ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଉତ୍ତରଣ ଓ ଧୃବୀକରଣରେ ଯେଉଁସବୁ ଉପାଦାନ ଉପରେ ଗୁରୁତ୍ୱ ଦିଆଯିବା କଥା, ତା' ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ, କାରଣ ଅସ୍ମିତା ମୁଖ୍ୟତଃ ଭାଷା ଉପରେ ନିର୍ଭର କରେ । ଓଡ଼ିଆ ଭାଷାର ଉନ୍ନତି ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ବେଞ୍ଚ ପ୍ରତିଷ୍ଠା କରିଦେଲେ ଯେ ସବୁ ସମ୍ଭବ ହୋଇଯିବ ଏକଥା ନୁହେଁ, ଓଡ଼ିଆ ଭାଷାର ବିକାଶ ପାଇଁ ଅଧିକ ସାହିତ୍ୟ ଆବଶ୍ୟକ । ଓଡ଼ିଆ ଭାଷା ସାହିତ୍ୟ ବଞ୍ଚିଲେ ଓଡ଼ିଆ ଭାଷା ବଞ୍ଚିବ । ଓଡ଼ିଆ ଭାଷା ବଞ୍ଚିଲେ ଓଡ଼ିଆ ଜାତି ବଞ୍ଚିବ, ଓଡ଼ିଆ ଜାତିର ଭିତ୍ତି ଓଡ଼ିଆ ସାହିତ୍ୟ ମାଧ୍ୟମରେ ବଞ୍ଚି ରହିଛି ଓ ରହିପାରିବ ବୋଲି ପ୍ରମାଣିତ ହୋଇ ଆସିଛି । ଏ କଥାକୁ ହୃଦୟଙ୍ଗମ କରି ଆମ ମହାମନୀଷୀଗଣ ଓଡ଼ିଆ ସାହିତ୍ୟ ବିକାଶ ପାଇଁ ଯତ୍ପରୋନାସ୍ତି ଚେଷ୍ଟା ଜାରି ରହିବା ଉଚିତ ବୋଲି ମନେ କରନ୍ତି । ସେମାନେ ଯଥେଷ୍ଟ ଓଡ଼ିଆ ବହି, ପତ୍ରପତ୍ରିକା, ଖବରକାଗଜ ଓ ପ୍ରାଚୀନ ଗ୍ରନ୍ଥ ପ୍ରକାଶ ଦିଗରେ ଗୁରୁତ୍ୱ ଆରୋପ କରିଥାନ୍ତି । କିନ୍ତୁ ସେମାନଙ୍କର ଏ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ଯେଉଁ ସଂସ୍ଥାସବୁ ତତ୍ପର ରହିବା କଥା ସେମାନେ ଓଡ଼ିଆ ଅସ୍ମିତାର କିପରି ଗତିରୋଧ କରନ୍ତି ତାହା ଦେଖିବା କଥା ।

ଆମ ରାଜ୍ୟରେ ଆମ ଭାଷା ଓ ସାହିତ୍ୟର ବିକାଶ ପାଇଁ ଗୋଟିଏ ସାହିତ୍ୟ ଏକାଡେମୀ ରାଜ୍ୟ ରାଜଧାନୀରେ ରହିଛି । ଓଡ଼ିଆ ଭାଷାର ବିକାଶ ପାଇଁ ସେମାନେ ରାଜ୍ୟର କୃତବିଦ୍ୟ ସାହିତ୍ୟିକ ଓ କୃତି ସାହିତ୍ୟର ବିକାଶ ପାଇଁ ବ୍ରତୀ ରହିବେ । ମାତ୍ର ସେମାନଙ୍କ ଏହି ଉଦ୍ଦେଶ୍ୟ କିପରି ଗୁଳାରୁ ବିଚ୍ୟୁତ ହୋଇଛି ତାହା ଦେଖିବା କଥା । ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବହିସବୁ କିଣିବାକୁ ଯାଇ ପାଠକ ତା'ର ଦାମ୍ ଦେଖି ଏପରି ହତାଶ ହେଉଛି ଯେ, ଓଡ଼ିଆ ଭାଷାର ଅସ୍ମିତା କିପରି ବିକାଶ ହୋଇପାରିବ ଏକଥା ଭାବି ହେଉନାହିଁ । ୫୦୦/୬୦୦ ପୃଷ୍ଠାର ସାଧାରଣ ବନ୍ଧାଇ ପୁସ୍ତକର ଦାମ୍ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ଯାଏଁ ରଖାଯାଇଛି । ଓଡ଼ିଆ ପାଠକଟିଏ କିପରି ଏହା କିଣିବ ଓ ପଢ଼ିପାରିବ ତାହାହିଁ ଚିନ୍ତାର ବିଷୟ ।

