ପୁରୀ,୨୩/୦୫: ରଥ ନିର୍ମାଣ ଅବସରରେ ରଥ ଖଳାରେ ଶୁକ୍ରବାର ମୁହାଁଟରେ ବିନ୍ଧ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ତିନି ରଥର ମୁଖ୍ୟ ବିଶ୍ୱକର୍ମା  ମୁହାଁଟରେ ବିନ୍ଧ ଅନୁକୂଳ କରିଥିଲେ ।  ଏହାପରେ ନିପୁଣ କାରିଗରମାନେ  ବିନ୍ଧ ଖୋଦେଇ କଲେ । ଦଣ୍ଡାରେ ଲାଗିବ ମୁହାଁଟ । ଦଣ୍ଡା ହେଉଛି ରଥର ଚେସିସ୍‌ । ଚଉତା କାଠରେ  ମାପଚୁପ ହୋଇ ସୂତା ମରାଯାଇଛି ।  ଚଉତା ହେଉଛି ରଥର ଉପରିଭାଗ  ଭୂଇଁ କାର୍ଯ୍ୟ । ଶନିବାର ଚଉତାରେ ବିନ୍ଧ ଅନୁକୂଳ ହେବ ବୋଲି ସୂଚନା ରହିଛି । 

ବିଶ୍ୱକର୍ମା ସୁଧାକର ମହାପାତ୍ର  କୁହନ୍ତି ମୁହାଁଟରେ ଦାଗ ଦିଆଯିବା  ପରେ ବିନ୍ଧ କରାଯାଇଛି । ଗୋଟିଏ  ମୁହାଁଟରେ ୫ଗୋଟି ବିନ୍ଧ କରାଯାଇଛି ।  ଏହିଭଳି ପ୍ରତି ରଥରେ ଦୁଇଗୋଟି  ଲେଖାଏଁ ମୁହାଁଟରେ ୫ଟି କରି ୧୦  ଗୋଟି ବିନ୍ଧ ହେଉଛି । ୫ଦଣ୍ଡାର  ଆଗରେ ପଛରେ ମୁହାଁଟ ସଂଯୁକ୍ତ  ହେବ । ରଥର ଚେସିସ୍‌କୁ ବାନ୍ଧିରଖେ  ମୁହାଁଟ । ରଥରେ ରହିଛି ଚାରିଟି  ମୁହାଁଟ । ରଥର ଆଗ, ପଛ ଓ ୨  ପାଶ୍ୱର୍ରେ ମୁହାଁଟ ସ୍ଥାପନ କରାଯାଏ ।  ମୁହାଁଟ ମୁଖ୍ୟତଃ ଧଉରା ଓ ଅସନ  କାଠରେ ନିର୍ମିତ ହୋଇଥାଏ । ରଥ  ନିର୍ମାଣରେ ଏହି ଅଂଶର ଅଧିକ ଗୁରୁତ୍ୱ  ରହିଥିବା କହନ୍ତି ନିର୍ମାଣକାରୀ । 

ରଥ ଖଳାରେ ଭୂଇଁ ଚଉତା କାମ ଚାଲିଛି । ପ୍ରତି ରଥର ତିନୋଟି ଲେଖା  ଭୂଇଁରେ ୧୨ଟି ଚଉତା କାଠ ରହିଥାଏ ।  ଚକ ଓ ଅଖ ସଂଯୁକ୍ତ ହୋଇ ରଥର  ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ  ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା  ରହିବ । ଗରଗରା ଉପରେ ଚାରି  ନାହାକା ଉଠିବ । ଏହା ରଥ ଉପରି  ଭାଗ କାମ । ୪ ନାହାକା ଉପରେ ଭୂଇଁ  ଟୁଙ୍ଗୁରା ହେବ । ପ୍ରଥମ ଭୂଇଁ ଉପରେ  ୪ଗୋଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ  ୪ଗୋଟି ଖମ୍ବୀ ଲାଗିବ । ତା’ ଉପରେ  ପୋଟଳ ଖମ୍ବୀ ଲାଗି ତୃତୀୟ ଭୂଇଁ  ରହିବ । ରଥ ଖଳାରେ ଚକ ନିର୍ମାଣ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି  ବାକିଆ ଚକର ପହି ଓ ଅର ପହଞ୍ଚିଛି ।  ରୂପକାର ରଥ ଅଳଙ୍କରଣରେ ନିମଗ୍ନ ।  ଗୁଜରେ ସିଂହବିରାଳ ମୂର୍ତ୍ତି ଖୋଦେଇ  ଶେଷ କରୁଛନ୍ତି । ଚକ କାର୍ଯ୍ୟରେ  ଲାଗିବା ସହ କରତି ସେବକଙ୍କ  ଅପେକ୍ଷା କାଠ ମିଳିଲେ ରଥର  ଗୟଳ ପ୍ରସ୍ତୁତ ହେବ । କମାର  ସେବକମାନେ ଦୋଳବେଦିରେ ରଥ ପାଇଁ ଲୌହ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।