ପୁରୀ,୧୪/୦୫: ପୁରୀ ରଥଖଳା ଚଳଚଞ୍ଚଳ। ବୁଧବାର ଓଝା ସେବକମାନେ ଦୋଳବେଦି ଶାଳରେ ଦଣ୍ଡା କଣ୍ଟା ତିଆରି ଆରମ୍ଭ କରିଛନ୍ତି । ନଟ୍ବୋଲ୍ଟ ଠାରୁ ଆହୁରି ଶକ୍ତିଶାଳୀ ହେଉଛି ଦଣ୍ଡା କଣ୍ଟା । ଅଗପାତଳ କଣ୍ଟା ରଥର ଚେଚିସ୍କୁ ମଜଭୁତ୍ କରେ । ଦଣ୍ଡା ଓ ଅଖକୁ ମିଶାଇ ଦୁଇଜଣ ଲୁହା ହାତୁଡ଼ି ପିଟି ଭୁଞ୍ଜାଇବା ପରେ କଣ୍ଟାର ନିମ୍ନ ଅଂଶକୁ ମୋଡ଼ି ଦିଆଯାଏ । ଦଣ୍ଡା କଣ୍ଟା ପଡ଼ିଲା ପରେ ପୋଖରିଆ ଓ ଘଡ଼ିମୁହଁ କଣ୍ଟା ପଡ଼ିଥାଏ । ଏହାଦ୍ୱାରା ରଥର ମୂଳଦୁଆ ଦଣ୍ଡା ବେଶ୍ ମଜଭୁତ ହୋଇଥାଏ କୁହନ୍ତି ଓଝା ସେବକ ।
ଏପଟେ ରଥ ଚାଳିରେ ନିର୍ମାଣକାରୀ ନିମଗ୍ନ ରଥ ନିର୍ମାଣରେ । ରଥ ଅମିନ ଲକ୍ଷ୍ମଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ରଥଖଳାକୁ କାଠ ଯୋଗାଉଛନ୍ତି । ଏହାପରେ ବିଶ୍ୱକର୍ମାମାନେ ମାପଚୁପ କରି ରଥର ଚଉତା ତିଆରୁଛନ୍ତି । ପ୍ରତି ରଥର ତିନୋଟି ଲେଖା ଭୂଇଁରେ ୧୨ଟି ଚଉତା କାଠ ରହିଥାଏ । ଏବେ ଚଉତା କାମ ଜାରି ରହିଛି। ତାଳଧ୍ୱଜର ଛଅ କାଠ ହାଣିବା ପୂର୍ବରୁ ମାପଚୁପ ହୋଇଥିବା ଜଣାଯାଇଛି । ଦଣ୍ଡାରେ ଚାରିନାହାକା ଉଠିବା ପରେ ଛଅ କାଠ ଉଠିବା ହେଉଛି ମୂଳ କାମ । ଏହା ଉପରେ ରଥର ତିନି ଭୂଇଁ ରହିବ । ଚାଳିରେ ସିଙ୍ଗଡ଼ା ପ୍ରସ୍ତୁତ ହୋଇରହିଛି । କେବଳ ପହି ପହଞ୍ଚିବାକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ରୂପକାରମାନେ ଗୁଜରେ ସିଂହମୂର୍ତ୍ତି ତିଆରି ସେସବୁ ଆହୁରି ଚିକ୍କଣ କରୁଛନ୍ତି । କରତକଳରେ କାଠ ପହଞ୍ଚିବା ବିଳମ୍ବରୁ ପହି ଚିରଟ ହୋଇ ଆସି ପାରୁନଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ :- Weather Alert: ୧୭ ଯାଏ ଘଡ଼ଘଡ଼ି ସହ ବର୍ଷା, ୬ ଜିଲ୍ଲାକୁ ଝଡ଼ ବର୍ଷା ନେଇ ଆଲର୍ଟ