ନୂଆଦିଲ୍ଲୀ,୧୩/୦୨; ମାର୍ଚ୍ଚରୁ ଆରମ୍ଭ ହେବ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆସିଛି । ଘରୋଇ ମୈଦାନରେ ଆଇପିଏଲ ୨୦୨୬ ମ୍ୟାଚ ଖେଳିବ । କର୍ଣ୍ଣାଟକ ସରକାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ସର୍ତ୍ତମୂଳକ ଅନୁମୋଦନ ଦେଇଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ୨୦୨୬ରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେମାନଙ୍କର ଘରୋଇ ମ୍ୟାଚ୍ ଖେଳିବ । ଜୁନ୍ ୪, ୨୦୨୫ରେ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପ୍ରଥମ ଆଇପିଏଲ୍ ଟାଇଟଲ୍ ବିଜୟର ଉତ୍ସବ ସମୟରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବନ୍ଦ ହୋଇଯାଇଥିଲା । ସେଠାରେ କୌଣସି ମ୍ୟାଚ୍ ଖେଳାଯାଉ ନଥିଲା । ସେଠାରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ କି ନାହିଁ ସେ ବିଷୟରେ ମଧ୍ୟ ସସପେନ୍ସ ଥିଲା । ଏବେ ସବୁକିଛି ସ୍ପଷ୍ଟ ।

​​​​​​​ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି, ''ଯୁବକ ଏବଂ କ୍ରିକେଟର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ସରକାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆହୁରି ମ୍ୟାଚ୍ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।" ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅନୁମତି କଠୋର ସର୍ତ୍ତାବଳୀ ସହିତ ପ୍ରଦାନ କରାଯାଇଛି । ଏଥିରେ ଅନୁମୋଦିତ କ୍ଷମତା ପର୍ଯ୍ୟନ୍ତ ଟିକେଟ୍ ବିକ୍ରୟ ସୀମିତ କରିବା, ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ଫାଟକ ସ୍ଥାପନ କରିବା ଏବଂ ଆମ୍ବୁଲାନ୍ସ ନିୟୋଜିତ କରିବା ସମେତ ଜଷ୍ଟିସ୍ ମାଇକେଲ୍ ଡି'କୁନ୍ହା କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ । କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଭଲ ଖବର । ଗତ କିଛି ଦିନ ଧରି ହୋଇଥିବା ଅସୁବିଧା ଏବଂ ନିରାଶା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।  ଭବିଷ୍ୟତରେ ଆମକୁ ସତର୍କ ରହିବାକୁ ପଡିବ ।''

ଏହା ବି ପଢନ୍ତୁ...ନିପା ଭାଇରସରେ ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁ , ଟେଷ୍ଟ ନେଗେଟିଭ୍ ସତ୍ତ୍ୱେ ହୃଦଘାତରେ ଚାଲିଗଲା ନର୍ସଙ୍କ ଜୀବନ