ସ୍ୱଭାବତଃ ଓଡ଼ିଆମାନେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର । ପ୍ରାଚୀନ କାଳରୁ ଅଧିକ ଦାମ୍ ଦେଇ ବହି କିଣି ପଢ଼ିବା ସମ୍ଭବ ହେଉନଥିବାରୁ ଓଡ଼ିଶାରେ ବହି ପଢ଼ିବାର ଆଧିକ୍ୟ ଦେଖାଯାଏ ନାହିଁ । ଓଡ଼ିଶାରେ ଯଦି କୌଣସି ଲେଖକ ବା ପ୍ରକାଶକ ନିଜ ଉଦ୍ୟମରେ ବହିଟିଏ ଛପାଏ ତାହେଲେ ତାହା ପ୍ରାୟ ବିକ୍ରି ହୁଏନାହିଁ। ତେଣୁ ପ୍ରକାଶକ ଗୋଟିଏ ସଂସ୍କରଣରେ ୫୦୦ ବା ୧୦୦୦ ଖଣ୍ଡରୁ ଅଧିକ ବହି ଛାପେନାହିଁ ।

ଦ୍ୱିତୀୟରେ ରହିଛି ବହିର ଦାମ୍ କଥା । ବହିର ଦାମ୍ ସୁଲଭ ନହେଲେ ପାଠକ କିଣେନାହିଁ କି କିଣିପାରେ ନାହିଁ । ଫଳରେ ଗୁରୁତ୍ୱପୂର୍ଣ୍ଣ ବହି ରଚନା ସବୁ ଛାପା ଖର୍ଚ୍ଚର ଆଧିକ୍ୟ ଯୋଗୁଁ ଛପାଯାଇ ପାରେନାହିଁ ବା ଛପାଗଲେ ବିକ୍ରି ହୁଏନାହିଁ । ଏହି ପରିପ୍ରେକ୍ଷୀରେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ସାହିତ୍ୟକୁ ଛାପି ସୁଲଭ ମୂଲ୍ୟରେ ଓଡ଼ିଆ ସାଧାରଣ ପାଠକଙ୍କୁ ଯୋଗାଇ ଦେବାପାଇଁ ଓଡ଼ିଶା ସରକାର ଓଡ଼ିଶା ସାହିତ୍ୟ ଏକାଡେମୀ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଉଦ୍ଦେଶ୍ୟ ଏଇଆ ଯେ, ସରକାରଙ୍କ ଆର୍ଥିକ ସହାୟତାରେ ଗୁଣାତ୍ମକ ସାହିତ୍ୟ ସୃଷ୍ଟିକରି ସୁଲଭ ମୂଲ୍ୟରେ ସାଧାରଣ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା । ମାତ୍ର ସଂପ୍ରତି କେତେକ ପ୍ରକାଶିତ ପୁସ୍ତକର ଦାମ୍ ଦେଖି ଏଇଆ ମନେହେଉଛି ଯେ, ଏ ପୁସ୍ତକ ଜଣେ ସାଧାରଣ ଛାତ୍ର, ଗବେଷକ, ପାଠକ କିଣି ପଢ଼ିପାରିବେ ତ? ବହିଗୁଡ଼ିକର ଦାମ୍ ଦେଖି ଅନେକ କିଣିନପାରି ହତାଶ ହେଉଥିବା ବେଳେ ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠୁଛି ।

ତେବେ କଥା ହେଉଛି, ଓଡ଼ିଆ ସାହିତ୍ୟ ପାଇଁ ପ୍ରକାଶିତ ପୁସ୍ତକଗୁଡ଼ିକର ଦରଦାମ୍ ନିର୍ଦ୍ଧାରଣର ଆଧାର କ'ଣ ଅଟେ । କିଏ ଏହାକୁ ନିର୍ଦ୍ଧାରଣ କରନ୍ତି । ତା'ର ଭିତ୍ତିଭୂମି କ'ଣ? ଯଦି ପୃଷ୍ଠା ଓ କାଗଜର ଗୁଣକୁ ଏହାର ଆଧାର ବୋଲି ଧରାଯାଇ ବହିର ଦାମ୍ ନିର୍ଦ୍ଧାରଣ କରାଯିବ ତାହେଲେ ଖୁବ୍ ବଡ଼ ବଡ଼ ଓ ତଥ୍ୟଭିତ୍ତିକ ବହିକୁ ଏହାର ନିର୍ଦ୍ଧାରିତ ଦାମ୍ରେ ଓଡ଼ିଆ ପାଠକ କିଣିପାରିବେ ନାହିଁ । ସାଧାରଣ ଓଡ଼ିଆ ପାଠକ ବହି କିଣିବାକୁ ନିର୍ଦ୍ଧାରିତ ଦାମ୍ ଯୋଗାଡ଼ କରିନପାରିଲେ ଓଡ଼ିଆ ଅସ୍ମିତା ବାଧାପ୍ରାପ୍ତ ହେବ । ଓଡ଼ିଆ ବହିର ସୁଲଭ ପ୍ରସାରଣ ଓ ପ୍ରଚାର ହୋଇପାରିବ ନାହିଁ ।

