ଡା ସାମନ୍ତ ଓ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା ସାମନ୍ତ ଶ୍ରୀନାରାୟଣଙ୍କ ପୂଜାର୍ଚ୍ଚନା କରୁଛନ୍ତି । ପୂଜାପଣ୍ଡା ସାମନ୍ତ କୁହନ୍ତି, ଏହି ମଳ ମାସର ଶେଷ ୫ ଦିନ ପଞ୍ଚକ କରିବା ବିଧି ରହିଛି । ୩୦ ଦିନରେ ୩୦ ପ୍ରକାର ଫୁଲଫଳ ଠାକୁରଙ୍କୁ ଭୋଗ ଲାଗେ । ଏକାଦଶୀରେ ଦୀପ ଦାନ କରନ୍ତି । ତ୍ରୟୋଦଶୀରେ ଠାକୁରଙ୍କୁ ଖିରି ଅମାଲୁ ଭୋଗ ଲଗାଯାଏ । ଶ୍ରୀମନ୍ଦିର ଭିତର ବେଢ଼ା ୯୧ ନମ୍ବର ପ୍ଲଟରେ ଅଧିମାସ ମନ୍ଦିର ରହିଛି । ଏହା ପୁରୁଷୋତ୍ତମ ତଥା ବିରଞ୍ଚିନାରାୟଣ ମନ୍ଦିର ନାମରେ ଖ୍ୟାତ । କଳ୍ପବଟ ନିକଟରେ ତଥା ମା’ମଙ୍ଗଳାଙ୍କ ମନ୍ଦିର ସମ୍ମୁଖରେ ବିରଞ୍ଚିନାରାୟଣଙ୍କ ଆସ୍ଥାନ । ମନ୍ଦିରରେ କଳାମୁଗୁନି ପ୍ରସ୍ତରର ଶ୍ରୀନାରାୟଣ ଓ ବରାହନାରାୟଣ ବିଜେ ହୋଇଛନ୍ତି । ବିଷ୍ଣୁପୁରାଣରେ ବର୍ଣ୍ଣନା ରହିଛି ଅସୁରରାଜ ହିରଣ୍ୟାକ୍ଷ ଧରିତ୍ରୀଙ୍କୁ ରସାତଳଗାମୀ କରିବାରେ ଧରିତ୍ରୀ ମାତା ଶ୍ରୀପୁରୁଷୋତ୍ତମଙ୍କୁ ପ୍ରାର୍ଥନା କରିଥିଲେ । ଭଗବାନ୍ ଶ୍ରୀପୁରୁଷୋତ୍ତମ ମହାବରାହରୂପ ଧାରଣ କରି ତାଙ୍କୁ ଉଦ୍ଧାର କରିଥିଲେ । ପରାସରଙ୍କ ମତରେ ମଳମାସରେ ହୋମ, ପ୍ରତିଷ୍ଠା, ଯଞ୍ଜ, ଦାନ, ବ୍ରତ ଓ ଅଭିଷେକାଦି ମଙ୍ଗଳମୟ କାର୍ଯ୍ୟ ବର୍ଜନୀୟ ।
ଅଧିକ ପଢ଼ନ୍ତୁ :- Panic Buying Fuel: ତେଲ ନାହିଁ ସଙ୍କଟ ! ହେଲେ କିଏ କରୁଛି କଳାବଜାରୀ ? ଲିଟରକୁ ୧୩୦ ଟଙ୍କାରେ ବିକ୍ରି