ଲକ୍ଷ୍ନୌ: ଆଇପିଏଲ ୨୦୨୫ରେ ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ରିଷଭ ପନ୍ତ ଅନ୍ତିମ ଲିଗ୍ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆରସିବି ବିପକ୍ଷ ମ୍ୟାଚ୍ରେ ପନ୍ତ ୫୪ ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ । ରିଷଭ ପନ୍ତ ୨୫୭୪ ଦିନ ପରେ ଆଇପିଏଲରେ ଶତକ ମାରିଛନ୍ତି । ପନ୍ତ ଶେଷ ଥର ପାଇଁ ୨୦୧୮ରେ ଆଇପିଏଲରେ ଶତକ ମାରିଥିଲେ । ଏହା ପନ୍ତଙ୍କ ଆଇପିଏଲରେ ଦ୍ୱିତୀୟ ଶତକ । କେବଳ ଏତିକି ନୁହେଁ ଏହା ଆଇପିଏଲରେ ଲକ୍ଷ୍ନୌ ପାଇଁ ସବୁଠାରୁ ଦ୍ରୁତତମ ଶତକ ମଧ୍ୟ । ଏହା ବ୍ୟତୀତ, ଏହା ୨୦୨୫ ଆଇପିଏଲରେ ରିଷଭ ପନ୍ତଙ୍କ ସର୍ବାଧିକ ସ୍କୋର। ଶତକ ପୂର୍ବରୁ ପନ୍ତ ୨୯ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ।
IPL 2025 ପାଇଁ ହୋଇଥିବା ମେଗା ନିଲାମୀରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଦଳ ରିଷଭ ପନ୍ତଙ୍କୁ ୨୭ କୋଟିରେ କିଣିଥିଲା । କିନ୍ତୁ ତାଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲା । ପନ୍ତଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ଦଳ ପ୍ଲେଅଫରେ ମଧ୍ୟ ପହଞ୍ଚିପାରି ନାହିଁ । ଏଥି ପାଇଁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା, କିନ୍ତୁ ସେ RCB ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ଉଚିତ ଜବାବ ଦେଇଛନ୍ତି ।
ଆଜିର ମ୍ୟାଚରେ RCBର ଅଧିନାୟକ ଜିତେଶ ଶର୍ମା ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଲକ୍ଷ୍ନୌର ଆରମ୍ଭ ଭଲ ନଥିଲା । କାରଣ ଓପନର ମାଥ୍ୟୁ ବ୍ରିଟଜେ ୧୨ ବଲରୁ ୧୪ ରନ୍ କରିବା ପରେ ବୋଲ୍ଡ ହୋଇଥିଲେ। ଏହା ପରେ ଅଧିନାୟକ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ, ପନ୍ତ ମିଚେଲ ମାର୍ଶଙ୍କ ସହ ମିଶି ଦଳର ଦାୟିତ୍ୱ ନେଇଥିଲେ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ।
ଏହି ସମୟରେ ପନ୍ତ ଏବଂ ମାର୍ଶ ମିଶି ଦଳର ସ୍କୋରକୁ ୧୦୦ ରନ ଅତିକ୍ରମ କରାଇଥିଲେ। ମିଚେଲ ମାର୍ଶ ୩୭ ବଲ୍ରେ ୬୭ ରନ୍ କରି ଆଉଟ୍ ହୋଇଥିଲେ। ଏହି କିନ୍ତୁ ପନ୍ତ ଶତକ ପରେ ମଧ୍ୟ ଦୃଢ଼ ରହିଥିଲେ ଏବଂ ୬୧ ବଲରେ ୧୧୮ ରନ କରି ଅପରାଜିତ ରହିଥିଲେ । ପନ୍ତ ତାଙ୍କ ଇନିଂସରେ ୧୧ଟି ଚୌକା ଏବଂ ୮ଟି ଛକା ମଧ୍ୟ ମାରିଥିଲେ। ଏହିପରି ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା।