୨୦୧୪ରେ ଭାରତରେ କେବଳ ୯୧ ହଜାର କିଲୋମିଟର ଜାତୀୟ ରାଜପଥ ଥିଲା । ୨୦୨୪ ବେଳକୁ ଏହି ନେଟୱାର୍କରେ ପ୍ରାୟ ୬୦% ବୃଦ୍ଧି ହୋଇ ୧.୪୬ଲକ୍ଷ କିଲୋମିଟର ହୋଇଛି । ରାସ୍ତା ନିର୍ମାଣର ଦୈନିକ ଗତି ୧୨ କିଲୋମିଟରରୁ ୨୮ରୁ ୩୦ କିଲୋମିଟର ହୋଇଛି । ୫.୩୫ଲକ୍ଷ କୋଟି ଟଙ୍କାର ଭାରତମାଳା ପ୍ରକଳ୍ପ ଅଧୀନରେ ଆର୍ଥିକ କରିଡର, ଅନ୍ତର୍ଜାତୀୟ ସୀମା ରାସ୍ତା ଏବଂ ସୀମାବର୍ତ୍ତୀ ଅଞ୍ଚଳ ସଂଯୋଗୀକରଣ ସମେତ ୬୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି ।
୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଆସୁଛି । ଏହି ଦିଗରେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭିତ୍ତିଭୂମି ବିକାଶର କେନ୍ଦ୍ରବିନ୍ଦୁ ପାଲଟିଛି । ମୋଦିଙ୍କ ନେତୃତ୍ୱରେ, ଏହି ମନ୍ତ୍ରଣାଳୟ ୨୦୧୪ ମସିହାରୁ ଆଜି ଯାଏଁ, ଏହି ୧୧ବର୍ଷ ମଧ୍ୟରେ କେବଳ ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିନାହିଁ ବରଂ ଏହାକୁ ଏକ ନୂତନ ପରିଭାଷା ଦେଇଛି ।
ରାଜପଥ, ସେ ସମ୍ପୂର୍ଣ୍ଣ ରାଜପଥ ହେଉ ବା ନିର୍ମାଣାଧୀନ, ଦେଶର ବିକାଶର ଦିଗ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦୃଢ଼ ରାଜପଥ, ଜଳପଥ ଏବଂ ରେଳପଥର ଭିତ୍ତିଭୂମି ମାଲ ପରିବହନ ଓ ସେବା ପ୍ରଦାନ ଖର୍ଚ୍ଚକୁ ହ୍ରାସ କରିପାରିବ ଏବଂ ଅର୍ଥନୀତିକୁ ତ୍ୱରାନ୍ୱିତ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ‘ବିଶ୍ୱଗୁରୁ'ରେ ପରିଣତ କରିବା ନେଇ ସ୍ୱପ୍ନ ଦେଖନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବରେ ଉଭା ହୋଇଛି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ, ଆମକୁ ରପ୍ତାନି ବୃଦ୍ଧି କରିବାକୁ ପଡ଼ିବ, ଯାହାଫଳରେ କୃଷି, ସେବା ଏବଂ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ବୃଦ୍ଧି ପାଇବ ।
ଗତ ୧୧ବର୍ଷ ମଧ୍ୟରେ ନିର୍ମିତ ରାସ୍ତାଗୁଡ଼ିକ ଆମର ଲଜିଷ୍ଟିକ୍ସ ଖର୍ଚ୍ଚକୁ ୧୬%ରୁ ୧୦%କୁ ହ୍ରାସ କରିଛି । ଆଗାମୀ ବର୍ଷ ଆମେ ଏହାକୁ ଆହୁରି କମାଇ ୯%କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛୁ । ଏହା ଆମର ରପ୍ତାନି ବୃଦ୍ଧି କରିବ, ଆମକୁ ଅଧିକ ପ୍ରତିଯୋଗିତାମୂଳକ କରିବ ଏବଂ ଭାରତକୁ ‘ବିଶ୍ୱଗୁରୁ' ହେବା ଦିଗରେ ଅଧିକ ସହାୟକ ହେବ ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ସାରା ଦେଶରେ ୨୫ଟି ନୂତନ ଗ୍ରୀନଫିଲ୍ଡ ଏକ୍ସପ୍ରେସ ହାଇୱେ ନିର୍ମାଣ ଜାରି ରହିଛି । ବନ୍ଦରଗୁଡ଼ିକୁ ସଂଯୋଗ କରିବା ଏବଂ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ୩୦୦୦ କିଲୋମିଟରରୁ ଅଧିକ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି । ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ବାସ୍ତବ ରୂପ ନେଉଛି । ୨୨,୦୦୦ କୋଟି ଟଙ୍କା ବ୍ୟୟରେ ସମାପ୍ତ ହୋଇଥିବା ବୌଦ୍ଧ ସର୍କିଟ୍ ପ୍ରକଳ୍ପ, ଦକ୍ଷିଣ ଏସିଆ, ଇଣ୍ଡାନେସିଆ, ମାଲେସିଆ, ଚୀନ୍, ସିଙ୍ଗାପୁର ଏବଂ ଜାପାନରୁ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ଯଥେଷ୍ଟ ବୃଦ୍ଧି କରିଛି ।
ଏହା ସହିତ, ସନାତନୀଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଚାରି ଧାମ- ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି । ୧୨,୦୦୦ କୋଟି ଟଙ୍କା ବ୍ୟୟରେ କେଦାରନାଥକୁ ସଂଯୋଗ କରିବା ପାଇଁ ଏକ ରୋପୱେ ନିର୍ମାଣ କରାଯାଉଛି । ଉତ୍ତରାଖଣ୍ଡର କୈଳାସ ମାନସରୋବରକୁ ପିଥୋରାଗଡ଼ ସହିତ ସଂଯୋଗ କରୁଥିବା ରାସ୍ତାର ପ୍ରାୟ ୯୦% ରାସ୍ତା ସମ୍ପୂର୍ଣ୍ଣ ହୋଇଛି ।
ଭାରତରେ, ବିଶେଷକରି ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର୍)ରେ ‘ଉଡ଼ନ୍ତା ବସ୍' (ଫ୍ଲାଇଂ ବସ୍)ର ସ୍ୱପ୍ନ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଏଥିରେ ଏରିଏଲ ବସ୍, ଫ୍ଲାସ୍-ଚାର୍ଜିଂ ଇଲେକଟ୍ରିକ୍ ବସ୍ ଏବଂ ପାହାଡ଼ିଆ ଅଞ୍ଚଳ ପାଇଁ ଉଡ଼ନ୍ତା ଡବଲ୍-ଡେକର୍ ବସ୍ ଅନ୍ତର୍ଭୁକ୍ତ । ଦିଲ୍ଲୀର ଧୌଲା କୁଆଁରୁ ମାନେସର ପର୍ଯ୍ୟନ୍ତ ସ୍କାଏୱେ ସିଷ୍ଟମ ଉପରେ ଆଧାରିତ ଉଡ଼ନ୍ତା ବସ୍ ସେବା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଁ ନିଶ୍ଚିତ ଯେ, ଏହି ପରୀକ୍ଷଣ ଏହି ନିର୍ଦ୍ଦିଷ୍ଟ ରୁଟ୍ରେ ଟ୍ରାଫିକ୍ ଜାମ୍ର ଚିରସ୍ଥାୟୀ ସମସ୍ୟାର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
ପ୍ରଥମ ଫ୍ଲାସ୍-ଚାର୍ଜିଂ ଇଲେକଟ୍ରିକ୍ ବସ୍ ଖୁବ୍ଶୀଘ୍ର ନାଗପୁରରେ ଆରମ୍ଭ ହେବ । ଏଥିରେ ୧୩୫ ସିଟ୍, ଏକଜିକ୍ୟୁଟିଭ୍ କ୍ଲାସ୍, ସାମ୍ନାରେ ଟିଭି ସ୍କ୍ରିନ୍ ଏବଂ ଏୟାର ହାଷ୍ଟେସ୍ ଭଳି ବସ୍ ହୋଷ୍ଟେସ୍ ରହିବେ । ବସ୍ର ସର୍ବାଧିକ ଗତି ଘଣ୍ଟାପ୍ରତି ୧୨୦କିମି. ରହିବ । ପୁଣି ଏହି ଯାତ୍ରା ସମୟରେ ପ୍ରତି ୪୦ କିଲୋମିଟର ଦୂରତାରେ ୩୦ ସେକେଣ୍ଡ ସମୟ ପାଇଁ ଅଟକିବ । ଏହି ରହଣି ସମୟରେ ବସ୍ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ । କେବଳ ଏକ କାର୍ଯ୍ୟାଳୟରେ ବସି ଡିପିଆର ପ୍ରସ୍ତୁତ କରି ଏହା କରାଯାଇପାରିବ ନାହିଁ, ଏଥିପାଇଁ ବହୁତ ପ୍ରୟାସ ଆବଶ୍ୟକ!
