ଭୁବନେଶ୍ୱର (ଅମନ ଆୟୁଷ୍ମାନ ଦାସ) : ବଢ଼ୁଛି ମୁଖଗହ୍ୱର କର୍କଟ ରୋଗ । ବିଶେଷକରି ଯୁବପିଢ଼ି ଏହି ରୋଗର ଆଁରେ ପଡ଼ିଛନ୍ତି । କମ୍ ବୟସରୁ ତମାଖୁ, ସିଗାରେଟ୍ ସେବନ ସହ ଅନିୟମିତ ଲାଇଫଷ୍ଟାଇଲ(ଜୀବନଚର୍ଯ୍ୟା) ମୁଖଗହ୍ୱର କର୍କଟ ବ୍ୟାପିବାର ମୁଖ୍ୟ କାରଣ । ମାର୍ଚ୍ଚ ୨୦ ୱାଲର୍ଡ ଓରାଲ ହେଲ୍ଥ ଡେ’ ରହିଛି । ଏ ଅବସରରେ ଲୋକଙ୍କୁ ମୁଖ ଗହ୍ୱର କର୍କଟ ପ୍ରତି ସଚେତନ କରିବାକୁ ‘ପ୍ରମେୟ’ର ଏହି ପ୍ରୟାସ ।

ବର୍ଷକରେ ଚିହ୍ନଟ ହୋଇଛନ୍ତି ୫ହଜାର ମୁଖଗହ୍ୱର କର୍କଟ ରୋଗୀ

ରାଜ୍ୟରେ କର୍କଟ ରୋଗ ଏକ ମହାମାରୀ ଭାବେ ବଢ଼ିଚାଲିଛି । ସ୍ତନ କର୍କଟ, ମୁଖଗହ୍ୱର କର୍କଟ, ପାକସ୍ଥଳି କର୍କଟ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗତ ୨୦୨୫ ଏପ୍ରିଲରୁ ୨୦୨୬ ଜାନୁଆରୀ ପର୍ଯ୍ୟନ୍ତ, ରାଜ୍ୟରେ ୨୩,୨୩୧ ନୂଆ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ଅଧିକ ସଂଖ୍ୟକ ହେଉଛନ୍ତି କେବଳ ମୁଖଗହ୍ୱର କର୍କଟ ରୋଗୀ । ଯାହା ଦ୍ରୁତବେଗରେ କାୟା ମେଲାଇ ଚାଲିଛି । ତଥ୍ୟ ଆହୁରି କହୁଛି, ଗତ ୨୦୨୫ ବର୍ଷରେ ରାଜ୍ୟରେ ମୋଟ ୪୯୯୭ଜଣ ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ଥିଲେ । ଯାହା ଚିନ୍ତାଜନକ ।

ତମାଖୁ ସେବନ ମୁଖ୍ୟ କାରଣ

କମ୍ ବୟସରୁ ତମାଖୁ ନିଶା । ସକାଳୁ ନେଇ ଶୋଇବା ପର୍ଯ୍ୟନ୍ତ ପାଟିରେ ଟିକେ ଗୁଆ କି ଜର୍ଦ୍ଦା ନ’ ବାଜିଲେ ରହିହେଉନି । ମନ ବିକଳ ହୋଇଯାଉଛି । ପୁଷ୍ଟିକର ଖାଦ୍ୟ ଛାଡ଼ି ତମାଖୁ ଓ ସିଗାରେଟ୍ ଖାଇବାକୁ ଭାରି ଇଚ୍ଛା ହେଉଛି । ସ୍କୁଲ ପଢୁଆ ପିଲାଙ୍କଠାରୁ ନେଇ କଲେଜ, ବିଶ୍ୱବିଦ୍ୟାଳୟ ଓ ଚାକିରିଆମାନେ । ସମସ୍ତେ ତମାଖୁ ଖାଉଛନ୍ତି । ହେଲେ ଜାଣିପାରୁନାହାନ୍ତି, ଏହି ତମାଖୁରେ ଲୁଚି ରହିଛି ମୁଖଗହ୍ୱର କର୍କଟ ରୂପୀ ରାକ୍ଷସ । ଏକଥା କହିଛନ୍ତି ଏମ୍ସର ପୂର୍ବତନ ଅଧୀକ୍ଷକ ତଥା ଅଙ୍କୋଲୋଜି ବିଭାଗର ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା । ସେ କହିଛନ୍ତି, ତମାଖୁ ମୁଖଗହ୍ୱର ମୁଖ୍ୟ କାରଣ । ଆଉ ଏକ କାରଣ ଏଚ୍ପିଭି ଭାଇରସ । ହେଲେ ଏଚ୍ପିଭି ଭାଇରସର ମାତ୍ରା ଭାରତରେ କମ୍ ରହିଛି । ଗବେଷଣାରୁ ଜଣାପଡ଼ିଛି, ଗୋଟିଏ ତମାଖୁ ପ୍ୟାକେଟରେ ୪୫ରୁ ୫୦ଟା ରାସାୟନିକ ଲୁଚି ରହିଛି । ଯାହା ମୁଖଗହ୍ୱର କର୍କଟର ବାହକ । ତେଣୁ ରୋଗ ଚିହ୍ନଟ ହେବା ପରେ ତମାଖୁ ଛାଡ଼ିଦେବା ଜରୁରୀ । ଅଧ୍ୟାପକ ତଥା ତମାଖୁ ବିରୋଧରେ ଆନ୍ଦୋଳନ କରୁଥିବା କର୍ମୀ ଡ. ମହମ୍ମଦ ଇମ୍ରାନ ଅଲ୍ଲୀ କହିଛନ୍ତି, ତମାଖୁ ସେବନ ଦ୍ୱାରା ଅନେକ ଲୋକଙ୍କୁ ମୁଖ ଗହ୍ୱର କର୍କଟ ରୋଗର ପୂର୍ବାଭାସ ଦେଖାଯାଉଥିଲେ ହେଁ ସେମାନେ ସଚେତନ ହେଉନାହାନ୍ତି । ତମାଖୁ ସେବନକାରୀ ଅନେକ ବ୍ୟକ୍ତି ପାଟି ନ ଖୋଲିବା, ପାଟି ଭିତରେ ଧଳାଦାଗ, ଢୋକିବା ଓ ଚୋବାଇଲା ବେଳେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯାଉଛି । ଏହି ଲକ୍ଷଣ ବିଷୟରେ ଜନଜାଗରଣ ବଢ଼ିବା ଦରକାର ।

