କଥାରେ ଅଛି ଗରିବ କଂସାର ସାଥି ପିଆଜ। ଘରେ କିଛି ଥାଉ କିମ୍ବା ନଥାଉ ପଖାଳ ଓ ଲୁଣ, ପିଆଜ ହେଲେ ଗରିବ ଲୋକଟି ଖାଇ କାମ କରିବାକୁ ଯାଇଥାଏ। ପିଆଜ ଏମିତି ଏକ ପରିବା ଯାହା ଯାହା ବିନା ପିଆଜ ବିନା କୌଣସି ବି ତରକାରୀ ବା ଡ଼ାଲି ସ୍ବାଦିଷ୍ଟ ଲାଗେନି । ପିଆଜ କେବଳ ଖାଦ୍ୟର ସ୍ବାଦ ବଢାଏନି ଏଥିରେ ପୋଷକ ତତ୍ତ୍ବ ମଧ୍ୟ ଭରପୁର ମାତ୍ରାରେ ରହିଛି। ତେବେ ଆପଣ ଜାଣନ୍ତି କି ଖରାଦିନେ କଞ୍ଚା ପିଆଜ ଖାଇବା ଶରୀର ପାଇଁ କେତେ ଫାଇଦା । ଆସନ୍ତୁ ଜାଣିବା ।
ଖରାଦିନେ ପ୍ରାୟତ୍ଃ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ। କଞ୍ଚା ପିଆଜ ପାଚନ ଶକ୍ତି ବୃଦ୍ଧି କରେ। ଏଥିରେ ପ୍ରଚୁର ପରିମାଣର ଡାଏଟ୍ରି ଫାଇବର ଥାଏ, ଯାହା ପେଟକୁ ସଫା କରିଥାଏ। ଏହା ପେଟକୁ ଯେ କୌଣସି ପ୍ରକାରର ଜୀବାଣୁ ସଂକ୍ରମଣରୁ ରକ୍ଷା କରେ ଏବଂ ପାଚନ କ୍ରିୟାକୁ ମଜବୁତ କରେ।
କଞ୍ଚା ପିଆଜରେ ଭିଟାମିନ୍-ସି ଭରପୂର ଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। ଏଥିସହ ଏହା ଶରୀରକୁ ଭାଇରାଲ୍ ଏବଂ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ। ଏପରି ପରିସ୍ଥିତିରେ, ସାଲାଡରେ କଞ୍ଚା ପିଆଜକୁ ନିଶ୍ଚିତ ଭାବରେ ସାମିଲ କରନ୍ତୁ।
ସେହିପରି ପିଆଜରେ ସଲଫର ଏବଂ ଭିଟାମିନ ସି ଥାଏ । ଯାହା ତ୍ୱଚା ପାଇଁ ଲାଭଦାୟକ। ଏହା ଚର୍ମର ଜ୍ୱଳନ କମ କରିବାରେ ସାହାଯ୍ୟ କରିବା ସହ ବ୍ରଣ ହେବାରୁ ରୋକିଥାଏ। କଞ୍ଚା ପିଆଜ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ କ୍ରୋମିୟମ ସମେତ ଅନ୍ୟାନ୍ୟ ଉପାଦାନ ରହିଛି, ଯାହା ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ। ଏହା ଟାଇପ୍ ୨ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବିଶେଷ ଲାଭଦାୟକ ହୋଇପାରେ। ତେଣୁ ଆପଣ ଏବେଠାରୁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ କଞ୍ଚା ପିଆଜ ଖାଇବା ଆରମ୍ଭ କରିବା ଉଚିତ।