ଆଇଆଇଏମ୍-ବାଙ୍ଗାଲୋର ଦ୍ୱାରା ରାସ୍ତା ନିର୍ମାଣ ଉପରେ ହୋଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଜାତୀୟ ରାଜପଥ (ଏନ୍ଏଚ୍) ନିର୍ମାଣରେ ଖର୍ଚ୍ଚ ହେଉଥିବା ପ୍ରତ୍ୟେକ ୧ଟଙ୍କା ଭାରତର ଜିଡିପିରେ ୩.୨୧ ଟଙ୍କା ଯୋଡ଼ିଥାଏ, ଯାହା ୩.୨ ଗୁଣ ପ୍ରଭାବ ପକାଇଥାଏ । ଫଳସ୍ୱରୂପ, ଘରୋଇ ଉତ୍ପାଦନ ୯% ଏବଂ କାର୍ ବିକ୍ରୟ ୧୦.୪% ବୃଦ୍ଧି ପାଇଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା କାର୍ଯ୍ୟ କେବଳ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିନାହିଁ, ବରଂ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛି ।
କିଛି ଉଲ୍ଲେଖନୀୟ ପରିସଂଖ୍ୟାନ: ୨୦୧୪ରେ, ଭାରତରେ କେବଳ ୯୧ ହଜାର କିଲୋମିଟର ଜାତୀୟ ରାଜପଥ ଥିଲା । ୨୦୨୪ ବେଳକୁ ଏହି ନେଟୱାର୍କରେ ପ୍ରାୟ ୬୦% ବୃଦ୍ଧି ହୋଇ ୧.୪୬ଲକ୍ଷ କିଲୋମିଟର ହୋଇଛି । ରାସ୍ତା ନିର୍ମାଣର ଦୈନିକ ଗତି ୧୨ କିଲୋମିଟରରୁ ୨୮ରୁ ୩୦ କିଲୋମିଟର ହୋଇଛି । ୫.୩୫ଲକ୍ଷ କୋଟି ଟଙ୍କାର ଭାରତମାଳା ପ୍ରକଳ୍ପ ଅଧୀନରେ ଆର୍ଥିକ କରିଡର, ଅନ୍ତର୍ଜାତୀୟ ସୀମା ରାସ୍ତା ଏବଂ ସୀମାବର୍ତ୍ତୀ ଅଞ୍ଚଳ ସଂଯୋଗୀକରଣ ସମେତ ୬୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଭାରତର ଲଜିଷ୍ଟିକ୍ସ ଖର୍ଚ୍ଚକୁ ଆହୁରି ହ୍ରାସ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ।
‘ଗତି ଶକ୍ତି' ଏବଂ ବହୁମୁଖୀ ସଂଯୋଗୀକରଣ ପଦକ୍ଷେପଗୁଡ଼ିକ ରାସ୍ତା, ରେଳ, ଆକାଶପଥ, ଜଳପଥ ଏବଂ ବନ୍ଦରଗୁଡ଼ିକୁ ଏକକ ଡିଜିଟାଲ ପ୍ଲାଟଫର୍ମରେ ଏକୀକୃତ କରିଛି, ଯାହା ସମୟସୀମା ମଧ୍ୟରେ ପ୍ରକଳ୍ପ ସମାପ୍ତିକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି । ଆମର ମନ୍ତ୍ରଣାଳୟ ମଧ୍ୟ ସରକାରୀ-ବେସରକାରୀ ସହଭାଗିତା (ପିପିପି) ମଡେଲ ମାଧ୍ୟମରେ ରାସ୍ତା ବିକାଶ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି, ଯାହା ଗୁରୁତ୍ୱପୂର୍ଣ୍ଣ ଘରୋଇ ନିବେଶକୁ ଆକର୍ଷିତ କରିଛି । ଏହି ମଡେଲ ଅଧୀନରେ, ୧୨ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାସ୍ତା ପ୍ରକଳ୍ପ ହାତକୁ ନିଆଯାଇଛି ।
