ଅହମ୍ମଦାବାଦ,୨୬/୦୭:  ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ  ହରାଇଥିବା ଲୋକଙ୍କ ମଧ୍ୟରୁ ୨୬ ଜଣଙ୍କ ଅଙ୍ଗର ପୁଣିଥରେ ଅନ୍ତିମ ସଂସ୍କାର କରାଯାଇଛି ।  ସେଥିରୁ ୭ ଜଣଙ୍କ ଅବଶେଷକୁ ପରିବାର  ଲୋକେ ଶେଷକୃତ୍ୟ ପାଇଁ ନେଇଛନ୍ତି ଏବଂ  ଅନ୍ୟ ୧୯ ଜଣଙ୍କ ଅବଶେଷକୁ ହସ୍ପିଟାଲ ପ୍ରଶାସନ ଗାତଖୋଳି ପୋତି ଦେଇଛି । ଏସବୁ ଅଙ୍ଗପ୍ରତ୍ୟଙ୍ଗ ବିମାନର ଭଗ୍ନାବଶେଷ  ହଟାଯିବା ପରେ ମିଳିଥିଲା । 

ଡିଏନ୍‌ଏ  ପରୀକ୍ଷାରୁ ଜଣାପଡିଥିଲା କି ଏହି ଲୋକମାନଙ୍କ ଅବଶେଷକୁ ପୂର୍ବରୁ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇସାରିଛି । ତଥା ସରକାରୀ ସିଭିଲ ହସ୍ପିଟାଲ ପକ୍ଷରୁ ପୁଣିଥରେ ସେମାନଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ  କରାଯାଇଥିଲା । କୁହାଯାଇଥିଲା କି ଦୁର୍ଘଟଣାରେ  ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କିଛି ଅଙ୍ଗପ୍ରତ୍ୟଙ୍ଗ  ମିଳିଛି । ତାକୁ ଯଦି ନେଇ ପୁଣିଥରେ ଅନ୍ତିମ  ସଂସ୍କାର କରିବାକୁ ଚାହାନ୍ତି ତେବେ ହସ୍ପିଟାଲକୁ  ଆସନ୍ତୁ । ଯଦି ନ ଆସିବେ ତେବେ ହସ୍ପିଟାଲ ପକ୍ଷରୁ ସେଗୁଡିକର ଅନ୍ତିମ ସଂସ୍କାର  କରିଦିଆଯିବ । ଟେଲିଫୋନ୍‌ ପାଇବା ପରେ  ୭ଜଣଙ୍କ ପରିବାର ବର୍ଗ ଆସି ଜଳିଯାଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ନିଜ ଘରକୁ ନେଇଯାଇଥିଲେ ।  

ଜୁନ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ  ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ  ଉଡାଣ କରିବାର ୬୦ ସେକେଣ୍ଡ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା  ୧.୨୫ ଲକ୍ଷ ଲିଟର ଇନ୍ଧନ ଯୋଗୁ ଦୁର୍ଘଟଣା  ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ  ଯାତ୍ରୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଛଣ୍ଡି ଯାଇଥିଲା । ଏହି  ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ  ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣ ଯାତ୍ରୀଙ୍କ ସମେତ  ୨୭୫ ଜଣଙ୍କ ମୃତ୍ୟୁ ହୋଇଥିଲା`