ଢେଙ୍କାନାଳ,୨୮/୧୧: ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର କଲ୍ୟାଣୀ ଗ୍ୟାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଉପରେ ମାଡିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣ ସ୍କୁଟି ଆରୋହୀ ମୃତ । ମୃତକମାନେ ଅନୁଗୁଳ ବନ୍ତଳା ଥାନା କଞ୍ଜା ଗାଁର ସୁରେନ୍ଦ୍ର ବେହେରା , ଢେଙ୍କାନାଳ ତୁମୁସିଂହା ଥାନା ମାଛିଆ ଗାଁର ମିଥୁନ ପାତ୍ର , କଟକ ଜିଲ୍ଲା ମାହାଙ୍ଗା ଥାନା ଜଳେଶ୍ବରପୁର ଗାଁର ଜଗନ୍ନାଥ ଦାଶ ବୋଲି ଜଣାପଡିଛି । ସମସ୍ତେ ଚୌଦ୍ୱାରର ଏକ ହୋଟେଲରେ କାମ କରୁଥିଲେ।
ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ୩ ଜଣ ଯୁବକ ଏକ ସ୍କୁଟିରେ ଢେଙ୍କାନାଳରୁ କଟକ ଆଡକୁ ଯାଉଥିଲେ । ସେହି ସମୟରେ ସେମାନଙ୍କର ଟ୍ରକ ସହ ଧକ୍କା ହୋଇଥିଲା । ୩ ଜଣ ଯାକ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ରହିଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଗୋବିନ୍ଦପୁର ଫାଣ୍ଡି ପୁଲିସ କହିଛି।