ଅହମ୍ମଦାବାଦ,୨୬/୦୭: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୨୬ ଜଣଙ୍କ ଅଙ୍ଗର ପୁଣିଥରେ ଅନ୍ତିମ ସଂସ୍କାର କରାଯାଇଛି । ସେଥିରୁ ୭ ଜଣଙ୍କ ଅବଶେଷକୁ ପରିବାର ଲୋକେ ଶେଷକୃତ୍ୟ ପାଇଁ ନେଇଛନ୍ତି ଏବଂ ଅନ୍ୟ ୧୯ ଜଣଙ୍କ ଅବଶେଷକୁ ହସ୍ପିଟାଲ ପ୍ରଶାସନ ଗାତଖୋଳି ପୋତି ଦେଇଛି । ଏସବୁ ଅଙ୍ଗପ୍ରତ୍ୟଙ୍ଗ ବିମାନର ଭଗ୍ନାବଶେଷ ହଟାଯିବା ପରେ ମିଳିଥିଲା ।
ଡିଏନ୍ଏ ପରୀକ୍ଷାରୁ ଜଣାପଡିଥିଲା କି ଏହି ଲୋକମାନଙ୍କ ଅବଶେଷକୁ ପୂର୍ବରୁ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇସାରିଛି । ତଥା ସରକାରୀ ସିଭିଲ ହସ୍ପିଟାଲ ପକ୍ଷରୁ ପୁଣିଥରେ ସେମାନଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରାଯାଇଥିଲା । କୁହାଯାଇଥିଲା କି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କିଛି ଅଙ୍ଗପ୍ରତ୍ୟଙ୍ଗ ମିଳିଛି । ତାକୁ ଯଦି ନେଇ ପୁଣିଥରେ ଅନ୍ତିମ ସଂସ୍କାର କରିବାକୁ ଚାହାନ୍ତି ତେବେ ହସ୍ପିଟାଲକୁ ଆସନ୍ତୁ । ଯଦି ନ ଆସିବେ ତେବେ ହସ୍ପିଟାଲ ପକ୍ଷରୁ ସେଗୁଡିକର ଅନ୍ତିମ ସଂସ୍କାର କରିଦିଆଯିବ । ଟେଲିଫୋନ୍ ପାଇବା ପରେ ୭ଜଣଙ୍କ ପରିବାର ବର୍ଗ ଆସି ଜଳିଯାଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ନିଜ ଘରକୁ ନେଇଯାଇଥିଲେ ।
ଜୁନ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ କରିବାର ୬୦ ସେକେଣ୍ଡ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ଯୋଗୁ ଦୁର୍ଘଟଣା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ଯାତ୍ରୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଛଣ୍ଡି ଯାଇଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣ ଯାତ୍ରୀଙ୍କ ସମେତ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିଲା`