ନୂଆଦିଲ୍ଲୀ,୮।୬:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରଠାରୁ ତୃଣମୂଳ କଂଗ୍ରେସ ବା ଟିଏମ୍‌ସିର ସ୍ଥିତି ଖରାପ ହେବାରେ ଲାଗିଛି। ସବୁଠି ବିଦ୍ରୋହ ଏବଂ ଇସ୍ତଫାର ସାମ୍ନା କରୁଛନ୍ତି ଦଳ ସୁପ୍ରିମୋ ମମତା ବାନାର୍ଜୀ । ପ୍ରଥମେ, ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ସୋମବାର ତାଙ୍କ ସଦସ୍ୟତା ସହିତ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ତୃଣମୂଳର ୧୪ ସାଂସଦ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଦିଲ୍ଳୀରେ ଭେଟିଛନ୍ତି। ଏହି ବୈଠକ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ହୋଇଥିବା ଜଣାପଡ଼ିଛି। ଫଳସ୍ୱରୂପ, ଦଳ ଏକ ବଡ଼ ବିଭାଜନର ଆଶଙ୍କାର ସମ୍ମୁଖୀନ ହେଉଛି।

ଏହି ବୈଠକରେ ବିଜେପି ନେତା ଓ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ମଧ୍ୟ ଉପସ୍ଥିତ ଥିଲେ। ସୁତ୍ରର ସୂଚନା ଅନୁସାରେ, ଟିଏମ୍‌ସିର ୫ ବିଦ୍ରୋହୀ ସାଂସଦ ସୋମବାରଯ ସକାଳେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଅଧିକାରୀଙ୍କ ଘରେ ଉପସ୍ଥିତ ଥିଲେ। ମଧ୍ୟାହ୍ନ ୧ଟା ବେଳେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ତାଙ୍କ ଘରକୁ ଯାଇଥିଲେ। ଏହା ଭିତରେ ଦାବି କରାଯାଉଛି ଯେ, ମୋଟ ୧୪ ବିଦ୍ରୋହି ସାଂସଦ ଶୁଭେନ୍ଦୁଙ୍କୁ ସାକ୍ଷାତ କରିଥିଲେ। ମଧ୍ୟାହ୍ନ ୨ଟା ପରେ ଭୂପେନ୍ଦ୍ରଙ୍କ ଘରୁ ବାହାରିଥିଲେ ଶୁଭେନ୍ଦୁ।

ଏହି ଘଟଣା ପୂର୍ବରୁ, ୫  ଟିଏମସି ସାଂସଦ ସୁଖେନ୍ଦୁ ଶେଖରଙ୍କୁ ଭେଟିଥିଲେ, ଯିଏକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଏହି ବୈଠକ ଦିଲ୍ଲୀରେ ହୋଇଥିଲା। ସୁଖେନ୍ଦୁ ଶେଖରଙ୍କୁ ଭେଟିଥିବା ସାଂସଦମାନଙ୍କ ମଧ୍ୟରେ ପୂର୍ବ ବର୍ଦ୍ଧମାନର ସାଂସଦ ଶର୍ମିଲା ସରକାର, ହାୱଡା ସାଂସଦ ପ୍ରସୁନ ବାନାର୍ଜୀ, କୁଚବିହାର ସାଂସଦ ଜଗଦୀଶ ବାସୁନିଆ, ଝାରଗ୍ରାମ ସାଂସଦ କାଳିପଦ ସୋରେନ ଏବଂ ବାଙ୍କୁରା ସାଂସଦ ଅରୂପ ଚକ୍ରବର୍ତ୍ତୀ ଥିଲେ।

ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ଆଜି (ସୋମବାର) ରାଜ୍ୟସଭା ଏବଂ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ସମୟ ମଧ୍ୟରେ ପାଞ୍ଚ ଜଣ ଟିଏମସି ସାଂସଦ ତାଙ୍କୁ ଭେଟିଥିଲେ। ଆଗକୁ ଆହୁରି ସାଂସଦ ଦଳ ଛାଡିବାର ଚର୍ଚ୍ଚା ହେଉଛି।  ଯଦି ଦେଖିବା ତେବେ ଟିଏମସି ସାଂସଦମାନଙ୍କ ମଧ୍ୟରେ ପୂର୍ବରୁ ବିଭାଜନ ହୋଇସାରିଛି। ତୃଣମୂଳ କଂଗ୍ରେସ ବିଧାୟକଙ୍କ ଉପରେ ମମତା ବାନାର୍ଜୀଙ୍କ ନିୟନ୍ତ୍ରଣ ଦୁର୍ବଳ ହେବା ସହିତ, ଦଳର ସଂସଦୀୟ ଶିବିର ଏବେ ଆଉ ଏକ ଝଟକା ପାଇଛି।