ନୂଆଦିଲ୍ଲୀ,୨/୧ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ସେମାନେ ଏ ନେଇ କୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିନଥିଲେ । ମାତ୍ର ଏବେ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ନିଜର ସୋସିଆଲ ମିଡ଼ିଆରେ ରେହାନଙ୍କ ନିର୍ବନ୍ଧ ଫଟୋ ପୋଷ୍ଟ କରିଛନ୍ତି । ଅବିବାଙ୍କ ସହ ରେହାନଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ରବର୍ଟ ଲେଖିଛନ୍ତି କି, ପୁଅକୁ ତାଙ୍କ ଜୀବନସାଥୀ ମିଳିଗଲା । ପୁଅ ଏବେ ଜୀବନର ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି । ସେମାନଙ୍କ ଦୃଢ଼ ପ୍ରେମ ଏବଂ ବିଶ୍ବାସକୁ ମୁଁ ହୃଦୟରୁ ଆଶୀର୍ବାଦ କରୁଛି । ଉଭୟ ଆଗକୁ ବଢ଼ନ୍ତୁ ।
ଗତ ୨୯ ତାରିଖରେ ରେହାନ ଏବଂ ଅବିବାଙ୍କ ନିର୍ବନ୍ଧ ରାଜସ୍ଥାନରେ ହୋଇଛି । ରେହାନ ନିଜର ଇନଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ପୋଷ୍ଟ କରିଛନ୍ତି। ମୁଦି ସହ ଜୀବନସାଥୀଙ୍କ ଫଟୋକୁ ସେ ପୋଷ୍ଟ କରିଛନ୍ତି । ସେମାନଙ୍କ ସମ୍ପର୍କକୁ ଉଭୟ ପରିବାର ପକ୍ଷରୁ ସହମତି ମିଳିଥିବା ଜଣା ପଡ଼ିଛି । ସେପଟେ ପ୍ରିୟଙ୍କା ଗାନ୍ଧି ମଧ୍ୟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ ସେମାନଙ୍କୁ ଆଶୀର୍ବାଦ କରିଛନ୍ତି । ସେ ଲେଖିଛନ୍ତି କି, ଉଭୟ ଉଭୟଙ୍କୁ ଏଭଳି ଭଲ ପାଇବା ଜାରି ରଖ ।
କହି ରଖୁଛି କି, ରେହାନ ଏବଂ ଅବିବା ଉଭୟ ପିଲା ଦିନର ବନ୍ଧୁ । ସେମାନେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏବେ ନିର୍ବନ୍ଧ ସରିଛି । ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବାବେଳେ ପରିବାର ଲୋକେ ଆଶୀର୍ବାଦ ଦେଇଛନ୍ତି । ଅବିବାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବାବେଳେ ସେ ଜଣେ ପ୍ରଯୋଜିକ ମଧ୍ୟ ଅଟନ୍ତି ।