ନୂଆଦିଲ୍ଲୀ : ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ପରେ ମଙ୍ଗଳବାର ମଧ୍ୟ ସେହି ସମୟରେ ଆତଙ୍କ ଖେଳି ଯାଇଥିଲା ,ଯେତେବେଳେ ରାଜଧାନୀର ଭୋଗଲ ଅଞ୍ଚଳରେ ବିସ୍ଫୋରକ ଆରଡିଏକ୍ସ ମିଳିବା ଖବର ବ୍ୟାପି ଯାଇଥିଲା। ସୌଭାଗ୍ୟ ଯେ, ଯାଞ୍ଚରେ କୌଣସି ବିପଦ ସୃଷ୍ଟି ଭଳି କୌଣସି ଜିନିଷ ମିଳି ନଥିଲା।ଜମ୍ମୁ-କାଶ୍ମୀରର ନମ୍ୱର ପ୍ଲେଟ୍ ଥିବା ଏକ କାର ଦେଖିବା ପରେ ପୁଲିସକୁ ବିସ୍ଫୋରକ ମିଳିବାର ସୂଚନା ଦିଆଯାଇ ଥିଲା।

ଦିଲ୍ଲୀ ପୁଲିସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବଦିଲ୍ଲୀର ଭୋଗଲ ଅଞ୍ଚଳରୁ କେହି ଫୋନ୍ରେ ଆରଡିଏକ୍ସ ମିଳିବାର ସୂଚନା ଦେଇଥିଲା। ସୂଚନା ମିଳିବା କ୍ଷଣି ଆତଙ୍କ ଖେଳିଯାଇ ଥିଲା। ପୁଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି, ଯେଉଁ କାରରେ ବିସ୍ଫୋରକ ଥିବାର କୁହାଯାଉ ଥିଲା , ତାକୁ ଯାଞ୍ଚ କରିଥିଲା। ଏହାପରେ ପୁଲିସ ଆଶ୍ୱସ୍ତିର ନିଃଶ୍ୱାସ ନେଇଥିଲା।

ଦିଲ୍ଲୀ ପୁଲିସ କହିଛି ଯେ, କାରରେ କିଛି ବି ସନ୍ଦିଗ୍ଧ ଜିନିଷ ମିଳି ନଥିଲା। କେହି ଜମ୍ମୁ-କାଶ୍ମୀର ରେଜିଷ୍ଟ୍ରେସନ ଥିବା ନମ୍ୱର ପ୍ଲେଟ୍କୁ ଦେଖି ପୁଲିସକୁ ସୂଚନା ଦେଇଥିଲା। ଯାଞ୍ଚରେ ଜଣାପଡ଼ିଛି ଯେ, କାର ପଛ ଭାଗରେ କାରପେଟ୍ ରଖାଯାଇ ଥିଲା। କାର ମାଲିକଙ୍କ ପରିଚୟ ମିଳିଛି।