ପୁରୀ,୦୯/୦୬: ଦେବଦଳନ ରଥ ନିର୍ମାଣ ସମୟରେ ଏକ ଗୟଳ ମଝିରୁ ଭାଙ୍ଗିଗଲା । ନିର୍ମାଣକାରୀମାନେ ଗୟଳ ମୋଡ଼ି ରଥରେ ସ୍ଥାପନ କଲା ବେଳେ ୪୦ ଫୁଟିଆ କାଠ ଭାଙ୍ଗିଲା । ନାହାକା ପାଖ ବଡ଼ ଛନ୍ଦା ଗୟଳ ବସିବା ବେଳକୁ  ଏଭଳି ସ୍ଥିତି ଉପୁଜିଥିଲା । କରତି ସେବକ ଧଉରା କାଠ ଚିରଟ କଲାପରେ ଏହାକୁ ବିଶ୍ୱକର୍ମା ଚଉପଟ କରି ଗୟଳ  ପ୍ରସ୍ତୁତ କରିଥିଲେ । ହେଲେ ରଥରେ ଫିଟିଂ ବେଳକୁ ଉକ୍ତ  ଗୟଳଟି ଭାଙ୍ଗିଥିଲା । ପରେ ପୁଣି ଆଉ ଏକ ଗୟଳ ତିଆରି କରାଯାଇ ରଥରେ ସ୍ଥାପନ କରାଯିବାରେ ନିର୍ମାଣ କାର୍ଯ୍ୟ  ଆଗେଇଥିଲା । ଏଥିସହ ଦେବଦଳନ ରଥର ଏକ ଚକରେ ଲାଗିଥିବା ବଳା ହୁଗୁଳି ଅଖରେ ଝୁଲୁଥିବା ନଜରକୁ ଆସିଛି । 

ରଥ ପ୍ରସ୍ତୁତ ହେବା ପୂର୍ବରୁ ଚକର ଏଭଳି ସ୍ଥିତି ଯୋଗୁ ରଥ  ଟଣା ସମୟରେ ଅଘଟଣର ଆଶଙ୍କା କରାଯାଉଛି । ଏନେଇ  ଦେବଦଳନ ରଥର ବିଶ୍ୱକର୍ମା ଦେବ ମହାରଣା କୁହନ୍ତି ଚକ  ପ୍ରସ୍ତୁତି ସମୟରେ କାଠ କଞ୍ଚା ଥାଏ । କାଠ ଶୁଖିଯିବାରେ ତୁମ୍ବ  ବାହାର ପାଶ୍ୱର୍ରେ ଲାଗିଥିବା ବଳା ହୁଗୁଳି ଯାଏ । ଆଗକୁ ପୁଣି  ମଜଭୁତ୍‌ କରି ବଳା ଲଗାଯିବ । ସେହିଭଳି ଗୟଳ ମୋଡ଼ିବା  ବେଳେ କାଠ ଗଣ୍ଠି ପାଖରେ ଭାଙ୍ଗିଥିଲା । ଶୁଖିଲା କାଠକୁ ଗଣ୍ଠି  ପଡ଼ିଗଲେ ଗୟଳ ପକାଇବା ସମୟରେ ଭାଙ୍ଗେ । ନିର୍ମାଣ  ସମୟରେ ଏସବୁ କିଛି ନୂଆ କଥା ନୁହେଁ । ହେଲେ ରଥ  ନିର୍ମାଣ ଶେଷ ପୂର୍ବରୁ ସବୁକୁ ସୁଧାରି ନିଆଯାଏ ।