୨୦୧୪ରେ ଆରମ୍ଭ ହୋଇଥିବା ଏହି ଯାତ୍ରା କେବଳ ରାସ୍ତା ବିଷୟରେ ନୁହେଁ, ଏହା ଭାରତର ପ୍ରଗତିର ଜୀବନରେଖା ପାଲଟିଛି । ରାଜପଥ ନେଟୱାର୍କର ବିସ୍ତାର କେବଳ ଯାତ୍ରାକୁ ସହଜ କରିଛି ତାହା ନୁହେଁ, ବରଂ ଘରୋଇ ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ ଏବଂ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରିଛି ।
ପ୍ରଥମ ଦିନରୁ, ଆମ ସରକାର ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଅନ୍ତର୍ଭୁକ୍ତିମୂଳକ ବିକାଶକୁ ନିଶ୍ଚିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଆସୁଛି । ଏହି ଲକ୍ଷ୍ୟକୁ ଯଥାଶୀଘ୍ର ହାସଲ କରିବା ପାଇଁ ଆମେ ଆଗାମୀ ବର୍ଷଗୁଡ଼ିକରେ ଏହି କାର୍ଯ୍ୟକୁ ଆହୁରି ଦ୍ରୁତଗତିରେ କରିବାକୁ ପ୍ରତିବଦ୍ଧ ।
ବର୍ତ୍ତମାନ ଆମେ ବିଶ୍ୱସ୍ତରୀୟ ୨୦୪୭ ସୁଦ୍ଧା ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ଏବଂ ଆମର ଜାତୀୟ ରାଜପଥ ନେଟୱାର୍କକୁ ଆମେରିକା ଅପେକ୍ଷା ଭଲ କରିବା ପାଇଁ ଆମର ଏକ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି, ଯାହାଦ୍ୱାରା ଭାରତ ଏକ ଆର୍ଥିକ ମହାଶକ୍ତି ହୋଇପାରିବ ।
"ଆମେରିକା ଧନୀ ହୋଇଥିବାରୁ ଏହାର ଭଲ ରାସ୍ତା ରହିଛି ତାହା ନୁହେଁ, ଆମେରିକା ଧନୀ, କାରଣ ଏହାର ଭଲ ରାସ୍ତା ରହିଛି’ । ପୂର୍ବତନ ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଏହି ଉକ୍ତିଟିକୁ ଦିଲ୍ଲୀର ପରିବହନ ଭବନରେ ଥିବା ମୋ କାର୍ଯ୍ୟାଳୟରେ ଏବଂ ପୂର୍ବରୁ ଯେତେବେଳେ ମୁଁ ମହାରାଷ୍ଟ୍ରରେ ମନ୍ତ୍ରୀ ଥିଲି ସେତେବେଳେ ଲଗାଯାଇଛି । ଗତ ୧୧ବର୍ଷ ଧରି ମୋଦିଜୀଙ୍କ ନେତୃତ୍ୱରେ ଏହା ଆମର ମାର୍ଗଦର୍ଶକ ମନ୍ତ୍ର ହୋଇଆସିଛି ।
ଆମେ ଭବିଷ୍ୟତରେ ଏହି କାର୍ଯ୍ୟକୁ ଆହୁରି ଦ୍ରୁତଗତିରେ ଆଗକୁ ନେବାକୁ ପ୍ରତିବଦ୍ଧ । ଆଗାମୀ ବର୍ଷଗୁଡ଼ିକରେ, ଭାରତର ସଡ଼କ ପରିବହନ ଭିତ୍ତିଭୂମି ଆମେରିକା ଅପେକ୍ଷା ଭଲ ହେବ- ଏହା ଏକ ସ୍ୱପ୍ନ ନୁହେଁ ବରଂ ଏକ ବାସ୍ତବତା, ଯାହା ରୂପ ନେଉଛି । ଗୁଣବତ୍ତା, ଗତି, ସ୍ୱଚ୍ଛତା ଏବଂ ପରିବେଶ-ଅନୁକୂଳ ନୀତିରେ ସନ୍ତୁଳନ ବଜାୟ ରଖି ଭାରତର ଜାତୀୟ ରାଜପଥ ନେଟୱାର୍କ ବିଶ୍ୱସ୍ତରରେ ସ୍ୱୀକୃତି ପାଇବ ।