ନୂଆଦିଲ୍ଲୀ, ୩୦।୩: ଯଦି ଆପଣ ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଡେବିଟ୍-କ୍ରେଡିଟ୍ କାର୍ଡ ମାଧ୍ୟମରେ ଟଙ୍କା କେଣଦେଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ଏପ୍ରିଲ ୧, ୨୦୨୬ ରୁ ଭାରତରେ ଡିଜିଟାଲ୍ ପେମେଣ୍ଟ କରିବାର ଶୈଳୀରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ନୂଆ ନିୟମ ଲାଗୁ କରିଛନ୍ତି । ଏପ୍ରିଲ ୧ରୁ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି 'ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ' (2FA) ର ଅନିର୍ବାର୍ଯ୍ୟତା । ପୂର୍ବରୁ ଅନେକ ସମୟରେ କେବଳ ଓଟିପି (OTP) ଦେଲେ ପେମେଣ୍ଟ ହୋଇଯାଉଥିଲା, କିନ୍ତୁ ଏବେ ଆଉ ସେମିତି ହେବ ନାହିଁ । ଏଣିକି ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ଦୁଇ ପ୍ରକାରର ପରିଚୟ ବା ଭେରିଫିକେସନ ଜରୁରୀ ହେବ ।

ଏହା ବି ପଢ଼ନ୍ତୁ... ଇଣ୍ଟରନେଟ୍ ଦୁନିଆରେ ଜାପାନର ଚମତ୍କାର, ଚୁଟ୍କିରେ ଡାଉନଲୋଡ୍ ହେବ 'Netflix'ର ସବୁ ଫିଲ୍ମ !

ଓଟିପି ସହିତ ପିନ୍, ପାସୱାର୍ଡ କିମ୍ବା ଫିଙ୍ଗରପ୍ରିଣ୍ଟ୍ ବ୍ୟବହାର କରିବାକୁ ପଡ଼ିବ । ଅର୍ଥାତ୍, ଆପଣଙ୍କ ପେମେଣ୍ଟରେ ଏବେ ଏକ ଅଧିକ ସୁରକ୍ଷା ସ୍ତର ଯୋଡ଼ି ହେବ । ବର୍ତ୍ତମାନ ସମୟରେ ସାଇବର ଠକମାନେ ଫିସିଂ ଲିଙ୍କ୍, ନକଲି କଲ୍ କିମ୍ବା ସିମ୍ ସ୍ୱାପ୍ ଜରିଆରେ ଲୋକଙ୍କ ଓଟିପି ହାସଲ କରି ଟଙ୍କା ଲୁଟି ନେଉଛନ୍ତି । ଏଭଳି ସ୍ଥିତିରେ କେବଳ ଓଟିପି ଉପରେ ଭରସା କରିବା ବିପଜ୍ଜନକ ହୋଇପଡ଼ିଛି । ନୂଆ ନିୟମ ଅନୁସାରେ ଓଟିପି ଟୁ ଷ୍ଟେପ୍ ଭେରିଫିକେସନ ଠକାମିକୁ ରୋକିବାରେ ସାହାଯ୍ୟ କରିବ । ପେମେଣ୍ଟ କରିବା ସମୟରେ ଏବେ ସାମାନ୍ୟ ଅଧିକ ସମୟ ଲାଗିପାରେ, କାରଣ ଆପଣଙ୍କୁ ଗୋଟିଏ ଅଧିକ 'ଷ୍ଟେପ୍' ପୂରଣ କରିବାକୁ ହେବ ।

ଯଦି ଆପଣ କୌଣସି ନୂଆ ମୋବାଇଲରୁ ପେମେଣ୍ଟ କରୁଛନ୍ତି କିମ୍ବା ବଡ଼ ଅଙ୍କର ଟଙ୍କା ପଠାଉଛନ୍ତି, ତେବେ ଆପଣଙ୍କୁ ଅଧିକ ସୁରକ୍ଷା ଯାଞ୍ଚର ସାମ୍ନା କରିବାକୁ ପଡ଼ିପାରେ । ଯଦି ବ୍ୟାଙ୍କ ବା ପେମେଣ୍ଟ ସିଷ୍ଟମର ଭୁଲ୍ ଯୋଗୁଁ କୌଣସି ଠକାମି ହୁଏ, ତେବେ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ରହିବ । କେବଳ ଦେଶ ଭିତରେ ନୁହେଁ, ବରଂ ଇଣ୍ଟରନ୍ୟାସନାଲ ଟ୍ରାନଜାକ୍ସନ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଆରବିଆଇ ସୂଚନା ଅନୁସାରେ, ଅକ୍ଟୋବର ୨୦୨୬ ସୁଦ୍ଧା ସମସ୍ତ ଇଣ୍ଟରନ୍ୟାସନାଲ ଟ୍ରାନଜାକ୍ସନରେ ମଧ୍ୟ ଏହି ଟୁ-ଫ୍ୟାକ୍ଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ।