ନୂଆଦିଲ୍ଲୀ,୧୨।୨:  ଭାରତରେ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ପିତି ଜାନୁଆରୀ ୨୦୨୬ ରେ ବାର୍ଷିକ ଆଧାରରେ ୨.୭୫% ରହିଛି। ଏହି ସୂଚନା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିଆଯାଇଛି। ବେସ ଇୟରରେ ପରିବର୍ତ୍ତନ ପରେ ଏହା ପ୍ରଥମ ଖୁଚୁରା ମୁଦ୍ରାସ୍ଫୀତି ପରିସଂଖ୍ୟାନ। ସରକାର ୨୦୧୨ ରୁ ୨୦୨୪ କୁ ମୂଳ ବର୍ଷ ପରିବର୍ତ୍ତନ କରିଥିଲେ। ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୧.୩୩ ପ୍ରତିଶତ ଥିଲା, କିନ୍ତୁ ଏହା ୨୦୧୨ ର ପୁରୁଣା ମୂଳ ବର୍ଷ ଉପରେ ଆଧାରିତ ଥିଲା।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୨.୭୩ ପ୍ରତିଶତ ଏବଂ ସହରାଞ୍ଚଳରେ ୨.୭୭ ପ୍ରତିଶତ ରହିଛି। ସେହିପରି ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୨.୨୩% ରହିଛି, ଯାହା ଗ୍ରାମାଞ୍ଚଳରେ ୧.୯୬ ପ୍ରତିଶତ ଏବଂ ସହରାଞ୍ଚଳରେ ୨.୨୪ % ଥିଲା। ସୂଚନା ଅନୁସାରେ, ଜାନୁଆରୀରେ ବାର୍ଷିକ ଆଧାରରେ ରସୁଣର ଦାମ୍ ୫୩.୦୫%,ପିଆଜର ଦାମ୍ ୨୯.୨୭%, ଆଳୁ ୨୮.୯୮% ଥିଲା। ସେଭଳି ହରଡର ଦାମ୍ ୨୪.୯୦ % ଏବଂ ମଟରର ଦାମ୍୧୫.୫୬% କମ୍ ହୋଇଛି। ଅନ୍ୟପକ୍ଷେ ଜାନୁଆରୀରେ ବାର୍ଷିକ ଆଧାରରେ ରୂପା ଅଳଙ୍କାର ୧୫୯.୬୭%,ଟମାଟର ୬୪.୮୦%, ସୁନା/ହୀରା/ପ୍ଲାଟିନମ୍ ଜୁଏଲାରୀ ୪୬.୭୭% ଓ ନଡିଆ ତେଲର ଦାମ୍ ୪୦.୪୪% ବଢିଛି।

ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ବାର୍ଷିକ ଆଧାରରେ ଜାନୁଆରୀରେ ପୋଷାକ ଏବଂ ଜୋତା ମୂଲ୍ୟରେ ୨.୯୮ ପ୍ରତିଶତ, ସ୍ୱାସ୍ଥ୍ୟସେବା ସେବାରେ ୨.୧୯ ପ୍ରତିଶତ, ପରିବହନରେ ୦.୦୯ ପ୍ରତିଶତ, ସୁପାରୀ/ତମାଖୁ ଭଳି ଉତ୍ପାଦରେ ୨.୮୬ ପ୍ରତିଶତ, ଗୃହ, ପାଣି, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଇନ୍ଧନରେ ୧.୫୩ ପ୍ରତିଶତ ବୃଦ୍ଧି ଘଟିଛି। ଜାନୁଆରୀରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଥିବା ପାଞ୍ଚଟି ରାଜ୍ୟ ହେଉଛି ତେଲେଙ୍ଗାନା (୪.୯୨ ପ୍ରତିଶତ), କେରଳ (୩.୬୭ ପ୍ରତିଶତ), ତାମିଲନାଡୁ (୩.୩୬ ପ୍ରତିଶତ), ରାଜସ୍ଥାନ (୩.୧୭ ପ୍ରତିଶତ) ଏବଂ କର୍ଣ୍ଣାଟକ (୨.୯୯ ପ୍ରତିଶତ)।

ଆହୁରି ପଢନ୍ତୁ :ଗାଡ଼ି କିଣିବା ଠାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଉଠାଣ ପର୍ଯ୍ୟନ୍ତ…ଆୟକର ନିୟମ ୨୦୨୬ର ଡ୍ରାଫ୍ଟ ପ୍ରକାଶିତ