ବେଲପାହାଡ,୧୮/୦୫: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ପୌର ପରିଷଦରେ ଆଜି ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ହିତାଧିକାରୀମାନଙ୍କୁ ଏହି ରାସନ କାର୍ଡ ପ୍ରଦାନ କରିଛନ୍ତି । ମୋଟ ୫୮ ଜଣ ହିତାଧିକାରୀଙ୍କ ନାମରେ ନୂତନ ରାସନ କାର୍ଡ ଆସିଥିବାବେଳେ ଉପସ୍ଥିତ ଥିବା ୩୫ ଜଣକୁ ଏହି ରାସନ କାର୍ଡ ପ୍ରଦାନ କରାଯାଇଛି ।
ଏହି ଅବସରରେ ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା, ବରିଷ୍ଠ ବିଜେପି ନେତା ପ୍ରମୋଦ ସେନାପତିଙ୍କ ସହ ବେଲପାହାଡ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, କର୍ମଚାରୀ ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ । ଏହି ରାସନ କାର୍ଡ ଦ୍ୱାରା ହିତାଧିକାରୀମାନେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସହଯୋଗର ଲାଭ ନେଇ ପରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଆହୁରି ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରକାଶ କରିଛନ୍ତି ।