ନୂଆଦିଲ୍ଲୀ ; ୧୯/୧ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ପରାଜୟ ପରେ ଆରମ୍ଭ ହୋଇଛି କାରଣ ଖୋଜା । ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର । ଯେଉଁଥିରେ ସମାଲୋଚନାର ଶିକାର ହୋଇଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଜେଡା । ଲଗାତାର ଖରାପ ଫର୍ମ ଦେଇ ଗତି କରୁଛନ୍ତି ଜାଡେଜା । ୨୦୨୩ ଦିନିକିଆ ବିଶ୍ୱକପ୍ ପରଠାରୁ ରବିନ୍ଦ୍ର ଜାଡେଜାଙ୍କ ଫର୍ମ କ୍ରମାଗତ ଭାବରେ ହ୍ରାସ ପାଇଛି । ଦିନିକିଆ ଦଳରେ ଜାଡେଜାଙ୍କୁ ସ୍ଥାନ ମିଳିବା ଉଚିତ୍ କି ? ଏମିତି ଏକ ଚର୍ଚ୍ଚା ସୋସିଆଲ ମିଡିଆରେ ଜାରି ରହିଛି ।
ଦିନିକିଆରେ ୨୩୨ ୱିକେଟ୍ ଏବଂ ୨୯୦୫ ରନ୍ ସହିତ, ଜାଡେଜା ପ୍ରାୟ ୧୭ ବର୍ଷ ଧରି ଭାରତର ଦିନିକିଆ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି । ଅନକେ ମ୍ୟାଚରେ ଏକାକି ମ୍ୟାଚ ଜିତାଇଥିବା ଜାଡେଜା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ପୂର୍ବରୁ ଭାରତୀୟ ଦଳ ପାଇଁ ତାଙ୍କର ଅବଦାନ ଅନେକ ରହିଛି । ଟି-୨୦ରୁ ଅବସର ଘୋଷଣା କରିଥିବା ଜାଡେଜା ଟେଷ୍ଟ ଦଳର ନିୟମିତ ଖେଳାଳିଭାବେ ସ୍ଥାନ ପାଇପାରନ୍ତି । ମାତ୍ର ଦିନିକିଆରେ ତାଙ୍କୁ ଆଉ ସୁଯୋଗ ମିଳିନପାରେ ବୋଲି କୁହାଯାଉଛି ।
୨୦୨୩ ବିଶ୍ୱକପ୍ ଫାଇନାଲ୍ ପରଠାରୁ ଖେଳାଯାଇଥିବା ୧୩ଟି ଦିନିକିଆ ମ୍ୟାଚ୍ରେ ଜାଡେଜା ମାତ୍ର ୧୪୯ ରନ୍ କରିଛନ୍ତି, ଯାହାର ହାରାହାରି ୨୯.୮। ବ୍ୟାଟିଂରେ ବିଫଳ ହୋଇଥିବା ଜାଡେଜା ବୋଲିଂରେ ମଧ୍ୟ କୌଣସି ଚମତ୍କାର ଦେଖାଇ ପାରିନାହାନ୍ତି । ୧୩ଟି ମ୍ୟାଚ୍ରେ ସେ ମାତ୍ର ୧୨ଟି ୱିକେଟ୍ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଜାଡେଜାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଇନିଂସରେ ମୋଟ ୫୬ ରନ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜରେ କେବଳ ୪୩ ରନ କରିଛନ୍ତି । ସେ ଛଅଟି ମ୍ୟାଚରେ ମାତ୍ର ଗୋଟିଏ ୱିକେଟ ମଧ୍ୟ ନେଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ତାଙ୍କର ଅବଦାନ ପ୍ରାୟ ରହିନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦିନିକିଆରେ ଜାଡେଜାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ଥିଲା । ବିରାଟଙ୍କ ସହ ସେ ଯଦି ପାଳି ସମ୍ଭାଳିଥାନ୍ତେ ଦଳ ହୁଏତ ବିଜୟୀ ହୋଇତାନ୍ତା । ମାତ୍ର ସେ ନିରାଶ କରିଥିଲେ । ଏଣୁ ସେ ଆଗାମୀ ଦିନରେ ଦଳରେ ସ୍ଥାନ ପାଇନପାରନ୍ତି । ଓ୍ବାଶିଂଟନ୍ ସୁନ୍ଦର ଏବଂ ଅକ୍ଷର ପଟେଲଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। କୁହାଯାଉଛି କି, ଜାଡେଜାଙ୍କ ଦିନିକିଆ କ୍ୟାରିୟର ଏକପ୍ରକାର ଶେଷ ହୋଇଛି ।