ଆଜିକାଲି ବହୁଳ ଭାବରେ ଆଲୋଚନା ହେଉଛି ନଦୀବାଲି ଚୋରା ଚାଲାଣ ଉପରେ । କିନ୍ତୁ କ'ଣ ଏମିତି ଆମର ବିଗିଡ଼ିଯିବ, ଯଦି ଏହାର ସୁରକ୍ଷା ନକରାଯାଏ? ଆଶ୍ଚର୍ଯ୍ୟାନୁଭୂତ ହେବ, ଯେତେବେଳେ ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗଟି ଉପରେ ଆମେ ଅବଗତ ହେବା ।
ଖଣି ଓ ଖଣିଜ (ଉନ୍ନତିକରଣ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅନୁଯାୟୀ ନଦୀର ବାଲିକୁ "ଗୌଣ ଖଣିଜ'ଭାବେ ଶ୍ରେଣୀଭୁକ୍ତ କରାଯାଇଛି । ଯେହେତୁ ନଦୀବାଲି ପ୍ରଧାନତଃ ନିର୍ମାଣ ଓ ଢାଞ୍ଚାଗତ କାମରେ ବ୍ୟବହାର ହୁଏ, ତେଣୁ ଗୋଟିଏ ଖଣିଜ ରୂପରେ ବିବେଚନା କରାଯାଏ । ଉପରୋକ୍ତ ଆଇନର ଧାରା-୧୫ ଅନୁଯାୟୀ, ଗୌଣ ଖଣିଜ ସମ୍ପର୍କିତ ଖଣି ଲିଜ୍, ଖନନ ଲାଇସେନ୍ସ ଓ ପରମିଟ୍ ଏବଂ ନିୟନ୍ତ୍ରଣ କରିବାର ଶକ୍ତି ରାଜ୍ୟ ସରକାରଙ୍କର । ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ନିୟମାବଳୀ ପ୍ରସ୍ତୁତ କରନ୍ତି, ସୁତରାଂ ନଦୀବାଲି ଖନନ ଉପରେ ରାଜ୍ୟ ସରକାରଙ୍କ ହିଁ ଅଧିକାର ରହେ । ସେହିପରି, ଓଡ଼ିଶା ପରି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ବାଲିଘାଟର ଚିହ୍ନଟିକରଣ, ଲିଜ୍ର ଅବଧି, ଖନନ ପରିମାଣ ଏବଂ ରୟାଲିଟି ହାର ନିୟନ୍ତ୍ରଣ କରନ୍ତି । ସେହିପରି, ଖଣି ଓ ଖଣିଜ (ଉନ୍ନତିକରଣ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଆଇନର ଧାରା-୨୧ ଅନୁଯାୟୀ, ଅବୈଧ ଖନନ ପାଇଁ କାରାଦଣ୍ଡ, ଜରିମାନା ଏବଂ ଖଣିଜର ମୂଲ୍ୟ ଆଦାୟ ଆଦିର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଅନୁମୋଦିତ ହୋଇନଥିବା ନଦୀବାଲି ଖନନ ମାମଲାରେ ବ୍ୟବହୃତ ଯାନବାହନ ଏବଂ ଯନ୍ତ୍ରପାତି ଆଦି ଜବତ କରିବା ସହ ପରିବେଶୀୟ କ୍ଷତିପୂରଣ ମଧ୍ୟ ଆଦାୟ ହୋଇପାରିବ ।
