ନୂଆଦିଲ୍ଲୀ : ପଞ୍ଜାବ ବିପକ୍ଷ ମ୍ୟାଚ ସମୟରେ ଇ-ସିଗାରେଟ୍ ଟାଣି ବେଶ ଚର୍ଚ୍ଚରେ ରହିଥିଲେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ୍ ପରାଗ। ନ୍ୟୁ ଚଣ୍ଡିଗଡ଼ରେ ମ୍ୟାଚ ସମୟରେ ସେ ଇ-ସିଗାରେଟ ଟାଣିଥିବା ନଜରକୁ ଆସିଥିଲା । ଭିଡିଓ ବେଶ ଭାଇରାଲ ହେବା ପରେ ଆକ୍ସନ ନେବାକୁ ସୋସିଆଲ ମିଡିଆରେ ଦାବି ହୋଇଥିଲା । ଆଉ ଏବେ ହୋଇଛି କାର୍ଯ୍ୟାନୁଷ୍ଠାନ ।

ଡ୍ରେସିଂ ରୁମରେ ବସି ଇ-ସିଗାରେଟ ଟାଣିଥିଲେ । ଯାହା ଉପରେ ଗ୍ରହଣ କରାଯାଇଛି କାର୍ଯ୍ୟାନୁଷ୍ଠାନ । ଫଳ ସ୍ବରୂପ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ କଟାଯିବ । ତାଙ୍କୁ ୨୫ ପ୍ରତିଶତ ଜରିମାନା କରାଯାଇଛି । ଏହାସହ ଗୋଟିଏ ଡି-ମେରିଟ୍ ପଏଣ୍ଟ ମଧ୍ୟ ତାଙ୍କ ନାମରେ ଯୋଡ଼ି ହୋଇଯାଇଛି । ଯଦିଓ ଆଇପିଏଲରେ ଏଭଳି ଅନେକ ଅଧିନାୟକଙ୍କୁ ଦଣ୍ଡିତ କରାଯାଇଛି ଏବଂ ମ୍ୟାଚ୍ ଫି’ କଟାଯାଇଛି କିନ୍ତୁ ଏହା ପ୍ରଥମ ଘଟଣା । ଇ-ସିଗାରେଟ୍ ବା ଭେପିଂ କରିବାରେ ପରାଗ ପ୍ରଥମ ଖେଳାଳି ।

ରିୟାନ ପରାଗ ଆଇପିଏଲ ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାସହ ମ୍ୟାଚ ରେଫରି ଅମିତ ଶର୍ମାଙ୍କ ନିକଟରେ ନିଜର ଦୋଷକୁ ମାନିଛନ୍ତି । ଭାରତରେ ୨୦୧୯ ମସିହାରୁ ଭେପିଂ ବା ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିସିସିଆଇ ନିୟମ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ବ୍ୟତୀତ ଧୂମପାନ ଏବଂ ଭେପିଂକୁ କଡ଼ାକଡ଼ି ନିଷେଧ କରାଯାଇଛି। ତଥାପି, ରିୟାନ୍ ପରାଗ ଡ୍ରେସିଂ ରୁମରେ ଏପରି କରୁଥିବାର ଦେଖାଯାଇଥିଲା। ଫଳସ୍ୱରୂପ, ତାଙ୍କୁ ଏବେ ୨୫ ପ୍ରତିଶତ ଜରିମାନା କରାଯାଇଛି। ତଥାପି, ରିୟାନ୍ ପରାଗ ଏକମାତ୍ର କ୍ରିକେଟର ନୁହଁନ୍ତି ଯିଏ ସିଗାରେଟ୍ କିମ୍ବା ଇ-ସିଗାରେଟ୍ ଟାଣିଥିଲେ। ତାଙ୍କ ପୂର୍ବରୁ, ଆରୋନ୍ ଫିଞ୍ଚ ମଧ୍ୟ ୨୦୨୦ ମସିହାରେ ଏପରି କରୁଥିବାର ଧରାପଡ଼ିଥିଲେ ଏବଂ ଏବି ଡିଭିଲିୟର୍ସଙ୍କୁ ମଧ୍ୟ SA20 ମ୍ୟାଚ୍ ସମୟରେ ଏପରି କରୁଥିବାର ଦେଖାଯାଇଥିଲା।

ଏହାସହ ପଢ଼ନ୍ତୁ: IPL Controversy: ଡ୍ରେସିଂ ରୁମରେ ଇ-ସିଗାରେଟ୍‌ ଟାଣି ବିବାଦରେ ପରାଗ, ବିସିସିଆଇ ଦେଲା ଅଲଟିମେଟମ୍‌