ନୂଆଦିଲ୍ଲୀ,୨୬/୦୫; କର୍ଣ୍ଣାଟକ ଶିବାଜୀନଗର ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକମାନେ ତାଙ୍କୁ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୨୪ କୋଟି ଟଙ୍କା ଲୁଟି ନେଇଛନ୍ତି । ତେବେ ସଠିକ ସମୟରେ ପୁଲିସ ହସ୍ତକ୍ଷେପ କରି ତାଙ୍କୁ ଆହୁରି ଲୁଟ୍ରୁ ରକ୍ଷା କରିବା ସହ ଲୁଟ୍ ଟଙ୍କାରୁ ପ୍ରାୟ ୫.୫ କୋଟି ଫେରାଇ ଆଣିବାରେ ସକ୍ଷମ ହୋଇଛି । ସୂଚନା ଅନୁସାରେ ଶିକ୍ଷୟିତ୍ରୀ ଜଣକ ଦୁବାଇରେ କାର୍ଯ୍ୟ କରୁଥିଲେ । ସେଠାରେ ଅବସର ନେବା ପରେ ବେଙ୍ଗାଲୁରୁର ଶିବାଜୀନଗରରେ ଆସି ରହୁଥିଲେ । କିନ୍ତୁ ସେ ନିଜ ପିଲାମାନଙ୍କ ସହ ଆମେରିକା ଚାଲିଯିବାକୁ ସ୍ଥିର କରିଥିଲେ । ସେଥିପାଇଁ ବେଙ୍ଗାଲୁରୁ ଓ ମୁମ୍ବାଇରେ ଥିବା ତାଙ୍କର ସମସ୍ତ ସମ୍ପତ୍ତିକୁ ସେ ବିକ୍ରି କରି ଟଙ୍କା ରଖିଥିଲେ । ଏ ସମ୍ପର୍କରେ କିଛି ସାଇବର ଠକ ସୂଚନା ପାଇଥିଲେ । ସେମାନେ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ । କହିଥିଲେ କି ତାଙ୍କ ଆକାଉଣ୍ଟରେ ବିପୁଳ ଟଙ୍କା ଜମା ଥିବାରୁ ତାହା ମନି ଲଣ୍ଡରିଂ ତଦନ୍ତ ପରିସରକୁ ଆସିଛି । ଘଟଣାର ତଦନ୍ତ କରାଯାଉଛି ।
ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଉଛି । ତେଣୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସେ ଏକଥା କାହାକୁ ନ ଜଣାଇବାକୁ ସାଇବର ଠକମାନେ କହିଥିଲେ । ଗତ ଜାନୁଆରୀରୁ ମେ ମଧ୍ୟରେ ସାଇବର ଠକମାନେ ତାଙ୍କୁ ବିଭିନ୍ନ ବାହାନା ଦେଖାଇ ଆରଟିଜିଏସ୍ ମାଧ୍ୟମରେ ୨୨ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ୨୪ କୋଟି ଟଙ୍କା ଟ୍ରାନ୍ସଫର କରାଇନେଇଥିଲେ । ଏହି ଟଙ୍କା ଯାଞ୍ଚ ପାଇଁ ପଠାଯାଉଛି ଏବଂ ଯାଞ୍ଚ ଶେଷ ହେବା ପରେ ତାହା ଫେରିଆସିବ ବୋଲି ସାଇବର ଠକମାନେ କହିଥିଲେ । କେବଳ ଏତିକି ନୁହେଁ ୨୪ କୋଟି ଲୁଟିବା ପରେ ମଧ୍ୟ ସାଇବର ଠକମାନେ ଶିକ୍ଷୟିତ୍ରୀଙ୍କ ଠାରୁ ଆହୁରି ଟଙ୍କା ନେବାକୁ ଉଦ୍ୟମ କରିଥିଲେ । ତେଣୁ ଶିକ୍ଷୟିତ୍ରୀ ତାଙ୍କ ପାଖରେ ଥିବା ୧ କି.ଗ୍ରା ୩୦୦ ଗ୍ରାମ ସୁନା ଅଳଙ୍କାର ଧରି ଏକ ଘରୋଇ ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଯାଇଥିଲେ । ଘରୋଇ ବ୍ୟାଙ୍କ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲା । ପୁଲିସ୍ ସେଠାରେ ପହଞ୍ଚି ଶିକ୍ଷୟୀତ୍ରୀଙ୍କୁ ପଚରାଉଚରା କରିବା ପରେ ସାଇବର ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲା ।
ଏହା ବି ପଢନ୍ତୁ...ଅଲ୍-ଆକ୍ସା ମସଜିଦ୍କୁ ୩ ଧର୍ମର ମିଳନସ୍ଥଳ କରିବାକୁ ପ୍ରସ୍ତୁତି, ସାମ୍ନାକୁ ଆସିଲା ଆମେରିକା-ଇସ୍ରାଏଲ୍ର ଗୁପ୍ତ ପ୍ଲାନ୍ !
ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିବାକୁ କହିଥିଲେ । ତାଙ୍କ ଅଭିଯୋଗ ପରେ ସାଇବର ପୁଲିସ୍ ପଦକ୍ଷେପ ଗ୍ରହଣ କରି ସାଇବର ଠକଙ୍କ କିଛି ଆକାଉଣ୍ଟକୁ ଜବତ କରିଥିଲା । ସେଥିରେ ଥିବା ୫କୋଟି ୪୬ ଲକ୍ଷ ଟଙ୍କା ଫେରାଇ ଆଣିଥିଲା । ଏଥିସହ ତାମିଲନାଡୁ, ମୁମ୍ବାଇ, ଗୁଜରାଟ ଓ ବିଭିନ୍ନ ସ୍ଥାନରେ ଚଢଉ କରି ପୁଲିସ୍ ଏହି ସାଇବର ଠକେଇରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।