ଏହି ଜାତୀୟ ଆଇନ ଅଧୀନରେ ଥିବା ନିୟମ କେବଳ ରାଜସ୍ୱ ଉପାର୍ଜନ ପର୍ଯ୍ୟନ୍ତ ସୀମିତ ନୁହେଁ । ନ୍ୟାୟାଳୟୀୟ ବ୍ୟାଖ୍ୟା ଏବଂ ପରବର୍ତ୍ତୀ ନୀତିଗତ ଉପକରଣଗୁଡ଼ିକ ସ୍ପଷ୍ଟ କରିଛି ଯେ, ପରିବେଶର ସୁରକ୍ଷା ବାଲି ଖନନର ଅବିଭାଜ୍ୟ ଅଂଶ । ଏହି ଆଇନକୁ ବିଶେଷକରି ପରିବେଶ (ସୁରକ୍ଷା) ଆଇନ, ୧୯୮୬ ସହିତ ସମସ୍ତ ପରିବେଶ ଓ ପରିସଂସ୍ଥାନ ସମ୍ବନ୍ଧୀୟ ଆଇନକୁ ସାମିଲ କରିବା ବାଧ୍ୟତାମୂଳକ । ସର୍ବୋଚ୍ଚ ନ୍ୟାୟାଳୟ ଓ ରାଷ୍ଟ୍ରୀୟ ହରିତ ଅଧିକରଣଙ୍କ ନିର୍ଦ୍ଦେଶାନୁସାରେ, ବର୍ତ୍ତମାନ ନଦୀବାଲି ପରି ଗୌଣ ଖଣିଜ ଖନନ ପାଇଁ ମଧ୍ୟ ପରିବେଶ ଅନୁମତି ନିତାନ୍ତ ଆବଶ୍ୟକ, ଯାହା ଜିଲ୍ଲା ସର୍ଭେ ରିପୋର୍ଟ ଏବଂ ପୁନଃପୂରଣ ଅଧ୍ୟୟନ ଉପରେ ପର୍ଯ୍ୟବେସିତ । ଯେତେବେଳେ ଦାୟିତ୍ୱସଂପନ୍ନ ସଂସ୍ଥାସବୁ ଏହି ବେଆଇନ ନଦୀବାଲି କାରବାରକୁ ଆୟତ୍ତ କରିବାରେ ବିଫଳ ହୁଅନ୍ତି, ସେତେବେଳେ ଜାତୀୟ ହରିତ ଅଧିକରଣ ଦୃଢ଼ ଭାବରେ ହସ୍ତକ୍ଷେପ ଏଥିରେ କରନ୍ତି । ଆମକୁ ମନେହୁଏ, ଯେପରି ବାଲି ପ୍ରଚୁର ପରିମାଣରେ ଅଛି ଏବଂ ସହଜରେ ନବୀକରଣ ହୋଇପାରୁଛି, କିନ୍ତୁ ଏହା ଅସତ୍ୟ । ପ୍ରକୃତିର ସମସ୍ତ ପରିସଂସ୍ଥାନ ସହିବାର ସୀମାରେଖା ମଧ୍ୟରେ ନବୀକରଣ କରିପାରେ, କିନ୍ତୁ ସୀମା ବାହାରେ ଏହି କ୍ଷମତା ହରାଇଥାଏ । ଭାରତରେ ଅଣ-ଚିରନ୍ତନ ଓ ବିଜ୍ଞାନସମ୍ମତି ବିହୀନ ନଦୀବାଲି ଖନନ ସବୁଠାରୁ ଗୁରୁତର ପରିବେଶୀୟ ସଙ୍କଟମାନଙ୍କ ମଧ୍ୟରୁ ଗୋଟିଏ । ଏହା ସମଗ୍ର ନଦୀ ପ୍ରଣାଳୀକୁ ଭିତରୁ ଫମ୍ପା କରିଚାଲିଛି । ନଦୀରେ ଥିବା ବାଲି କୌଣସି ନିଷ୍କ୍ରିୟ ପଦାର୍ଥ ନୁହେଁ ବରଂ ଏହା ଏକ ପରିବେଶୀୟ ଇଞ୍ଜିନିୟର । ଏହା ନଦୀପଥର ତିଆରି, ଭୂତଳ ଜଳର ନିୟନ୍ତ୍ରଣ ଏବଂ ଜଳୀୟ ବାସସ୍ଥାନକୁ ନିର୍ଦ୍ଧାରଣ କରେ । ଯେତେବେଳେ ବାଲିର ପୁନଃପୂରଣ ହାରଠାରୁ ଅଧିକ ବାଲି ଉତ୍ତୋଳନ କରାଯାଏ, ସେତେବେଳେ ଏହି ସନ୍ତୁଳନ ଭାଙ୍ଗିପଡ଼େ । ଏକ ସୁସ୍ଥ ନଦୀ, ନଦୀବାଲିର ପରିବହନ ଓ ଜମିବା ପ୍ରକ୍ରିୟା, ଗଭୀର ଏବଂ ଢାଲୁ ଅଞ୍ଚଳ ଆଦି ତିଆରି କରେ । ଏହାଦ୍ୱାରା ମତ୍ସ୍ୟ ଓ ଅନ୍ୟ ଜଳଜ ଜୀବମାନଙ୍କ ବଂଶବୃଦ୍ଧି ତଥା ଭୂ-ଜଳର ନିୟନ୍ତ୍ରଣ ହୁଏ ।
ଅନ୍ତର୍ଜାତୀୟ ସ୍ତରରେ ଚୀନ ପରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ବାଲି ଉପଭୋକ୍ତା ଦେଶ । ଦେଶରେ ପ୍ରତିବର୍ଷ ୧୪ହଜାର ଲକ୍ଷ ଟନ୍ରୁ ଅଧିକ ବାଲି ବ୍ୟବହୃତ ହେଉଛି । କିନ୍ତୁ ପ୍ରାକୃତିକ ନଦୀ ପ୍ରଣାଳୀଗୁଡ଼ିକ ଏହାର ଅଳ୍ପ ଅଂଶକୁ ପୁନଃପୂରଣ କରିପାରନ୍ତି । ତେଣୁ ଚାହିଦା ଓ ପରିବେଶୀୟ କ୍ଷମତା ମଧ୍ୟରେ ବିରାଟ ତାରତମ୍ୟ ରହେ । କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା କରାଯାଇଥିବା ଅଧ୍ୟୟନ ଦର୍ଶାଏ ଯେ, ଭାରତର ଅଧିକାଂଶ ନଦୀ ପ୍ରତିବର୍ଷ ଉତ୍ତୋଳିତ ବାଲିର କେବଳ ୫–୧୦% ମାତ୍ର ପୁନଃପୂରଣ କରିପାରନ୍ତି । ଭାରତରେ ପ୍ରତିବର୍ଷ ୭୦୦୦–୯୦୦୦ ଲକ୍ଷ ଟନ୍ ବାଲି ଅବୈଧ ଭାବେ ଉତ୍ତୋଳନ କରାଯାଉଛି । ବାଲି ଖନନ ଆଧାରିତ ଅର୍ଥନୀତିର ବାର୍ଷିକ ମୂଲ୍ୟ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଏ, କିନ୍ତୁ ଏହାର ଏକ ବଡ଼ ଅଂଶ ଏବେବି ଅଗୋଚର । କେବଳ ସେତିକି ନୁହଁ, ନଦୀ ଉପରେ ନିର୍ଭରଶୀଳ ଜୈବବିବିଧତା ଏବଂ ଅର୍ଥନୀତିର କ୍ଷୟକ୍ଷତି ଏବେବି ଅଜଣା । ଏହା ସହିତ ୮୦%ରୁ ଅଧିକ ବାଲି ଖନନ ଲିଜ୍ରେ ପରିବେଶ ଅନୁମତି ନିୟମ ଉଲ୍ଲଂଘନର ରିପୋର୍ଟ ମଧ୍ୟ ହୋଇଛି ।
