ଦାରିଙ୍ଗବାଡ଼ି, ୧୧।୬: ବର୍ଷା ହେଲେ ରାସ୍ତା ସାରା କାଦୁଅ ହୋଇଯାଉଛି । ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଉଛି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ରାସ୍ତାରେ ଏଭଳି ପରିସ୍ଥିତି ଉପୁଜିଛି । ସିମନବାଡ଼ିଠାରୁ ଡକରବାଡ଼ି ପର୍ଯ୍ୟନ୍ତ ୩ କିଲୋ ମିଟର ରାସ୍ତା ନିର୍ମାଣ ହୋଇଛି । ଏହି ରାସ୍ତା ଉପରେ ୪ଟି ଗାଁର ଲୋକେ ନିର୍ଭରଶୀଳ । ଡକରବାଡ଼ି ଗାଁର ୧୦୦ ପରିବାର, ସୁଲୁକୁଟି ଗାଁର ୩୦ ପରିବାର ଓ ଆଡକି ଗାଁର ୨୦ ପରିବାର ନିର୍ଭର କରିଥାନ୍ତି । ଏଥିସହିତ କ. ନୂଆଗାଁ ବ୍ଲକର ବାଲିଗାଡ଼ା ପଞ୍ଚାୟତ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି । ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ଯୋଗୁଁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମାଟି ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତା ସାରା କାଦୁଅ ହୋଇଯାଉଛି । ଗାଡ଼ି ହେଉ ଅବା ସାଇକେଲରେ ଏହି ରାସ୍ତା ଦେଇ ଯିବା ସମ୍ଭବ ହେଉନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ପ୍ରଶାସନ ନିକଟରେ ଅନେକ ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଭିଯୋଗର ସମାଧାନ ହୋଇନାହିଁ । ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଏ ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ଏହି ମାଟି ରାସ୍ତାକୁ ଯଥାଶୀଘ୍ର ପକ୍କା ରାସ୍ତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ଏ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ପଛ ଘୁଞ୍ଚା ଦେବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି ।