ନୂଆଦିଲ୍ଲୀ, ୧୭/୦୮: ହରିୟାଣା ଭିୱାନି ଜିଲ୍ଲାର ପୂଜା ନରେନ୍ଦ୍ର ଏବେ ଚର୍ଚ୍ଚାରେ । ‘ରୋବୋଟିକ୍‌ ବୋହୂ’ ଭାବେ ସୋସିଆଲ୍‌ ମିଡିଆରେ ସେ ଧୂମ୍‌ ମଚାଉଛନ୍ତି । ତାଙ୍କର ରୋବୋ ଭଳି ଭାବଭଙ୍ଗୀ, ହରିୟାଣୀ ପୋଷାକ ପିନ୍ଧି ବାର୍ବି କଣ୍ଢେଇ ପରି ଅଭିନୟ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣୁଛି । ପୂଜା ମୂଳତଃ ଝାଝର ଜିଲ୍ଲା ଭୂପାନିୟା ଗାଁର ବାସିନ୍ଦା । ଏକ ଘରୋଇ ସ୍କୁଲରେ ସେ ଶିକ୍ଷକତା କରୁଥିଲେ ।

୨୦୧୫ରେ ଭିୱାନିର ନରେନ୍ଦ୍ରଙ୍କ ସହ ତାଙ୍କର ବିବାହ ହୋଇଥିଲା । ନରେନ୍ଦ୍ର ସେତେବେଳେ ଏକ ହୋଟେଲ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ । ଏଥିସହ ସୋସିଆଲ୍‌ ମିଡିଆ ଲାଗି କଣ୍ଟେଣ୍ଟ ପ୍ରସ୍ତୁତି କରୁଥିଲେ । ବିବାହ ପୂର୍ବରୁ ଅତ୍ୟଧିକ ଲାଜକୁଳୀ ଥିବା ପୂଜା ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ପ୍ରୋତ୍ସାହନରେ ସୋସିଆଲ୍‌ ମିଡିଆ ଦୁନିଆରେ ପାଦ ରଖିଲେ । ତେବେ ତାଙ୍କର ଭିଡିଓକୁ ସେତେ ଅଧିକ ଲାଇକ୍‌ ମିଳିଲା ନାହିଁ । ଏହାପରେ ‘ବୋହୂ ହମାରୀ ରଜନୀକାନ୍ତ’ ଧାରାବାହିକର ‘ରୋବୋଟିକ୍‌ ବୋହୂ’ ଚରିତ୍ର ଦେଖି ପୂଜା ସେଭଳି କରିବାକୁ ସ୍ୱାମୀ ନିକଟରେ ଇଚ୍ଛା ପ୍ରକାଶ କଲେ । ନରେନ୍ଦ୍ରଙ୍କୁ ତାଙ୍କର ଏହି ଆଇଡିଆ ବହୁତ ପସନ୍ଦ ଆସିଲା । 

ଇନ୍‌ଷ୍ଟାଗ୍ରାମର ବାର୍ବି ଡଲ୍‌ ଫିଲଟର ସହ ସେ ପୂଜାଙ୍କର ଏକ ଭିଡିଓ ପ୍ରସ୍ତୁତ କଲେ । ସେଥିରେ ପୂଜାଙ୍କୁ ଏକ ପ୍ରସିଦ୍ଧ ହରିୟାଣୀ ଗୀତର ତାଳେ ତାଳେ ବାର୍ବି ଡଲ୍‌ ଭଳି ଅଭିନୟ କରିବାର ଦେଖିବାକୁ ମିଳିଥିଲା । ସେହି ଭିଡିଓକୁ ୫ ଲକ୍ଷ ଭ୍ୟୁ ମିଳିବାରୁ ସେମାନଙ୍କର ଉତ୍ସାହ ବଢ଼ିଗଲା । ଏହାପରେ ପୂଜା ପାରମ୍ପରିକ ହରିୟାଣୀ ପୋଷାକ ଓ ଗହଣା ପିନ୍ଧି ରୋବୋଟିକ୍‌ ଷ୍ଟାଇଲ୍‌ରେ ଭିଡିଓ ପ୍ରସ୍ତୁତ କରିଚାଲିଲେ । ତାଙ୍କର ଏକ ଭିଡିଓ ଏପରି ଭାଇରାଲ୍‌ ହୋଇଥିଲା ଯେ କିଛି ସ୍ଥାନୀୟ ଯୁବକ ପୂଜାଙ୍କୁ ପ୍ରକୃତରେ ରୋବୋ ବୋଲି ମନେକରି ଦେଖିବାକୁ ଘରେ ପହଞ୍ଚି ଯାଇଥିଲେ । ଏଭଳିସ୍ଥିତିରେ ଦମ୍ପତି ଏକ ଭିଡିଓ ପୋଷ୍ଟ କରି ସ୍ପଷ୍ଟୀକରଣ ରଖିଥିଲେ । ଏବେ ୟୁଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମରେ ପୂଜାଙ୍କର ଲକ୍ଷ ଲକ୍ଷ ଫଲୋଅର ଅଛନ୍ତି । ନିଜର ଭିଡିଓ ମାଧ୍ୟମରେ ସେ ସବୁବେଳେ ସ୍ଥାନୀୟ ସଂସ୍କୃତିକୁ ଖାସ୍‌ ଗୁରୁତ୍ୱ ଦେଇଥାନ୍ତି । ସାଧାରଣତଃ ବାର୍ବି ଡଲ୍‌କୁ ପାଶ୍ଚାତ୍ୟ ପୋଷାକରେ ଦେଖିବାକୁ ମିଳୁଥିବାବେଳେ ପୂଜା କୁର୍ତ୍ତା ଓ ଓଢ଼ଣୀରେ ତାକୁ ରୋବୋଟିକ୍‌ ଅନ୍ଦାଜରେ ଗ୍ରହଣ କରିଛନ୍ତି । ନୂଆ ପିଢ଼ିକୁ ହରିୟାଣାର ସଂସ୍କୃତି ସହ ଯୋଡି଼ବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।