ଓଡ଼ିଶାର ନଦୀସମୂହ, ଯାହା ଘନ ଜୈବବିବିଧତା ସହ କୋଟି କୋଟି ଲୋକଙ୍କ ଜୀବିକାର ଉତ୍ସ, ସେଠାରେ ମଧ୍ୟ ଭଗ୍ନଶୀଳ ନଦୀପଠା ବିପନ୍ନ ହେବା ସ୍ଥିତିକୁ ଆସିବା ଉପରେ । ଓଡ଼ିଶାରେ ନଦୀ ଉପର ଅବବାହିକାରେ ଡ୍ୟାମ ନିର୍ମାଣ, ଜଳ ଆହରଣ ସ୍ଥାନରେ ଜଙ୍ଗଲର ହ୍ରାସ ତଥା ନଦୀବନ୍ଧ ସହ ଜଳକୁ ସଂକୁଚିତ ଭାବରେ ଅନ୍ୟତ୍ର ବୁହାଇଦେବା ଯୋଗୁଁ ବର୍ଷାଜଳ ନିର୍ଭରଶୀଳ ନଦୀଗୁଡ଼ିକ ଆହୁରି ଅବ୍ୟବସ୍ଥିତ ହୋଇପଡୁଛନ୍ତି । ନଦୀବାଲି ଉତ୍ତୋଳନ ନଦୀଧାରକୁ ହାରାହାରି ଆହୁରି ୧ରୁ ୩ ମିଟର ପର୍ଯ୍ୟନ୍ତ ଗଭୀର କରିପକାଉଛନ୍ତି। ଓଡ଼ିଶାରେ ୧୧ଟି ପ୍ରମୁଖ ନଦୀ ଏବଂ ୩୦ଟିରୁ ଅଧିକ ମଧ୍ୟମ ଓ ସାନ ନଦୀ ରହିଛନ୍ତି³ ଯାହା ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ରୁଷିକୁଲ୍ୟା, ବୁଢ଼ାବଳଙ୍ଗ ଏବଂ ବଂଶଧାରା ଗୁରୁତ୍ୱପୂର୍ଣ୍ଣ । ଏହି ନଦୀଗୁଡ଼ିକ ରାଜ୍ୟର ୬୦%ରୁ ଅଧିକ ଲୋକସଂଖ୍ୟାର କୃଷି ଜୀବିକା, ମତ୍ସ୍ୟ ତଥା ହେନ୍ତାଳକୁ ସହାୟତା ଦିଏ । ମହାନଦୀ ଓଡ଼ିଶାର ଜୀବନରେଖା ସଦୃଶ । ଏହାର ନଦୀପଠା କଟକ, ଆଠଗଡ଼ରେ ଗଭୀରରୁ ଗଭୀରତର ହୋଇଚାଲିଛି । ବ୍ରାହ୍ମଣୀ ଆଉ ବୈତରଣୀରେ ଶିଳ୍ପାଞ୍ଚଳ ପ୍ରଦୂଷଣ ମଧ୍ୟ ତା'ସହ ଦାଉ ସାଧୁଛି । ସେହିପରି ବ୍ରାହ୍ମଣୀ, ଋଷିକୂଲ୍ୟା, ଦେବୀ ନଦୀ ଅଲିଭ ରିଡଲେ କଇଁଛ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଅବଗତ । ବାଲି ଖନନ ହେଲେ ଭୂଗର୍ଭଜଳ ସ୍ତର କମିଯାଏ, ପାନୀୟ ଜଳସ୍ରୋତ ଶୀଘ୍ର ଶୁଖିଯାଏ ଏବଂ ଉପକୂଳ ଓଡ଼ିଶାରେ ଲବଣୀୟ ପାଣି ପ୍ରବେଶ ବଢ଼ିଥାଏ । ଏହା ମଧୁର ମାଛ, କଚ୍ଛପ, ଅନ୍ୟାନ୍ୟ ଜଳଜ ପ୍ରାଣୀ ଓ ପକ୍ଷୀଙ୍କ ଆବାସକୁ ମଧ୍ୟ ନଷ୍ଟ କରେ । ବାଲି ଖନନ ନଦୀପଠା ଭାଙ୍ଗିବା, ବନ୍ୟାକ୍ଷତି ବଢ଼ାଇଥାଏ । ସୁସ୍ଥ ନଦୀଗୁଡ଼ିକ ଜଳବାୟୁ ପ୍ରଭାବକୁ ହ୍ରାସରେ ସୁରକ୍ଷା ପରତ ଭାବେ ମଧ୍ୟ କାମ କରିଥାନ୍ତି ।
