ଇନ୍ଦୋର; ୧୮/୧ : ହିଟମ୍ୟାନ ରୋହିତ ଶର୍ମା । ନିଜର ବଡ଼ ବଡ଼ ସଟ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଦ୍ବିଶତକ ହେଉ ବା ଛକା ମାରିବା ସବୁବେଳେ ଫ୍ୟାନ୍ସଙ୍କ ପସନ୍ଦ ପାଲଟିଛନ୍ତି ରୋହିତ ଶର୍ମା । ମାତ୍ର ନୂଆବର୍ଷ ଆରମ୍ଭ ହୋଇଥିବାବେଳେ ଖରାପ ଦିନ ଦେଖିବାକୁ ପଡ଼ୁଛି ରୋହିତଙ୍କୁ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଫ୍ଲପ୍ ହୋଇଛନ୍ତି ହିଟମ୍ୟାନ୍ । ୨୦୨୭ ବିଶ୍ବକପରେ ରୋହିତଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ହେଉଥିବାବେଳେ ଏବେ ତାଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି । ଗତବର୍ଷ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ରୋହିତଙ୍କ ଉପରେ ବହୁତ ଆଶା ରଖାଯାଇଥିଲା । କିନ୍ତୁ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାହା ଦେଖିବାକୁ ମିଳିନି ।
ଇନ୍ଦୋରରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚରେ ସେ ମାତ୍ର ୧୧ ରନ କରି ପାଭିଲିୟନ ଫେରିଥିଲେ। ସମ୍ପୂର୍ଣ୍ଣ ସିରିଜରେ ରୋହିତ ମାତ୍ର ୬୫ ରନ୍ କରିଛନ୍ତି । ଯାହା ତାଙ୍କର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ, ରୋହିତ ଶର୍ମା ଦ୍ରୁତ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉଟ୍ ହୋଇଥିଲେ ଏବଂ ଏହାକୁ ଏକ ବଡ଼ ଇନିଂସରେ ପରିଣତ କରିବାରେ ବିଫଳ ହୋଇଥିଲେ । ମାତ୍ର ନିର୍ଣ୍ଣାୟକ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ ସହ ପୁରୁଣା ଭୁଲକୁ ଦୋହରାଇବେ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ଶେଷ ମ୍ୟାଚରେ ମାତ୍ର ୧୧ ରନ କରିବାରେ ସେ ସକ୍ଷମ ହୋଇଥିଲେ ।
ରୋହିତ ଶର୍ମା ସିରିଜରେ ମାତ୍ର ୬୧ ରନ୍ କରିଥିବାବେଳେ ହାରାହାରି ୨୦ ରହିଛି । ଯାହାକି ତାଙ୍କ କ୍ୟାରିୟରରେ ଖରାପ ପ୍ରଦର୍ଶନ । ଏହା ପୂର୍ବରୁ ୧୫ ବର୍ଷ ପୂର୍ବେ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ସେ କେବଳ 49 ରନ୍ କରିପାରିଥିଲେ । ପରେ ୨୦୧୩ ମସିହାରୁ ସେ ଲଗାତାର ଓପନର ବ୍ୟାଟ୍ସମ୍ୟାନ ଭାବେ ଖେଳି ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ଆଗାମୀ ସିରିଜରେ ରୋହିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।