ସାଧାରତଃ, ପ୍ରତିବର୍ଷ ଜାନୁଆରୀ ମାସରେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ । ଏହି ସମ୍ମିଳନୀ ସହିତ ତାଳଦେଇ ବିଶ୍ୱବିଖ୍ୟାତ ସ୍ୱେଚ୍ଛାସେବୀ ସଂସ୍ଥା ‘ଅକ୍ସଫାମ' ବିଶ୍ୱ ତଥା ବିଭିନ୍ନ ଦେଶର ଆର୍ଥିକ ବୈଷମ୍ୟ ଉପରେ ରିପୋର୍ଟ ପ୍ରକାଶ କରିଥାଏ । ୨୦୨୬ ଜାନୁଆରୀରେ ଅକ୍ସଫାମର "ରେଜିଷ୍ଟିଂ ଦି ରୁଲ୍ ଅଫ୍ ଦି ରିଚ୍' ବା ‘ଧନୀମାନଙ୍କ ଶାସନକୁ ପ୍ରତିରୋଧ କରିବା' ଶୀର୍ଷକ ରିପୋର୍ଟ ପ୍ରକାଶ କରିଛି । ଏହା ବିଶ୍ୱରେ ବିଲିଓନେୟାର ବା ଅରବପତିଙ୍କ କ୍ଷମତା ଏବଂ ଅସମାନତାର ଗଭୀର ସଙ୍କଟର ଏକ ଗଭୀର ବିବ୍ରତକାରୀ ଚିତ୍ର ପ୍ରଦାନ କରିଛି । ଏହା କେବଳ ଶୀର୍ଷରେ ସମ୍ପଦର ଅଭୂତପୂର୍ବ କେନ୍ଦ୍ରୀକରଣ ନୁହେଁ ବରଂ ଏହାର ରାଜନୈତିକ ପ୍ରଭାବ, ସାଧାରଣ ଜନତାଙ୍କ ଉପରେ ନିୟନ୍ତ୍ରଣ ସହିତ ଅର୍ଥନୈତିକ ଶକ୍ତିର ଏକ ବିପଜ୍ଜନକ ସମନ୍ୱୟକୁ ମଧ୍ୟ ପ୍ରକାଶ କରିଛି । ଏହି ଫଳାଫଳଗୁଡ଼ିକ ଆମକୁ ଏକ ଅସ୍ୱସ୍ତିକର ସତ୍ୟର ସମ୍ମୁଖୀନ ହେବାକୁ ବାଧ୍ୟ କରେ ।

ରିପୋର୍ଟ ଅନୁଯାୟୀ, ବିଶ୍ୱ ବିଲିଓନେୟାର ବା ଅରବପତିଙ୍କ ସମ୍ପଦ ୨୦୨୫ ମସିହାରେ ଆଶ୍ଚର୍ଯ୍ୟଜନକ ଭାବରେ ୧୮.୩ ଟ୍ରିଲିୟନ ଡଲାରରେ (୧ ଟ୍ରିଲିୟନ= ୧ଲକ୍ଷ କୋଟି, ୧ ଡଲାର= ୯୦ଟଙ୍କା ପାଖାପାଖି) ପହଞ୍ଚିଛି, ଯାହା ଗୋଟିଏ ବର୍ଷରେ ୧୬% ବୃଦ୍ଧିପାଇଛି ଏବଂ ୨୦୨୦ ପରଠାରୁ ୮୧% ବୃଦ୍ଧିପାଇଛି । ବିଶ୍ୱ ଅରବପତିଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୩୦୦୦ ଅତିକ୍ରମ କରିଛି, ଯାହାକୁ ଅକ୍ସଫାମ ‘ଅରବପତିଙ୍କ ପାଇଁ ଏକ ଭଲ ଦଶନ୍ଧି' ଭାବରେ ବର୍ଣ୍ଣନା କରିଛି । ଏହାର ଠିକ୍ ବିପରୀତରେ, ସମଗ୍ର ବିଶ୍ୱରେ ଦାରିଦ୍ର୍ୟ ସ୍ତର ୨୦୧୯ ମହାମାରୀ ପୂର୍ବରୁ ଯେଉଁଠାରେ ଥିଲା ସେଠାରେ ରହିଛି । ଅନ୍ୟ ଶବ୍ଦରେ, ବ୍ୟାପକ ସମ୍ପଦ ସୃଷ୍ଟି ବ୍ୟାପକ ସାମାଜିକ ପ୍ରଗତିରେ ପରିଣତ ହୋଇପାରି ନାହିଁ ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କ ହିତ ପାଇଁ ନୁହେଁ, ରାଜନୀତି, ଗଣମାଧ୍ୟମ ଏବଂ ନ୍ୟାୟକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପଦ ବ୍ୟବହାର କରାଯାଉଛି । ଉପର ୧୦% ଆୟକାରୀ ମିଳିତ ଭାବରେ ତଳ ୯୦% ଅପେକ୍ଷା ଅଧିକ ରୋଜଗାର କରୁଛନ୍ତି । ୨୦୨୦ ପରଠାରୁ ଅରବପତିଙ୍କ ସମ୍ପଦରେ ୮୧% ବୃଦ୍ଧି ଘଟିଛି, ଶୀର୍ଷ ୧୨ କାଟିପତିଙ୍କ ପାଖରେ ସମଗ୍ର ମାନବ ସମାଜର ଅଧା (୪୦୦ କୋଟିରୁ ଅଧିକ ଲୋକ) ଅପେକ୍ଷା ଅଧିକ ସମ୍ପଦ ଅଛି । ଆଜି "ଧନୀଙ୍କ ଶାସନ' ଚାଲିଛି । ଅତି ଧନୀ ବ୍ୟକ୍ତିମାନେ ରାଜନୈତିକ ବ୍ୟବସ୍ଥା, ଗଣମାଧ୍ୟମ ଏବଂ ଆଇନଗତ ଢାଞ୍ଚା ଉପରେ ପ୍ରଭାବ ସୃଷ୍ଟି କରିବା ପାଇଁ ସେମାନଙ୍କର ସମ୍ପଦ ବ୍ୟବହାର କରୁଛନ୍ତି, ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ଏବଂ ପ୍ରଗତିଶୀଳ ନୀତିଗୁଡ଼ିକୁ ଉଲ୍ଲଙ୍ଘନ କରୁଛନ୍ତି ବା ହଟାଇ ଦେଉଛନ୍ତି । ସରକାରଗୁଡ଼ିକ ସଂଖ୍ୟାଗରିଷ୍ଠଙ୍କ କଲ୍ୟାଣ ଅପେକ୍ଷା ଉଚ୍ଚବର୍ଗଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଛନ୍ତି । ଅକ୍ସଫାମ୍ ଆକଳନ କରିଛି ଯେ, ବିଶ୍ୱରେ ମାତ୍ର ଗୋଟିଏ ବର୍ଷରେ ଅରବପତିଙ୍କ ସମ୍ପଦରେ ଯୋଡ଼ାଯାଇଥିବା ୨.୫ ଟ୍ରିଲିୟନ ଡଲାର ସବୁଠାରୁ ଗରିବ ୪.୧ ବିଲିୟନ ଲୋକଙ୍କ କିମ୍ବା ବିଶ୍ୱ ଜନସଂଖ୍ୟାର ତଳ ଅଧା ଲୋକଙ୍କ ସମ୍ପଦ ସହିତ ପ୍ରାୟ ସମାନ । ଏହା ଏପରି ଏକ ଆର୍ଥିକ ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଅନେକଙ୍କୁ ବାଦ୍ ଦେଇ କିଛି ଅଳ୍ପ ଲୋକଙ୍କୁ ପୁରସ୍କୃତ କରୁଛି ।

ଭାରତରେ ବୈଷମ୍ୟ ମଧ୍ୟ ଭୟଙ୍କର । ୨୦୨୫ରେ ଭାରତର ଶୀର୍ଷ ୧% ଲୋକ ମୋଟ୍ ଜାତୀୟ ଆୟର ୨୨.୬%ର ମାଲିକ ହୋଇଥିଲାବେଳେ ମୋଟ୍ ଜାତୀୟ ସମ୍ପଦର ୪୦.୧%ର ମାଲିକ ଅଟନ୍ତି । ଶୀର୍ଷ ୧୦% ଲୋକ ମୋଟ୍ ଜାତୀୟ ଆୟର ୫୮% ଏବଂ ସମ୍ପଦର ୬୫%ର ମାଲିକ ଅଟନ୍ତି । ଅପରପକ୍ଷରେ ନିମ୍ନ ୫୦% ଲୋକଙ୍କ ପାଖରେ ମାତ୍ର ଜାତୀୟ ଆୟର ୧୫% ଓ ଜାତୀୟ ସମ୍ପଦର ୬.୫% ରହିଛି । ୨୦୨୫ ଶେଷ ସୁଦ୍ଧା ଷ୍ଟକମାର୍କେଟ ପତନ ଯୋଗୁଁ ସବୁ ଅରବପତିଙ୍କ ସମ୍ପଦ ୯୪୮.୨ ବିଲିୟନ ଡଲାରକୁ ହ୍ରାସପାଇବା ସତ୍ତେ୍ୱ ଗତ ଦଶନ୍ଧିରେ ଅତି ଧନୀଙ୍କ ସମ୍ପଦରେ ୨୬୩% ବୃଦ୍ଧିପାଇଛି, ଯାହା ଅତ୍ୟନ୍ତ ଚିନ୍ତାଜନକ । ଏହି ସମ୍ପୂର୍ଣ୍ଣ ଭିନ୍ନତା ଆମ ସମୟର ଏକ ବିବ୍ରତଜନକ ବିରୋଧାଭାସକୁ ଉଜାଗର କରେ । ଯଦିଓ ଅତି ଧନୀ ଲୋକମାନେ ପ୍ରଚୁର ଲାଭ ସୃଷ୍ଟି କରୁଛନ୍ତି, ବିଶ୍ୱସ୍ତରରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ନିୟମିତ ଖାଦ୍ୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି, ଏବଂ ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଦାରିଦ୍ର୍ୟ କିମ୍ବା ଆର୍ଥିକ ଅନିଶ୍ଚିତତାରେ ବଞ୍ଚୁଛନ୍ତି । ଭାରତରେ ମଧ୍ୟ ୮୦କୋଟି ଲୋକଙ୍କୁ ଖାଦ୍ୟ ସହାୟତା ଦେବାକୁ ପଡୁଛି ।

ତଥାପି ପ୍ରକୃତ ବିପଦ କେବଳ ଆର୍ଥିକ ଅସମାନତାରେ ନୁହେଁ ବରଂ ଏହି ସମ୍ପଦ କିପରି କ୍ରମାଗତ ଭାବରେ କିଛି ଲୋକଙ୍କ ପାଇଁ ରାଜନୈତିକ ଏବଂ ସାମାଜିକ ଶକ୍ତିରେ ରୂପାନ୍ତରିତ ହେଉଛି ତାହା ରିପୋର୍ଟରେ ଉଲ୍ଲେଖ ରହିଛି । ଅରବପତିମାନେ ସାଧାରଣ ନାଗରିକଙ୍କ ତୁଳନାରେ ରାଜନୈତିକ ପଦବି ପାଇବାର ସମ୍ଭାବନା ୪୦୦୦ଗୁଣ ଅଧିକ ବୋଲି ଆକଳନ କରାଯାଇଛି । ଯେତେବେଳେ ସେମାନେ ସିଧାସଳଖ ନିର୍ବାଚିତ ପଦବି ଦଖଲ କରନ୍ତିନାହିଁ, ନୀତି ନିର୍ଦ୍ଧାରଣ ଉପରେ ସେମାନଙ୍କର ପ୍ରଭାବ ଅତ୍ୟନ୍ତ ପ୍ରବଳ । କର୍ପୋରେଟ୍, ଉଚ୍ଚବର୍ଗ ଏବଂ ସରକାରଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମାଧ୍ୟମରେ ପାଣ୍ଠି, ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ଜାରି