ମୁମ୍ବାଇ,୧୪/୦୨: ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତୀୟ ପୁଞ୍ଜି ବଜାରରେ ଦେଖିବାକୁ ମିଳିଛି ପତନ । ଆଇଟି ସେୟାରଗୁଡ଼ିକ ମୂଲ୍ୟରେ ବୃହତ୍ ହ୍ରାସ ଯୋଗୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସ ୧,୦୪୮ ପଏଣ୍ଟ ଅର୍ଥାତ ୧.୨୫% ଖସି ୮୨,୬୨୬.୭୬ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି ୫୦ ସୂଚକାଙ୍କ ବି ୩୩୬ ପଏଣ୍ଟ ଅର୍ଥାତ୍ ୧.୩% ହ୍ରାସ ସହିତ ୨୫,୪୭୧.୧୦ ପଏଣ୍ଟରେ ବନ୍ଦ ହୋଇଛି । ଏହି ହ୍ରାସ ଦ୍ୱାରା ବିଏସ୍ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ମୂଲ୍ୟ ପ୍ରାୟ ୭.୪ ଲକ୍ଷ କୋଟି ଟଙ୍କା ଖସିଯାଇଛି । ଫଳରେ ଏହା ୪୬୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି ।
ଲଗାତର ଦ୍ୱିତୀୟ ଦିନରେ ଆଇଟି ସେୟାରଗୁଡ଼ିକରେ ବୃହତ୍ ହ୍ରାସ ଦେଖିବାକୁ ମିଳିଛି । କାରବାର ଆରମ୍ଭରେ ଆଇଟି ସୂଚକାଙ୍କ ୫% ଖସିଯାଇଥିଲା । ସେନ୍ସେକ୍ସର ୩୦ ସେୟାର ମଧ୍ୟରୁ ୨୬ଟି ରେ ହ୍ରାସ ଘଟିଛି । ଏଚ୍ୟୁଏଲ୍, ଇଟର୍ନାଲ, ଟାଟା ଷ୍ଟିଲ୍, ଟାଇଟନ୍, ଆଦାନି ପୋର୍ଟସ ଏବଂ ରିଲାଏନ୍ସର ସେୟାର ମୂଲ୍ୟରେ ୪.୫% ପର୍ଯ୍ୟନ୍ତ ହ୍ରାସ ଘଟିଛି । ଆଇଟି ପ୍ୟାକ୍ରେ ଇନ୍ଫୋସିସ୍, ଟିସିଏସ୍, ଏଚ୍ସିଏଲ୍ ଟେକ୍ ଏବଂ ୱିପ୍ରୋ ଆଦି କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବଡ଼ ହ୍ରାସ ଘଟିଛି । ଏହାପୂର୍ବରୁ ଗୁରୁବାର ସେନ୍ସେକ୍ସରେ ୫୫୯ ପଏଣ୍ଟ୍ର ହ୍ରାସ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ, ନିଫ୍ଟି ୧୪୬.୬୫ ପଏଣ୍ଟ ଖସିଥିଲା ।
ଆହୁରି ପଢ଼ନ୍ତୁ :- ଭୟଭୀତ କରି ଆଉ ଆଦାୟ ହେବନି ଋଣ, ରିକଭରି ଏଜେଣ୍ଟଙ୍କ ଖରାପ ବ୍ୟବହାର ପାଇଁ ଦାୟୀ ରହିବେ ବ୍ୟାଙ୍କ
ନିଫ୍ଟି ଆଇଟି ସୂଚକାଙ୍କରେ ଦୁଇ ଦିନରେ ପ୍ରାୟ ୧୦% ହ୍ରାସ ଘଟିଛି । ଧାତବ ଏବଂ ଶକ୍ତି କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ବି ହ୍ରାସ ଦେଖିବାକୁ ମିଳିଛି । ଆମେରିକାରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ଜଡ଼ିତ ଚିନ୍ତା ବଢ଼ିଯାଇଛି । ଲୋକେ ଭୟ କରୁଛନ୍ତି ଯେ, ନୂଆ ଏଆଇ ଟୁଲ୍ ଗୁଡ଼ିକ ପାରମ୍ପରିକ ଆଇଟି ସେବାର ବ୍ୟବସାୟକୁ ପ୍ରଭାବିତ କରିପାରେ । ଏହି କାରଣରୁ ଆମେରିକାରେ ଏଆଇ ଷ୍ଟକ୍ଗୁଡ଼ିକୁ ବିପୁଳ ମାତ୍ରାରେ ବିକ୍ରି କରି ଦେଉଛନ୍ତି ନିବେଶକ । ଆମେରିକା ବଜାରରେ ହ୍ରାସର ପ୍ରଭାବ ଭାରତର ଆଇଟି ଶିଳ୍ପ କ୍ଷେତ୍ରରେ ଦେଖିବାକୁ ମିଳିଛି କାରଣ ଏହି କମ୍ପାନିଗୁଡ଼ିକ ଆମେରିକୀୟ କ୍ଲାଏଣ୍ଟଗୁଡ଼ିକଠାରୁ ସବୁଠୁ ଅଧିକ ଆୟ କରିଥାନ୍ତି । ଆଇଟି ସେୟାରଗୁଡ଼ିକ ଖସିବା ଫଳରେ ସମ୍ପୂର୍ଣ୍ଣ ପୁଞ୍ଜି ବଜାର ଚାପରେ ଅଛି । ଆମେରିକା ଏବଂ ଏସୀୟ ବଜାରଗୁଡ଼ିକରେ ପତନ ଦେଖିବାକୁ ମିଳିଛି ।