ଭୁବନେଶ୍ବର, ୨୨/୦୫: ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ । ପୂର୍ବ ବର୍ଷର ଦଳଚକଟା ଘଟଣା ରିପିଟ୍ ନହେବାକୁ ମିଟିଂରେ ଗୁରୁତ୍ବ । କେମିତି ହେବ ଭିଡ଼ ନିୟନ୍ତ୍ରଣ । ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଭକ୍ତମାନେ କେଉଁ ପଟେ ପ୍ରବେଶ ଏବଂ କେଉଁ ରାସ୍ତାରେ ପ୍ରସ୍ଥାନ କରିବେ । ଏହାଛଡ଼ା ଦାରୁଦିଅଁଙ୍କ ଦର୍ଶନ କେତେ ସମୟ ଚାଲିବ ଏବଂ କେତେ ବେଳେ ଗୁଣ୍ଡିଚା ମନ୍ଦିର ପହଡ଼ ପଡିବ । ସେନେଇ ଆଜି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରଥଯାତ୍ରା ପ୍ରସ୍ତୁତି ବୈଠକରେ ହୋଇଛି ଆଲୋଚନା ।

ଏ ସମସ୍ତ ଘଟଣା ଉପରେ ଗୁରୁତ୍ବ ଦେବାକୁ ଦଇତାପତି ନିଯୋଗ ପରାମର୍ଶ ଦେଇଛି । ଏହାସହ ବୈଠକରେ ରଥଯାତ୍ରାର ପୁରା ପ୍ରସ୍ତୁତି ନେଇ ହୋଇଛି ଆଲୋଚନା । କେମିତି ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ଯେମିତି ସମସ୍ତ ରୀତିନୀତି ସମ୍ପନ୍ନ ହେବ, ସେବାବଦରେ ଦଇତାପତି ନିଯୋଗଙ୍କ ସହ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ଅର୍ଥାତ୍ ଆଜି ରାଜ୍ୟ ଅତିଥି ଭବନରେ ବିଭିନ୍ନ ସେବାୟତ ନିଯୋଗକୁ ଡାକି ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଝୀ ଏବଂ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।  

ଅଧିକ ପଢନ୍ତୁ- Low Pressure Zone: ଭିଜିବ ଓଡ଼ିଶା, ତାତିରୁ ମିଳିବ ମୁକ୍ତି, ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨୮ ଓ ୨୯ରେ ହୋଇପାରେ ବର୍ଷା