ଭାଷାର ବିକାଶ ପାଇଁ ଅଧିକ ସାହିତ୍ୟ ଆବଶ୍ୟକ । ଭାଷା ବଞ୍ଚିଲେ ଜାତି ବଞ୍ଚିବ । ଦିନେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟରୂପେ ମାନ୍ୟତା ପାଇଥିଲା, ପୁଣି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ମହାନ୍ ଓଡ଼ିଆ ବ୍ୟକ୍ତିତ୍ୱମାନେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ନିଜର କାର୍ଯ୍ୟ କରିବାକୁ ସବୁ ସ୍ତରରେ ପରାମର୍ଶ ଦିଆଯାଇଛି । ସେ କ୍ଷେତ୍ରରେ ଓଡ଼ିଆ ବହିର ମୁଦ୍ରଣକୁ ଓ ପ୍ରକାଶନକୁ ଦେଖି ଏହାର ପ୍ରଚାର ପ୍ରସାର ଯେ ବିଶେଷ ଭାବରେ ହୋଇପାରିବ ସେଥିରେ ସନ୍ଦେହ ସୃଷ୍ଟି ହେଉଅଛି । ଏଣେ ଓଡ଼ିଶାର ଯୁବ ଗୋଷ୍ଠୀର ପଠନ ଇଚ୍ଛା ଦିନକୁ ଦିନ କମିଯାଉଛି । ପୁସ୍ତକ ପ୍ରତି ଆକର୍ଷଣ ବଢ଼ାଇବା ପାଇଁ ସେମାନଙ୍କୁ ସୁଲଭ ମୂଲ୍ୟରେ ପୁସ୍ତକ ଯୋଗାଇବାକୁ ପଡ଼ିବ । ମାତ୍ର ସେପରି ନକରି ଓଡ଼ିଆ ବହିକୁ ହଜାର ହଜାର ଟଙ୍କା ମୂଲ୍ୟ ରଖାଗଲେ ଏହା ଯଥେଷ୍ଟ ଭାବେ ପ୍ରସାର ହୋଇପାରିବ ନାହିଁ ।

ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ ବା ଜନଶିକ୍ଷା ସାଧନ କେନ୍ଦ୍ର ଭଳି ଅନୁଷ୍ଠାନମାନେ ଯେଉଁମାନେ ଓଡ଼ିଆ ପୁସ୍ତକ ପ୍ରକାଶନରେ ଲିପ୍ତ ଅଛନ୍ତି, ସେମାନଙ୍କୁ ସରକାର ଯଥେଷ୍ଟ ପାଣ୍ଠି ଯୋଗାଇଦେଇ ଦରକାରୀ ପୁସ୍ତକଗୁଡ଼ିକୁ କିଣିପାରିଲା ଭଳି ମୂଲ୍ୟ ନିର୍ଦ୍ଧାରଣ କରାଯିବା ଉଚିତ୍ । ନଚେତ୍ ଅନେକ ଦରକାରୀ ବହିପତ୍ର ସାଧାରଣ ପାଠକଙ୍କ ହାତକୁ ଆସିବ ନାହିଁ ବା ଆସିପାରିବ ନାହିଁ । ଫଳରେ ଅନେକ ସତ୍ ସାହିତ୍ୟ ଓ ଆବଶ୍ୟକୀୟ ଜ୍ଞାତବ୍ୟ ବିଷୟରୁ ଓଡ଼ିଆ ପାଠକ ବଞ୍ଚିତ ହେବେ ।

କେବଳ ଓଡ଼ିଆ ପାଠକ ନୁହନ୍ତି, ଓଡ଼ିଆ ଲେଖକ ଯେଉଁମାନେ ଓଡ଼ିଆ ଅସ୍ମିତା ପାଇଁ ଅବିରତ ଚେଷ୍ଟା କରନ୍ତି ତାଙ୍କୁ ନେଇ ମଧ୍ୟ ଅନେକ ବାଧକ ସୃଷ୍ଟିହୁଏ । ଏ ବାଧକ ଘରୋଇ ପ୍ରକାଶନ କ୍ଷେତ୍ରରେ ଯେତେ ହୁଏ, ସରକାରୀ ପ୍ରକାଶନ କ୍ଷେତ୍ରରେ ତା'ଠାରୁ ଅଧିକ ହୁଏ । ଓଡ଼ିଆ ଭାଷାରେ ଲେଖାଲେଖି କରୁଥିବା କବି ଓ ଲେଖକଗଣ ସେମାନଙ୍କର ରୟାଲିଟି ଠିକ୍ ଦାମ୍ରେ ବା ଠିକ୍ ସମୟରେ ପାଆନ୍ତି ନାହିଁ । ରୟାଲିଟି ନପାଇଲେ ସେମାନଙ୍କ ମନ ଦୁଃଖ ହୁଏ, କାରଣ ବର୍ତ୍ତମାନର ସମାଜରେ ମୂଲ୍ୟଭିତ୍ତିକ କର୍ମପ୍ରଣାଳୀ ନିଧାର୍ଯ୍ୟ ହୋଇଥିବାବେଳେ ଲେଖକ ବା କବିଟିଏ କାହିଁକି ତା'ର ପରିଶ୍ରମର ମୂଲ୍ୟରୁ ବଞ୍ଚିତ ହେବ? ଯଦିବା ଲେଖକଙ୍କୁ କୌଣସି ଅନୁଷ୍ଠାନ କିଛି ରୟାଲିଟି ପ୍ରଦାନ କରିଥାଏ ତାହା ଏତେ ନଗଣ୍ୟ ଥାଏ ଯେ, ତାକୁ ନେଇ ଆତ୍ମପ୍ରସାଦ ତ ଦୂରର କଥା, ତା'ର ଖର୍ଚ୍ଚ ଭରଣା ହୋଇପାରେ ନାହିଁ । ଏପରି କ୍ଷେତ୍ରରେ ହତାଶ ଲେଖକ ବା କବିଟି ନିଜ ରଚନା ଅଭ୍ୟାସଟି ବଜାୟ ରଖିବାକୁ ଶହେଥର ଚିନ୍ତା କରେ । ରୟାଲିଟି କ୍ଷେତ୍ରରେ ଲେଖକଙ୍କ ପାଇଁ କୌଣସି ନିର୍ଦ୍ଧାରିତ ମୁଦ୍ରାରାଶିର ସାରଣୀ ନଥିବାବେଳେ ପ୍ରକାଶକ ଦୟା ଦେଖାଇ ଲେଖକଟିକୁ ଯତ୍ କିଞ୍ଚିତ ଅନୁଦାନ ଦିଅନ୍ତି । ଏପରି ହେବାଦ୍ୱାରା ଲେଖକଟି ଅପମାନ ଅନୁଭବ କରିଥାଏ । ତା’ ସୃଷ୍ଟ ରଚନାବଳୀର ଏପରି ଅବମୂଲ୍ୟାୟନ ଦେଖି ସେ ହାହାକାର କରିଉଠେ । ତେଣୁ ସତ୍ ସାହିତ୍ୟ ଓ ଲୋକପ୍ରିୟ ସାହିତ୍ୟ ସୃଷ୍ଟି କରିବାରେ ସେ ନିଜକୁ ନିୟୋଜିତ କରେନାହିଁ ବା କରିପାରେ ନାହିଁ ।

ଅବଶ୍ୟ ସବୁ କ୍ଷେତ୍ରରେ ଏହି ଅନିୟମିତତା ଲାଗି ରହେନାହିଁ । ଓଡ଼ିଆ ସାହିତ୍ୟ ଓ ଆଧ୍ୟାତ୍ମିକ ଚିନ୍ତନ କ୍ଷେତ୍ରରେ ନିଜର ସ୍ଥିତି ଜାରି ରଖିଥିବା ଶ୍ରୀମଦ୍ ଭାଗବତକୁ ସାହିତ୍ୟ ଏକାଡେମୀ ଓଡ଼ିଶାର ପାଠକମାନଙ୍କୁ ମାତ୍ର ୨୫୦ ଟଙ୍କାରେ ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥାଟିକୁ ସମସ୍ତେ ସ୍ୱାଗତ କରନ୍ତି । ଓଡ଼ିଶାର ଘରେ ଘରେ ନିଜର ଆସ୍ଥାନ ଜମାଇ ରଖିବାରେ ଶ୍ରୀମଦ୍ ଭାଗବତର ଭୂମିକା କେବଳ ଏହାର ସୁଲଭ ମୂଲ୍ୟ କାରଣରୁ ସମ୍ଭବ ହୋଇଥିବାରୁ ଓଡ଼ିଶାର କୃତବିଦ୍ୟ ଲେଖକ ରଚନାବଳୀକୁ କମ୍ ଦାମ୍ରେ ପ୍ରସାର କରାଇବାରେ ସରକାରୀ ଅନୁଦାନ ମିଳିବ ନିଶ୍ଚିତ କରାଯିବା ଉଚିତ୍ ।

ଲେଖକମାନେ ହେଲେ ପୁସ୍ତକର ପ୍ରତିଭୂ ଓ ପାଠକମାନେ ହେଲେ ପୁସ୍ତକର ପ୍ରଭୁ । ପ୍ରତିଭୂ ଓ ପ୍ରଭୁ ମଧ୍ୟରେ ସାବଲୀଳ ସମନ୍ୱୟ ରହିବାରେ କେବଳ ସାମାଜିକ ସ୍ତରରେ ନୁହେଁ, ସରକାରୀ ପ୍ରତିଷ୍ଠାନ ପ୍ରକାଶନ ସ୍ତରରେ ମଧ୍ୟ ଉଦ୍ୟମ ଆବଶ୍ୟକ । ଆଜି ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାରେ ହଜାର ହଜାର ମୂଲ୍ୟବାନ ପୁସ୍ତକ ପ୍ରକାଶିତ ହୋଇ ସେହିସବୁ ଭାଷାର ଗୌରବ ବଢ଼ାଉଥିବା ବେଳେ ଓଡ଼ିଆ ଭାଷାରେ ସେପରି ନହୋଇପାରିବାର କାରଣ କ'ଣ ତାହା ଜଣାଯାଉନାହିଁ । ଆମ ପଡ଼ୋଶୀ ବଙ୍ଗଳା ଭାଷାର ଉନ୍ନତି ପାଇଁ ସମୁନ୍ନତ ପୁସ୍ତକକୁ ପ୍ରକାଶରେ ସରକାରଙ୍କ ଭୂମିକା ରହୁଥିବାବେଳେ ଆମ ରାଜ୍ୟରେ ସେପରି କାହିଁକି ହାଇପାରୁନାହିଁ ତାହା ଚିନ୍ତାର ବିଷୟ ହୋଇଅଛି ।

ତେବେ ସେ ଯାହା ହେଉନା କାହିଁକି ଓଡ଼ିଆ ଭାଷା ଓଡ଼ିଆଙ୍କର ଆତ୍ମା ଅଟେ । ଏହାକୁ ପ୍ରତିଷ୍ଠା କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ଅନେକ ମହାମନୀଷୀଙ୍କ ନିଜର ସ୍ୱେଦକ୍ଳିଷ୍ଟ ଶ୍ରମ ନିହିତ ରହିଛି । ସେମାନେ ବର୍ତ୍ତମାନ ନଥିଲେ ବି ସେମାନଙ୍କର ଅମର ଆତ୍ମା ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ଶାନ୍ତି ପାଇବ । ଓଡ଼ିଆ ଭାଷାରେ ରଚିତ ପୁସ୍ତକ, ପତ୍ରପତ୍ରିକାର ପ୍ରଚାର ଓ ପ୍ରସାରରେ ଅମାପ ଆନନ୍ଦଲାଭ କରିବ । ଏସବୁକୁ ଆଖିଆଗରେ ରଖି ଆମ ଓଡ଼ିଆ ପୁସ୍ତକ ପ୍ରକାଶନ ସଂସ୍ଥା ଯତ୍ନବାନ ହେବା ସହ ସରକାରୀ ସଂସ୍ଥାଗୁଡ଼ିକ ରିହାତି ଦରରେ ପୁସ୍ତକ ପ୍ରକାଶ କଲେ ଓଡ଼ିଶା ରାଜ୍ୟ ଓ ଭାଷାର ଉନ୍ନତି ସାଧିତ ହେବ । ଓଡ଼ିଆ ଅସ୍ମିତା ମଧ୍ୟ ପ୍ରତିଷ୍ଠା ହୋଇପାରିବ।