ନୂଆଦିଲ୍ଲୀ: ଡିସେମ୍ବର ୨୧ (ଶନିବାର)ରୁ ଆରମ୍ଭ ହେବାକୁ ଯାଉଛି ବିଜୟ ହଜାରେ ଟ୍ରଫି । ଏହି ଟୁର୍ଣ୍ଣାମେଣ୍ଟରେ ଉତ୍ତର ପ୍ରଦେଶ ଗ୍ରୁପ୍‌ ଡି ମୁକାବିଲାରେ ପ୍ରଥମେ ଜମ୍ମୁକାଶ୍ମୀରକୁ ଭେଟିବ । ସେପଟେ ଗତ ସପ୍ତାହରେ ସୟଦ ମୁସ୍ତାକ ଅଲି ଟ୍ରଫି ସମାପ୍ତ ହୋଇଥିବା ବେଳେ ଉତ୍ତର ପ୍ରଦେଶ ଟିମ୍‌ର ଅଧିନାୟକ ଥିଲେ ଭୁବନେଶ୍ବର କୁମାର । କିନ୍ତୁ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଲାଗି ଉତ୍ତର ପ୍ରଦେଶ ଟିମ୍‌ର ନେତୃତ୍ବ ନେବେ ଭାରତୀୟ ଷ୍ଟାର ବ୍ୟାଟର ରିଙ୍କୁ ସିଂ । 

 ସେ ନିଜ ରାଜ୍ୟର ବରିଷ୍ଠ କ୍ରିକେଟ ଦଳରେ ପ୍ରଥମ ଥର ଅଧିନାୟକ ହେବାର ସୁଯୋଗ ପାଇଛନ୍ତି । ଏହା ପୂର୍ବରୁ ଉତ୍ତର ପ୍ରଦେଶର ଟି-୨୦ ଲିଗ୍‌ରେ ମିରଟ ମାଭେରିକ୍ସର ଅଧିନାୟକ ହୋଇଥିଲେ ରିଙ୍କୁ । ଏହି ଲିଗ୍‌ରେ ଦଳକୁ ବିଜୟୀ କରାଇବା ସହ ସେ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେପଟେ ରିଙ୍କୁ ସିଂଙ୍କୁ ଆଗାମୀ ଆଇପିଏଲ ସିଜନ୍‌ ଲାଗି କୋଲକାତା ନାଇଟ ରାଇଡର୍ସ (କେକେଆର) ରିଟେନ୍‌ ମଧ୍ୟ କରିଛି । କୋଲକାତା ଟିମ୍‌ ମଧ୍ୟ ନିଜର ଅଧିନାୟକଙ୍କ ନାଁ ଘୋଷଣା କରି ନାହିଁ । 

 କେକେଆରର ଅଧିନାୟକ ହେବାକୁ ଚିନ୍ତା କରି ନାହିଁ, ବର୍ତ୍ତମାନ ଉତ୍ତର ପ୍ରଦେଶ ଟିମ୍‌ ଲାଗି ଯୋଜନା ପ୍ରସ୍ତୁତ କରିବାର ବେଳ ବୋଲି ରିଙ୍କୁ ସିଂ କହିଛନ୍ତି । ଲିଷ୍ଟ-ଏ କ୍ରିକେଟରେ ରିଙ୍କୁ ସିଂଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି । ୫୨ଟି ଇନିଂସରେ ରିଙ୍କୁ ସିଂ ୧୮୯୯ ରନ୍‌ କରିଛନ୍ତି । ଘରୋଇ ଉତ୍ତର ପ୍ରଦେଶ ଟିମ୍‌କୁ ବିଜୟ ହଜାରେ ଟ୍ରଫି ଜିତାଇବା ଲାଗି ପ୍ରସ୍ତୁତ ହେଉଥିବା ରିଙ୍କୁ ସିଂଙ୍କ ଉପରେ ବିସିସିଆଇର ଚୟନକର୍ତ୍ତାଙ୍କ ନଜର ମଧ୍ୟ ରହିବ । ଏହାର କାରଣ ହେଉଛି, ଆସନ୍ତାବର୍ଷ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି ।