ମାଲକାନଗିରି,୬/୨ : ମାଲକାନଗିରି ଥାନାସ୍ଥ ଏମଭି୧୬ ଗ୍ରାମର ଯୁବକ ଉତ୍ତମ ବିଶ୍ୱାସ (୩୫) ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଗତକାଲିଠାରୁ ଖୋଦ ଏସପି, ଏସଡିପିଓ, ଥାନା ଅଧିକାରୀ ଓ ପୁଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ରହି ତନାଘନା ଚଳାଇଛନ୍ତି । ମୃତଦେହ ଦୁଇ ଦିନ ହେବ ଜବତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହତ୍ୟାକାରିର ଟେର ପାଉନାହିଁ ପୁଲିସ।
ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଏମଭି ୧୬ଗ୍ରାମର ଯୁବକ ଉତ୍ତମ ବିଶ୍ୱାସ(୩୫) ବୁଧବାର ମୋଟର ସାଇକେଲ ଯୋଗେ ଘରୁ ବାହାରକୁ ଯାଇଥିଲେ । ସନ୍ଧ୍ୟା ଯାଇ ରାତ୍ର ହେଲା ହେଲେ ଉତ୍ତମ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଭାବିଥିଲେ ମାଲ୍ୟବନ୍ତ ମହୋତ୍ସବକୁ ଚାଲିଯାଇଥିବେ । ମାତ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ । ହେଲେ କିଛି ପତ୍ତା ମିଳି ନ ଥିଲା ।
ଗୁରୁବାର ସକାଳେ ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଏମଭି ୧୬ଗ୍ରାମ ନିକଟ କେନ୍ଦୁପତ୍ର ଗୋଦାମ ନିକଟରେ ଜଣେ ଯୁବକର ମୃତଦେହ ପେଟେଇ ହୋଇପଡ଼ିଥିବା କିଛି ଲୋକେ ଦେଖି ଗାଁରେ ଜଣାଇବା ସହ ମାଲକାନଗିରି ଥାନାକୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଖୋଦ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ, ଏସଡିପିଓ ଦିବ୍ୟରଞ୍ଜନ ଦଳେଇ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ, ପୁଲିସ ସଦଳ ବଳ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରି ଦେଇଥିଲେ । ଅଧିକ ତଦନ୍ତ ଲାଗି କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ଡାକି ତଦନ୍ତ ଆରମ୍ଭ କରି ଦେଇଥିଲେ । କିଏ କାହିଁକି ତାଙ୍କୁ ଏମିତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଛି, ଏହାର ଉଚ୍ଚତର ତଦନ୍ତ କରି ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଓ ଗ୍ରାମବାସୀ ଦାବି କରିଛନ୍ତି । ମୃତ ଉତ୍ତମର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାର ତଦନ୍ତ ଜୋରଦାର ଚାଲିଛି, ଖୁବଶୀଘ୍ର ଅପରାଧୀକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି।