ଭୁବନେଶ୍ୱର, ୦୭/୦୪ : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଜରାଇକେଲା ଥାନାଞ୍ଚଳ । ସରଣ୍ଡା ଜଙ୍ଗଲର ବାବୁଡେରା ଠାରେ ସୋମବାର ପୂର୍ବାହ୍ନରେ ମାଓବାଦୀ କରିଛନ୍ତି ଆଇଡି ବିସ୍ଫୋରଣ । ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ସୋମବାରର ଏହି ଘଟଣା ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଚିନ୍ତାରେ ପକାଇଛି । ଦେଶ ଲାଲ ଆତଙ୍କରୁ ପ୍ରାୟ ମୁକ୍ତ ହୋଇସାରିଛି । ୨୦୨୬ ମାର୍ଚ୍ଚ ୩୧ ତାରିଖ ଥଲା ଏହି ସଫଳତା ହାସଲ କରିବାର କଣ୍ଟ । କଣ୍ଟ ପୂରି ଯାଇଛି । କିନ୍ତୁ ଏକ ଗୁଇନ୍ଦା ରିପୋର୍ଟ ପାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତନାଘନା ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ଆଉ କୌଣସି ବଡ଼ ମାଓ ନେତା ସକ୍ରିୟ ନାହାନ୍ତି । ଛତିଶଗଡ଼ରେ ଯେଉଁ ହାତଗଣତି ଅଛନ୍ତି ସେମାନଙ୍କ ନିକଟରେ କ୍ୟାଡର ନାହାନ୍ତି । କିନ୍ତୁ ଚିନ୍ତାର କେନ୍ଦ୍ର ହୋଇଛି ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲ । ଏଠାରେ ଦୁଇଜଣ ଦୁର୍ଦ୍ଦାନ୍ତ ମାଓ ନେତା ମିସିର ବେଶ୍ରା ଏବଂ ଅସୀମ ମଣ୍ଡଳ ଏବେ ବି ସକ୍ରିୟ । ପାଖରେ ଅଛି ଯଥେଷ୍ଟ ଅସ୍ତ୍ରଶସ୍ତ୍ର, ଅର୍ଥ ଏବଂ ବିସ୍ଫୋରକ । ସାଙ୍ଗରେ ଅଛନ୍ତି ୪୫ରୁ ୫୦ ଦୁର୍ଦ୍ଦାନ୍ତ କ୍ୟାଡର । ଉଭୟ ସିପିଆଇମାଓବାଦୀ ପଲିଟବ୍ୟୁରୋ ନେତା ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ।ଉଭୟଙ୍କ ମୁଣ୍ଡରେ ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ରହିଛି । ଝାଡ଼ଖଣ୍ଡ ପୁଲିସର ସୂଚନାନୁସାରେ ଏହି ମାଓବାଦୀମାନେ ରାଇକେଲା, ଥଲକୋବାଦ, ବାବୁଡେରା, ତିରିଲିପୋଷି, ତୁଲସୀକାନି ଏବଂ ଛୋଟନାଗରା ଅଞ୍ଚଳରେ ଘୁରି ବୁଲୁଛନ୍ତି । ଯବାନଙ୍କ କମ୍ବିଂ ବଢ଼ିଥିବାରୁ ଏମାନେ ପ୍ରାୟ ୬ଟି ଗ୍ରୁପ ହୋଇ ଘଞ୍ଚ ଜଙ୍ଗଲରେ ଆଡା ଜମାଇଛନ୍ତି । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି କ୍ୟାଡରମାନେ ଯେକୌଣସି ବଡ଼ ଅଘଟଣ ଘଟାଇବାକୁ ସକ୍ଷମ । ଖଣି ଅଞ୍ଚଳ ହୋଇଥିବାରୁ ଏମାନେ ବିପୁଳ ବିସ୍ଫୋରକ ମହଜୁଦ ରଖିଛନ୍ତି ।

ଇତି ମଧ୍ୟରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନଆଇଏ ଝାଡ଼ଖଣ୍ଡ ପୁଲିସର ସ୍ପେଶାଲ ବ୍ରାଞ୍ଚକୁ ଏକ ଚିଠି ଦେଇଛି । ମିସିର ବେସ୍ରା ଏବଂ ୬ ଜଣ ସହଯୋଗୀ ରୀତା, ରଜନୀ, ସୁନିତା, ସୋହନ ଏବଂ ସନ୍ଦୀପଙ୍କ ଜାତକ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମାନଙ୍କ ପରିବାର ଏବଂ ସରଣ୍ଡା ମାଓବାଦୀଙ୍କ ଅର୍ଥର ସ୍ରୋତ ବାବଦରେ ସବିଶେଷ ତଥ୍ୟ ଯୋଗାଡ଼ କରିବାକୁ ତାଗିଦ କରାଯାଇଛି । ଝାଡ଼ଖଣ୍ଡ ପୁଲିସ ୪୯ ଜଣ ମାଓବାଦୀଙ୍କ ତାଲିକା ମଧ୍ୟ ଜାରି କରିଛି, ଯେଉଁଥିରୁ ଜଣେ ଆତ୍ମସମର୍ପଣ କରିସାରିଛି । ଏମାନଙ୍କ ମୁଣ୍ଡରେ ୧ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି । ଏମାନେ ସମସ୍ତେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବାସିନ୍ଦା । କ୍ୟାଡରଙ୍କ ବାବଦରେ ତଥ୍ୟ ଜଣାଇବାକୁ ହୋ, ମୁଣ୍ଡାରି ଓ ସାନ୍ତାଳି ଭାଷାରେ ପୋଷ୍ଟର ଜଙ୍ଗଲ ଭିତର ଗ୍ରାମଗୁଡ଼ିକରେ ପୁଲିସ ଲଗାଇଛି । ସିଆରପିଏଫ, କୋବ୍ରା,ଝାଡ଼ଖଣ୍ଡ ଜାଗୁଆର ଏବଂ ଝାଡ଼ଖଣ୍ଡ ସ୍ପେଶାଲ ଫୋର୍ସର ୧୫ ହଜାରରୁ ଅଧିକ ଯବାନ କମ୍ବିଂ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ ସରଣ୍ଡାର ବିଭିନ୍ନ ଷ୍ଟ୍ରାଟେଜିକ ପଏଣ୍ଟରେ କ୍ୟାମ୍ପ କରିଛନ୍ତି । ହେଲିକପ୍ଟର ଓ ଡ୍ରୋନ ସହାୟତା ନିଆଯାଇଛି । ଘଞ୍ଚ ଜଙ୍ଗଲକୁ ତନ୍ନ ତନ୍ନ କରି ଅନୁଧ୍ୟାନ ସକାଶେ ଇସ୍ରୋର ସହାୟତା ମଧ୍ୟ ନିଅଯାଇଛି ।

ଉଲ୍ଲେଖଯୋଗ୍ୟ, ୬୨ ବର୍ଷୀୟ ମିସିର ବେସ୍ରା ଓରଫ ଭାସ୍କର, ସନିଲ, ବିବେକ ଓରଫ ସୁନିର୍ମଳ ଓରଫ ସାଗର ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲାର ବାସିନ୍ଦା । ଧାନବାଦର ଏକ କଲେଜରେ ସ୍ନାତକ ପାଠ ଶେଷ କରିବା ପରେ ୧୯୮୦ ମସିହା ବେଳକୁ ସେ ମାଓ ସଂଗଠନରେ ସାମିଲ ହୋଇଥିଲା ଏବଂ ତା’ ପରଠାରୁ ଘରକୁ ଫେରି ନାହିଁ । ଅନେକ ବଡ଼ ହିଂସାର ମାଷ୍ଟରମାଇଣ୍ଡ ମିସିର ବେସ୍ରା ଏକାଧିକ ବାର ଯବାନଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଛି । ସେ ନିଜର ନୂଆ ନାମ ‘ପ୍ରଧାନ’ ଘୋଷଣା କରି ବିଶ୍ୱସ୍ତ ଅନୁଗତଙ୍କ ସହ ସରଣ୍ଡାରେ ସକ୍ରିୟ ରହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ବିଳି ବିଳୋଉଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ, କୋଲକାତା ଉପରେ ଆକ୍ରମଣ ଧମକ ପରେ ରାଗିଗଲେ TMC ସାଂସଦ, କହିଲେ ଘରେ ପଶି ମାରିବୁ...