ନୂଆଦିଲ୍ଲୀ, ୧୩।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ କବଜା କରିବା ନେଇ ଚର୍ଚ୍ଚାରେ । ଟ୍ରମ୍ପ ଦୀର୍ଘଦିନ ଧରି ଗ୍ରୀନଲ୍ୟାଣ୍ଡକୁ ଆମେରିକାର ଅଧୀନକୁ ଆଣିବା ଲାଗି ଇଚ୍ଛା ପ୍ରକାଶ କରୁଥିଲେ । ଏବେ ତାଙ୍କ ରାଜନୈତିକ ଦଳ ରିପବ୍ଲିକନ୍ ପାର୍ଟି ଏହି ଦିଗରେ ପାଦେ ଆଗେଇଛି । ରିପବ୍ଲିକନ ସାଂସଦ ର୍ୟାଣ୍ଡି ଫାଇନ୍ ସୋମବାର ଆମେରିକୀୟ ସଂସଦରେ ‘ଗ୍ରୀନଲ୍ୟାଣ୍ଡ ଏନେକ୍ସେସନ ଆଣ୍ଡ ଷ୍ଟେଟହୁଡ୍ ଆକ୍ଟ’ ନାମରେ ଏକ ବିଲ୍ ଆଗତ କରିଛନ୍ତି । ଏହି ବିଲ୍ ଅନୁଯାୟୀ, ଗ୍ରୀନଲ୍ୟାଣ୍ଡକୁ ଆମେରିକା ଅଧୀନରେ ନେବା ଓ ଭବିଷ୍ୟତରେ ଏହାକୁ ଆମେରିକାର ଏକ ରାଜ୍ୟ କରିବା ପାଇଁ ଆଇନଗତ ଅଧିକାର ଦିଆଯିବ ।
ଟ୍ରମ୍ପ ସମର୍ଥକଙ୍କ ଯୁକ୍ତି:
ଏହି ବିଲ୍କୁ ସମର୍ଥନ କରୁଥିବା ଲୋକମାନେ କହୁଛନ୍ତି ଯେ, ଆର୍କଟିକ ଅଞ୍ଚଳରେ ଚୀନ୍ ଓ ରୁଷର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ ଗ୍ରୀନଲ୍ୟାଣ୍ଡ ଆମେରିକା ପାଇଁ ଅତ୍ୟନ୍ତ ଜରୁରୀ । ବିଲ୍ ପାସ୍ ହେଲେ, ରାଷ୍ଟ୍ରପତିଙ୍କୁ ଗ୍ରୀନଲ୍ୟାଣ୍ଡ ନେଇ ଆଲୋଚନା କିମ୍ବା ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେବାର ପୂର୍ଣ୍ଣ ଅଧିକାର ମିଳିବ । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ସୁରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବେଜିଙ୍ଗ ଓ ମସ୍କୋ ସହ ବିଶ୍ୱ ପ୍ରତିଯୋଗିତାକୁ ଦେଖି ଆମେରିକାକୁ ଏହି ଦ୍ୱୀପ ଦରକାର ବୋଲି ସେ ଦାବି କରିଛନ୍ତି । ଆମେରିକୀୟ ପ୍ରଶାସନ ଗ୍ରୀନଲ୍ୟାଣ୍ଡ ଲୋକଙ୍କୁ ଆମେରିକା ସହ ଯୋଗ ଦେବାକୁ ରାଜି କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା ବିଷୟରେ ମଧ୍ୟ ଚିନ୍ତା କରୁଛି ।
ଡେନମାର୍କ ଓ ଗ୍ରୀନଲ୍ୟାଣ୍ଡର କଠୋର ପ୍ରତିକ୍ରିୟା:
ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସନ୍ ସଫା ସଫା କହିଛନ୍ତି ଗ୍ରୀନଲ୍ୟାଣ୍ଡ ବିକ୍ରି ପାଇଁ ନୁହେଁ । ଗ୍ରୀନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେନ୍ସ-ଫ୍ରେଡରିକ ନିଲସନ୍ ମଧ୍ୟ ଆମେରିକାର ଏଭଳି ବକ୍ତବ୍ୟକୁ ଅସ୍ୱୀକାର କରିଛନ୍ତି । ଅନ୍ୟପଟେ ୟୁରୋପୀୟ ଦେଶମାନେ ଡେନମାର୍କକୁ ସମର୍ଥନ କରି କହିଛନ୍ତି ଯେ, ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ସେଠାକାର ଲୋକମାନେ ନିଷ୍ପତ୍ତି ନେବେ । ନରୱେ, ସ୍ୱିଡେନ, ଫିନଲ୍ୟାଣ୍ଡ ଓ ଫ୍ରାନ୍ସ ସ୍ପଷ୍ଟ କରିଛନ୍ତି ଯେ, ଏହି ଦ୍ୱୀପ କାହାର ବିଜୟ ପାଇଁ ନୁହେଁ ।
୫୭ ହଜାର ଲୋକଙ୍କ ଦ୍ୱୀପ:
ଗ୍ରୀନଲ୍ୟାଣ୍ଡର ଜନସଂଖ୍ୟା ପ୍ରାୟ ୫୭ ହଜାର । ଅଧିକାଂଶ ଲୋକ ସ୍ୱଦେଶୀ ସମୁଦାୟର ଓ ସେମାନେ ଆମେରିକାର ଅଂଶ ହେବାକୁ ଭଳି ଭାବେ ବିରୋଧ କରୁଛନ୍ତି । ଡେନମାର୍କରୁ ସ୍ୱାଧୀନତା ଦାବି ମଧ୍ୟ ଏହି ପ୍ରସଙ୍ଗକୁ ଆଉ ଜଟିଳ କରୁଛି ।