କରାଯାଏ । କ୍ଷମତାର ଏହି କେନ୍ଦ୍ରୀକରଣକୁ ଅକ୍ସଫାମ୍ ଏକ ଗଣତାନ୍ତ୍ରିକ ଅଭାବ ବା ଡେମୋକ୍ରାଟିକ ଡେଫିସିଟ୍ ଭାବରେ ବର୍ଣ୍ଣନା କରିଛି । ଅନେକ ଦେଶରେ ଆନୁଷ୍ଠାନିକ ଗଣତାନ୍ତ୍ରିକ ପ୍ରତିଷ୍ଠାନ ରହିଛି, କିନ୍ତୁ ପ୍ରକୃତ ନିଷ୍ପତ୍ତି କ୍ଷମତାଶାଳୀଙ୍କ ସପକ୍ଷରେ ନିଆଯାଉଛି । ବିଭିନ୍ନ ଦେଶରେ, ସରକାରଗୁଡ଼ିକ ଧନୀ ଓ ଉଚ୍ଚ ରୋଜଗାରକାରୀଙ୍କ ପାଇଁ ନିୟମକୁ ଦୁର୍ବଳ କରି, କର୍ପୋରେଟ୍ ଟିକସକୁ ଓ ତାଙ୍କ ବ୍ୟବହୃତ ସେବା ଉପରେ ଟିକସ ହ୍ରାସ କରି ସେମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି ।

ସାମ୍ପ୍ରତିକ ଟିକସ ନୀତିଗୁଡ଼ିକ ସମାଜର ସବୁଠାରୁ ଧନୀବର୍ଗକୁ ଅସମାନ ଭାବରେ ଲାଭ ପହଞ୍ଚାଇଛି, ଏପରିକି ଯେତେବେଳେ ଅଧିକାଂଶ ନାଗରିକ ଜୀବନଧାରଣର ଏକ ମୌଳିକ ମାନଦଣ୍ଡ ପାଇଁ ସଂଘର୍ଷ କରୁଛନ୍ତି । ଏହି ନୀତି ସମାନ ଭାବେ ଉଭୟ ଉନ୍ନତ ଏବଂ ବିକାଶଶୀଳ ଅର୍ଥନୀତିରେ ପରିଲକ୍ଷିତ ହେଉଛି, ଯାହା ଅଲିଗାର୍କିକ ଶାସନ ବା କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କରାୟତ୍ତରେ ଶାସନ ରହିଛି । କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ୍ ପ୍ଲାଟଫର୍ମର ଦ୍ରୁତ ବୃଦ୍ଧି ଧନର ଏହି କେନ୍ଦ୍ରୀକରଣକୁ ଆହୁରି ତ୍ୱରାନ୍ୱିତ କରିଛି । ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା ଚାଳିତ ଫାର୍ମଗୁଡ଼ିକର ବୃଦ୍ଧି ଅର୍ଥନୈତିକ ପିରାମିଡର ଶୀର୍ଷରେ ଥିବା ଲୋକମାନଙ୍କୁ ଅସମାନ ଭାବରେ ସମୃଦ୍ଧ କରିଛି । ସେହି ସମୟରେ, ଏହି ପ୍ରଯୁକ୍ତିବିଦ୍ୟାଗୁଡ଼ିକ ଶ୍ରମ ବଜାରକୁ ପୁନଃଆକୃତି ଦେଉଛି । ପ୍ରାୟତଃ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚାକିରି ଅସୁରକ୍ଷିତତା, ମଜୁରୀ ଅସ୍ଥିରତା ଏବଂ ଅନୌପଚାରିକୀକରଣ ସୃଷ୍ଟିକରୁଛି । ପୁଣି ଥରେ, ଲାଭକୁ ଘରୋଇକରଣ କରାଯାଉଛି, ଯେତେବେଳେ ବିପଦ ଏବଂ ଖର୍ଚ୍ଚ ସାମାଜିକୀକରଣ କରାଯାଉଛି । ଅକ୍ସଫାମ୍ ଦ୍ୱାରା ଉଲ୍ଲିଖିତ ଆଉ ଏକ ଗଭୀର ଚିନ୍ତାଜନକ ଦିଗ ହେଉଛି କୋଟିପତିଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ସୂଚନା ଇକୋସିଷ୍ଟମର ବର୍ଦ୍ଧିତ ନିୟନ୍ତ୍ରଣ । ପ୍ରମୁଖ ଖବରକାଗଜ, ଟେଲିଭିଜନ ନେଟୱାର୍କ ଏବଂ ଡିଜିଟାଲ୍ ପ୍ଲାଟଫର୍ମର ମାଲିକାନା କିଛି ଅତି ଧନୀ ବ୍ୟକ୍ତିଙ୍କ ହାତରେ କ୍ରମଶଃ କେନ୍ଦ୍ରିତ ହେଉଛି । ଯାହା ପାରମ୍ପରିକ ଗଣମାଧ୍ୟମ ହାଉସରୁ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ପର୍ଯ୍ୟନ୍ତ ଜନମତକୁ ପ୍ରଭାବିତ କରିବା ସହିତ ଗଣତାନ୍ତ୍ରିକ ବିତର୍କର ପରିସରକୁ ସଙ୍କୁଚିତ କରୁଛି। ଯେତେବେଳେ ନିଜର ସ୍ୱାର୍ଥ ପାଇଁ ଧନୀଲୋକମାନେ ସମ୍ବଦପତ୍ର ଓ ଚ୍ୟାନେଲଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରନ୍ତି, ସେତେବେଳେ ମୁକ୍ତ ଅଭିବ୍ୟକ୍ତି ଏବଂ ନିର୍ମିତ ସମ୍ମତି ମଧ୍ୟରେ ଥିବା ରେଖା ବିପଜ୍ଜନକ ଭାବରେ ଅସ୍ପଷ୍ଟ ହୋଇଯାଏ ।

ଶକ୍ତିର ଏହି କେନ୍ଦ୍ରୀକରଣ ସାମାଜିକ ସ୍ଥିରତା ପାଇଁ ଗମ୍ଭୀର ପରିଣାମ ସୃଷ୍ଟିକରେ । ଅକ୍ସଫାମ୍ ଉଲ୍ଲେଖ କରିଛି ଯେ, ଗତବର୍ଷ କେବଳ ୬୮ଟି ଦେଶରେ ୧୪୨ଟି ପ୍ରମୁଖ ସରକାର ବିରୋଧୀ ପ୍ରତିବାଦ ହୋଇଥିଲା । ଯାହାର କାରଣ ଥିଲା ଦୈନଦିନ ଜୀବନଯାପନ ଖର୍ଚ୍ଚ ବୃଦ୍ଧି, ମୌଳିକ ସେବାର ଉପଲବ୍ଧତା ସଙ୍କୁଚିତ ହେବା ଏବଂ ସ୍ଥାୟୀ ଆର୍ଥିକ ସୁରକ୍ଷାର ଅଭାବ । ଲୋକମାନଙ୍କର କ୍ରୋଧର କାରଣକୁ ସମାଧାନ କରିବା ପରିବର୍ତ୍ତେ, ସରକାରଗୁଡ଼ିକ ପ୍ରଦିବାଦକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି । ନାଗରିକ ସ୍ୱାଧୀନତାକୁ କ୍ଷୁଣ୍ଣ କରିବା, ପ୍ରତିବାଦ କରିବାର ଅଧିକାରକୁ ସୀମିତ କରିବା ଏବଂ ଭିନ୍ନମତକୁ ଅପରାଧୀକରଣ କରାଯାଇଛି । ଅକ୍ସଫାମ୍ କହିଛି ଯେ, ଆର୍ଥିକ ଦାରିଦ୍ର୍ୟ କ୍ଷୁଧା ସୃଷ୍ଟିକରେ, କିନ୍ତୁ ରାଜନୈତିକ ଦାରିଦ୍ର୍ୟ କ୍ରୋଧ ସୃଷ୍ଟିକରେ । ଯେତେବେଳେ ଲୋକମାନେ କେବଳ ସମୃଦ୍ଧିରୁ ନୁହେଁ ବରଂ ନିଷ୍ପତ୍ତି ନେବାରୁ ମଧ୍ୟ ବଞ୍ଚିତ ହେବାର ଅନୁଭବ କରନ୍ତି, ସେତେବେଳେ ଅଶାନ୍ତି ଅନିବାର୍ଯ୍ୟ ହୋଇଯାଏ । ଅସମାନତା ଏବଂ ଗଣତାନ୍ତ୍ରିକ କ୍ଷୟ ମଧ୍ୟରେ ସମ୍ପର୍କ ଦୁର୍ଘଟଣାଜନିତ କିମ୍ବା ସଂଯୋଗଗତ ନୁହେଁ । ଅତ୍ୟନ୍ତ ଅସମାନତା ସମାଜଗୁଡ଼ିକରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ଦୁର୍ବଳ କରେ । ଯେତେବେଳେ ଧନ ଅତ୍ୟଧିକ କେନ୍ଦ୍ରିତ ହୁଏ, ଏହା ଅନିବାର୍ଯ୍ୟ ଭାବରେ ଅନୁଷ୍ଠାନ, ଆଇନ ଏବଂ ମାନଦଣ୍ଡକୁ ବିକୃତ କରେ । ନିର୍ବାଚନ ରାଜନୀତି କ୍ରମଶଃ ମହଙ୍ଗା ହୋଇଯାଏ, ନୀତି ନିର୍ଦ୍ଧାରଣ ଅସ୍ପଷ୍ଟ ହୁଏ ଏବଂ ରାଷ୍ଟ୍ରର ଦାୟିତ୍ୱ ଦୁର୍ବଳ ହୁଏ । ସମୟ ସହିତ, ଗଣତନ୍ତ୍ର ଦୁର୍ବଳ ହୁଏ, ଲୋକପ୍ରିୟ ସ୍ୱ-ଶାସନର ଏକ ସାମଗ୍ରିକ ବ୍ୟବସ୍ଥା ପରିବର୍ତ୍ତେ ଏକ ପ୍ରକ୍ରିୟାଗତ ଔପଚାରିକତାରେ ପରିଣତ ହୁଏ ।

ଧନୀ ଦେଶମାନଙ୍କ ଦ୍ୱାରା ଅନ୍ତର୍ଜାତୀୟ ସହାୟତା କମାଇବା ସମ୍ପର୍କରେ ଅକ୍ସଫାମ ଚେତାବନୀ ଜାରି କରିଛି । ସଂସ୍ଥାଟି ଯୁକ୍ତି ଦେଇଛି ଯେ, ଏହି ସହାୟତା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିହେବ, କିନ୍ତୁ ଏହାର ହ୍ରାସ ସେହି ସୁଯୋଗକୁ ଅବରୋଧ କରିପାରେ । ଯେତେବେଳେ ଅରବପତିମାନଙ୍କ ସମ୍ପତ୍ତି ଐତିହାସିକ ହାରରେ ବଢ଼ୁଛି, ସେତେବେଳେ ମାନବିକ ସହାୟତାରୁ ପଛ ହଟିବା କେବଳ ନୀତିଗତ ତ୍ରୁଟି ନୁହେଁ, ଏହା ଏକ ଗଭୀର ନୈତିକ ବିଫଳତାକୁ ଉଜାଗର କରେ । ଅକ୍ସଫାମର ରିପୋର୍ଟର ମୁଖ୍ୟ ବାର୍ତ୍ତା ସ୍ପଷ୍ଟ ଓ ଜରୁରୀ: ଅନିୟନ୍ତ୍ରିତ ସମ୍ପଦ କିଛି ଲୋକଙ୍କ ହାତରେ ଠୁଳହେବା ଗଣତନ୍ତ୍ର, ସାମାଜିକ ସଂହତି ଓ ମାନବୀୟ ମର୍ଯ୍ୟାଦା ପାଇଁ ଭୟାବହ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏପରି ଅସମାନତା କେବଳ ଅନ୍ୟାୟ ନୁହେଁ, ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ମୂଳତଃ ବିରୋଧାଭାସୀ । ଯେତେବେଳେ ଧନ ବା ସମ୍ପଦ ଶକ୍ତି ଲୋକଙ୍କ ସ୍ୱରକୁ ନିର୍ବାକ କରିଦିଏ, ଅସମ୍ମତିକୁ ଦମନ କରେ, ଓ ସମ୍ମତିକୁ ବଳପୂର୍ବକ ଗଢ଼ାଯାଏ, ସେତେବେଳେ ଦେଶସେବାର ଧାରଣା ମାତ୍ର ଏକ ଖାଲି ପ୍ରତିଶ୍ରୁତିରେ ପରିଣତ ହୁଏ । ଧନଶକ୍ତି ଯେତେବେଳେ ରାଜନୈତିକ ନିୟନ୍ତ୍ରଣରେ ପରିଣତ ହୁଏ ଓ ସରକାରୀ ପ୍ରତିଷ୍ଠାନମାନେ ସାଧାରଣ ଲୋକଙ୍କ ହିତ ବଦଳରେ ବ୍ୟକ୍ତିଗତ ସ୍ୱାର୍ଥର ସେବା କରିବାକୁ ଲାଗେ, ସେତେବେଳେ ଗଣତନ୍ତ୍ରର ଭିତ୍ତି କମ୍ପିତ ହୁଏ । ତେଣୁ ଗଣତନ୍ତ୍ରକୁ ସୁସ୍ଥ ଓ ସଜୀବ ରଖିବା ପାଇଁ ସମ୍ପଦର ସୁଷମ ବଣ୍ଟନ ଅତ୍ୟାବଶ୍ୟକ । ଏହା କେବଳ ଆର୍ଥିକ ପ୍ରସଙ୍ଗ ନୁହେଁ, ବରଂ ଏହା ଏକ ନୈତିକ ଓ ରାଜନୈତିକ ଆବଶ୍ୟକତା । ମାନବବାଦୀ ଚିନ୍ତାଧାରାକୁ ରକ୍ଷା କରିବାକୁ ହେଲେ, ଧନଶକ୍ତିର ଅପବ୍ୟବହାରକୁ ସାହସ ଓ ସ୍ପଷ୍ଟତା ସହ ମୁକାବିଲା କରିବା ଆବଶ୍ୟକ ।

ଗୁରୁତ୍ୱପୂର୍ଣ୍ଣ ଭାବେ ଅକ୍ସଫାମ ଏହା ମଧ୍ୟ ଉଲ୍ଲେଖ କରେ ଯେ, ଏହି ଗତିପଥ ଅନିବାର୍ଯ୍ୟ ନୁହେଁ । ନୀତିଗତ ପସନ୍ଦ ଓ ରାଜନୈତିକ ଇଚ୍ଛାଶକ୍ତି ଥିଲେ ପରିବର୍ତ୍ତନ ସମ୍ଭବ । ସରକାରମାନଙ୍କ ପାଖରେ ଦିଗ ପରିବର୍ତ୍ତନର ଉପକରଣ ଅଛି ଯଥା- ପ୍ରଗତିଶୀଳ କର ବ୍ୟବସ୍ଥା, ଟଙ୍କା ଓ ରାଜନୀତି ମଧ୍ୟରେ ଦୃଢ଼ ପ୍ରାଚୀର ଏବଂ ମୁକ୍ତ ମତପ୍ରକାଶ ଓ ନାଗରିକ ସ୍ୱାଧୀନତାର ସୁରକ୍ଷା । କିଛି ଦେଶ ଏଥିରେ ଶିକ୍ଷଣୀୟ ଉଦାହରଣ ସୃଷ୍ଟି କରିଛନ୍ତି । ନରୱେ ଭଳି ରାଷ୍ଟ୍ର ସମ୍ପଦ କର ଲାଗୁ କରିଛି ଓ ଅନ୍ୟ କିଛି ଦେଶରେ ଏହା ଅଛି । ଏହା ଉପରେ ଅନ୍ୟ ଦେଶରେ ଗଭୀର ଆଲୋଚନା ଚାଲିଛି । ଏଣୁ ସବୁ ଦେଶ ଅସମାନତା ହ୍ରାସପାଇଁ ଯୋଜନା କରିବା ଉଚିତ ।