କଣ୍ଟାବାଞ୍ଜି,୧୦ /୦୯ : ବଲାଙ୍ଗୀର ଜିଲ୍ଲା  କଣ୍ଟାବାଞ୍ଜିର ତୁରେଇକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଟ୍ରକ ଧକ୍କାରେ ବୃଦ୍ଧ ମୃତ। ମୃତକ ହେଲେ ଢୁଣ୍ଡିମହୁଲ ଗାଁର ଛବି ତାଣ୍ଡି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ବୁଧବାର କଣ୍ଟାବାଞ୍ଜି ଆର ଏମସିରେ ଗୋରୁ ହାଟ ବସିଥାଏ। ତେଣୁ ଛବି ଭୋରରୁ ଦୁଇ ବଳଦକୁ ସାଙ୍ଗରେ ଧରି ବିକ୍ରି କରିବା ପାଇଁ ଚାଲି ଚାଲି କଣ୍ଟାବାଞ୍ଜି  ଯାଉଥିଲେ । ସେହି ସମୟରେ  ଧାମନଡଙ୍ଗା  ଗାଁ ନିକଟରେ ବଙ୍ଗୋମୁଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଛବିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଛବିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦୁଇଟି ବଳଦ ଗରୁତର ହୋଇ  ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ଦୁର୍ଘଟଣା ଘଟେଇ ଟ୍ରକଟି ଫେରାର ମାରୁଥିବାବେଳେ ପୁଲିସ ସୂଚନା ପାଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ସେପଟେ ଛବି ତାଣ୍ଡି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଗ୍ରାମବାସୀ ଏବଂ ପରିବାର ଲୋକ ରାସ୍ତା ଉପରେ ମୃତଦେହ ରଖି ଟ୍ରକ ମାଲିକଙ୍କ ଠାରୁ କ୍ଷତିପୂରଣ ସହ ସରକାରୀ ସହାୟତା ଯୋଗେଇଦେବା ପାଇଁ ଅଡି ବସିଛନ୍ତି। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ସହିତ ଅଧିକ ତଦନ୍ତ କରୁଛି।