• ଭୁବନେଶ୍ୱରରୁ କନ୍ଦରପୁରକୁ ସଂଯୋଗ ହେବ ନୂଆ ରାସ୍ତା
  • ମୋହନା-କୋରାପୁଟ ଏବଂ ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରଶସ୍ତିକରଣ ନେଇ ଆଲୋଚନା

ଭୁବନେଶ୍ୱର ୧୯/୧ : ରାଜ୍ୟର ବିଭିନ୍ନ ରାସ୍ତା ପ୍ରକଳ୍ପର ନିର୍ମାଣ ଓ ପ୍ରଶସ୍ତୀକରଣ ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜଧାନୀ ଭୁବନେଶ୍ୱରର ଚାରିପାଖରେ ନିର୍ମାଣ ହେବାକୁ ଥିବା ପ୍ରାୟ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ନିର୍ଦେଶ ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଏବଂ ଜମି ଅଧିଗ୍ରହଣ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ସଚିବ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି କଟକ ସହରର ଭିଡ଼ ନିୟନ୍ତ୍ରଣ ଏବଂ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ସିଧାସଳଖ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଧାକୁଳେଇ ପୀଠ ନିକଟରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ନୂଆ ଗ୍ରୀନ୍ ଫିଲ୍ଡ ରୋଡ୍ ନିର୍ମାଣ ପାଇଁ ନକ୍ସା ଏବଂ ଡିପିଆର୍ ପ୍ରସ୍ତୁତି ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ଯିବା ପାଇଁ ଆଉ କଟକ ସହର ଭିତର ଦେଇ ଯିବାକୁ ପଡ଼ିବ ନାହିଁ । ଏଥି ସହିତ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ଦୂରତ୍ୱ ହ୍ରାସ ପାଇବ ।

ଏହି ବୈଠକରେ ୨୦୬ କିଲୋମିଟର ଦୀର୍ଘ କୋରାପୁଟ-ମୋହନା ରାସ୍ତାର ପ୍ରଶସ୍ତିକରଣ ଏବଂ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା । ସେହିପରି ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ସହ ଡିପିଆର୍ ଅନୁଯାୟୀ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ଶ୍ରୀ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ନିର୍ମାଣ ବିଭାଗର ଇଆଇସି-ତଥା-ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର, ଜାତୀୟ ରାଜପଥ(ଓଡ଼ିଶା)ର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।