ପ୍ରଭୁଙ୍କ କୃପାରୁ ବଞ୍ଚିଗଲି

ମୁଖଗହ୍ୱର କର୍କଟ ଜୀବନକୁ ଦୁର୍ବିସହ କରେ । ଏହାର ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱର ବମିଖାଲର ବାସିନ୍ଦା ପ୍ରଶାନ୍ତ ରାୟ(୫୨) । ଥରେ ନୁହେଁ, ଦୁଇଥର ସେ ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଠିକ୍ ସମୟରେ ଚିକିତ୍ସା ହେବାରୁ ସେ ସୁସ୍ଥ ହୋଇଛନ୍ତି । ଏବେ ସେ କର୍କଟ ଉପରେ ସଚେତନ କରୁଛନ୍ତି । ପ୍ରଶାନ୍ତ ଏକ ଖଣି କମ୍ପାନୀରେ ଚାକିରି କରିଥିଲେ । ୨୦୧୯ରେ ମୁଖଗହ୍ୱର କର୍କଟରେ ପୀଡ଼ିତ ହେଲେ । ଏହାର କାରଣ ଥିଲା ଗୁଟଖା ଓ ଆଲକହଲ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ୨୦୨୧ରେ ରୋଗ ପୁଣି ଥରେ ଫେରିଥିଲା । ତୁରନ୍ତ ସେ ମୁମ୍ବାଇ ଯାଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଚିକିତ୍ସା ବେଳେ ତାଙ୍କର ଜିଭର କିଛି ଅଂଶ କଟାଯାଇଥିଲା । ଘଟଣାକୁ ଇତିମଧ୍ୟରେ ୫ବର୍ଷ ହୋଇଗଲାଣି । ଏବେ ସେ ନା ଠିକ୍ ଭାବେ ଖାଉଛନ୍ତି, ନା କଥା ହୋଇପାରୁଛନ୍ତି । ପ୍ରଶାନ୍ତ କହିଛନ୍ତି, ପ୍ରଭୁଙ୍କ କୃପାରୁ ସେ ସୁସ୍ଥ ହୋଇଛନ୍ତି ।

ସଚେତନ କରାଇବେ ଏସ୍ଏଚଜି ମହିଳା

ମୁଖଗହ୍ୱର ସହ ଅନ୍ୟ କ୍ୟାନ୍ସର ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସରକାର ନୂଆ ଯୋଜନା କରୁଛନ୍ତି । ଏସ୍ଏଚ୍ଜି ଗ୍ରୁପର ମହିଳା ଓ ଆଶାକର୍ମୀଙ୍କୁ ଏଥିରେ ସାମିଲ କରାଯିବ । ସେମାନେ ଗାଁ ଗାଁ ବୁଲି କର୍କଟ ଉପରେ ଲୋକଙ୍କୁ ସଚେତନତା କରାଇବା ସହିତ ଟେଷ୍ଟିଂ ପାଇଁ ମଧ୍ୟ ଲୋକଙ୍କୁ ଜଣାଇବେ । ଏନେଇ ଏସ୍ଏଚ୍ଜି ଗ୍ରୁପର ମହିଳାଙ୍କୁ ଟ୍ରେନିଂ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଅପରପକ୍ଷେ, କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୨୫୦ ଶଯ୍ୟାରୁ ୫୧୭ ଶଯ୍ୟାକୁ ବୃଦ୍ଧି କରାଯାଇଛି । ସେହିପରି ବୁର୍ଲା ଭିମସାର, ବ୍ରହ୍ମପୁର ଏମକେସିଜି, ବଲାଙ୍ଗିର ବିବିଏମ୍ସିଏଚ୍, କେନ୍ଦୁଝର ଡିଏଚ୍ଏଚ୍ ଓ ବାଲେଶ୍ୱର ଏଫ୍ଏମ୍ଏମ୍ସିଏଚରେ ଥିବା କର୍କଟ ହସ୍ପିଟାଲ ପାଇଁ ନୂଆ ୬ଟି ରେଡିଓଥେରାପି ମେସିନ୍ କିଣାଯାଉଛି ।