ଏଠାରେ ଓଡ଼ିଶାର ଗୋଟିଏ ଉଦାହରଣ ନିଆଯାଇପାରେ । ଏଠାରେ ସଂଲଗ୍ନ ଗୁଗୁଲ ଆର୍ଥ ମାନଚିତ୍ର ଅନୁସାରେ କଟକ- ଆଠଗଡ଼ ମଝିରେ ଗୋଟିଏ ସ୍ଥାନ, ଯାହାର ଦ୍ରାଘିମା ୮୫.୫୯ ଡ଼ିଗ୍ରୀ ପୂର୍ବ ଏବଂ ଅକ୍ଷାଂଶ ୨୦.୫୨ ଡିଗ୍ରୀ ଉତ୍ତର, ଜାନୁଆରୀ ୨୦୧୮ ଏବଂ ଜାନୁଆରୀ ୨୦୧୬ ମଧ୍ୟରେ ହିସାବ କରିବା ପରେ ବଡ଼ ବିସ୍ମୟକର ତଥ୍ୟ ସାମ୍ନାକୁ ଆସେ । ଧରିନିଆଯାଉ ୧୦କି.ମି. ଦୈର୍ଘ୍ୟ ନଦୀ ଲମ୍ବ ଏବଂ ୪୫୦ ମିଟର ଚୌଡ଼ା ପାଣିସ୍ରୋତରୁ ମାତ୍ର ୨ ମିଟର ଗଭୀରତାରୁ ବାଲି ଖନନ କରାଗଲା । ଏହି ଅନୁମାନ ହିସାବରେ ସେଠାରୁ ଆକଳନ ଅନୁଯାୟୀ ମୋଟ୍ ୮ବର୍ଷରେ ବାର୍ଷିକ ୪ଲକ୍ଷ ଟନ ହିସାବରେ ୩୨ଲକ୍ଷ ଟନ୍ ବାଲି କାଢ଼ି ନିଆଗଲା । ଯଦି ପ୍ରାକୃତିକ ଅବସ୍ଥାରେ ଛାଡ଼ି ଦିଆଯିବ, ତେବେ ଏଥିରେ କେବଳ ୧ଲକ୍ଷ ୬୦ହଜାର ଟନ୍ ବୋଲି ଭରଣା ହୋଇପାରିବ, ଯାହା ପ୍ରାୟ ଅଢ଼େଇ ଗୁଣ କମ୍ । ଅର୍ଥାତ୍ ମହାନଦୀର ପ୍ରାକୃତିକ କ୍ଷମତାଠାରୁ ଆମେ ଅଢ଼େଇ ଗୁଣ ଅଧିକ ବୋଲି ଖୋଲିଲୁ । କିନ୍ତୁ ସରଜମିନ କ'ଣ ଘଟୁଛି ପାଠକମାନେ ଅବଗତ ।
ସଂକ୍ଷିପ୍ତ ମତାମତ ମଧ୍ୟରେ, ଚକ୍ଷୁମୁଦ୍ରିତ କରି ବାର୍ଷିକ ଲିଜ୍ ପରିବର୍ତ୍ତେ ନଦୀର ପୁନଃପୂରଣ କ୍ଷମତା ମଧ୍ୟରେ ଖନନ ଅନୁମତି, ସମ୍ବେଦନଶୀଳ ଅଂଶକୁ "ଖନନ ନିଷିଦ୍ଧ ଅଞ୍ଚଳ’ ଘୋଷଣା, ଯନ୍ତ୍ରଚାଳିତ ମେସିନ ପରିବର୍ତ୍ତେ ହସ୍ତଚାଳିତ ଯନ୍ତ୍ର, ନଦୀବାଲିର ବିକଳ୍ପ ଯଥା- ଆଧୁନିକ ଭାବରେ ନିର୍ମିତ ବାଲି, ନିର୍ମାଣ ଓ ଧ୍ୱଂସାବଶେଷର ବ୍ୟବହାର, ଖଣିଜ ଧୂଳିର ମିଶ୍ରଣ ଆଦିର ପ୍ରୋତ୍ସାହନ ହେବା ଆବଶ୍ୟକ । ଆନୁଷ୍ଠାନିକ ଭାବରେ ଉପଗ୍ରହ ଓ ସ୍ଥାନୀୟ ଗୋଷ୍ଠୀମାନଙ୍କ ମାଧ୍ୟମରେ ସର୍ଭେକ୍ଷଣ ସହ ନଦୀପଠାର ପୁନରୁତ୍ଥାନ, ପାରିପାଶ୍ୱର୍ିକ କ୍ଷତିଭରଣା, ଦାୟିତ୍ୱବାନ ଅନୁଷ୍ଠାନମାନଙ୍କ ଉପଯୁକ୍ତ ଉତ୍ତରଦାୟିତ୍ୱ ସହ ବାଲି ଖନନ ଖଣି ନିୟନ୍ତ୍ରଣ, ଜଳ ଏବଂ ଜଳବାୟୁ ନିୟମକାନୁନ ପରିପାଳନ କାର୍ଯ୍ୟ ସହ ସଂଯୁକ୍ତ ହେବା ଏକାନ୍ତ ବିଧେୟ ନିଶ୍ଚୟ ।