ନୂଆଦିଲ୍ଲୀ, ୧୫।୪: ଦିଲ୍ଲୀର ରୋହିଣୀ ସ୍ଥିତ ମାଙ୍ଗେ ରାମ ପାର୍କ ଅଞ୍ଚଳରେ ମଙ୍ଗଳବାର ମୃତ୍ୟୁର କରାଳ ରୂପ ଦେଖିଛନ୍ତି ଲୋକେ । ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ୨୫ ମିନିଟ୍ ସମୟରେ ଏକ ପ୍ଲଟ୍ ଭିତରେ ଥିବା କିଛି ବସ୍ତିରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, କେହି କିଛି ବୁଝିବା ଆଗରୁ ସର୍ବସ୍ୱ ଜଳି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙକ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ଜଣେ କୁନି ପିଲା ରହିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୬ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ଅଧିକାରୀ ଅଜୟ ଶର୍ମାଙ୍କ କହିବା ଅନୁଯାୟୀ, ବୁଦ୍ଧ ବିହାରର ଏକ ପ୍ଲଟରେ ୩-୪ଟି ବସ୍ତି ଥିଲା । ସେହି ଲୋକମାନେ ପୁରୁଣା ସାମଗ୍ରୀ ସଂଗ୍ରହ କରି ସେଠାରେ ରଖୁଥିଲେ, ଯେଉଁଥିପାଇଁ ନିଆଁ ଖୁବଶୀଘ୍ର ବ୍ୟାପିଯାଇଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି, କିନ୍ତୁ ଦୁର୍ଭାଗ୍ୟବଶତଃ ତିନି ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ... ​​​​​​​War Effect : ମଧ୍ୟପ୍ରାଚ୍ୟ ଯୁଦ୍ଧ ମାଡ଼ରେ ସବୁ ମହଙ୍ଗା, ଛୋଟ ହେଲା ସାବୁନ ଓ ବିସ୍କୁଟ ପ୍ୟାକେଟ୍... ଫ୍ରିଜ୍‌, ୱାଶିଂ ମେଶିନ ଆକାଶ ଛୁଆଁ

ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଫ୍‌ରା-ତଫ୍ରି ମାହୋଲ ମଧ୍ୟରେ ସ୍ଥାନୀୟ ଲୋକମାନେ ମଧ୍ୟ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଥିଲେ ହେଁ, ଏହି ଦୁଃଖଦ ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ନିମିଷକରେ ବାପା, ମା ସମେତ ପୂରା ପରିବାର ଛାରଖାର ହୋଇଯାଇଛି । ପୁରୁଣା ଭଙ୍ଗାରୁଜା ଜିନିଷ ସଂଗ୍ରହ କରି ପେଟ ପୋଷୁଥିବା ପରିବାରଟି ଆଜି ପାଉଁଶ ହୋଇଯାଇଛି ।