ରାଉରକେଲା/ଭୁବନେଶ୍ୱର,୧୫/୦୫: ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ନେଇ ରାଜ୍ୟ ସରକାର କ୍ରୀଡ଼ା  ଭିତ୍ତିଭୂମିର ନିର୍ମାଣ ଏବଂ ପ୍ରଶିକ୍ଷଣ କେନ୍ଦ୍ରମାନ ପ୍ରତିଷ୍ଠା କରିଛନ୍ତି । କିନ୍ତୁ  ତୃଣମୂଳ ସ୍ତରର ପ୍ରଶିକ୍ଷଣ କେନ୍ଦ୍ରରେ କୋଚମାନଙ୍କ ବିଶୃଙ୍ଖଳିତ ଆଚରଣ କୁନି  କୁନି ପିଲାମାନଙ୍କୁ କ୍ରୀଡ଼ା ପ୍ରତି ବିମୁଖ  କରାଉଛି । ଏମିତି କିଛି ଅଭିଯୋଗ ଆସିଛି ରାଉରକେଲା ବହୁମୁଖୀ  ଇନ୍‌ଡୋର ଷ୍ଟାଡିୟମରେ ଥିବା ଗ୍ରାସ୍‌ରୁଟ୍‌  ଜିମ୍ନାଷ୍ଟିକ କେନ୍ଦ୍ରର ମୁଖ୍ୟ କୋଚ୍‌ ରମେଶ  ବେହେରାଙ୍କ ନାମରେ । କେନ୍ଦ୍ରରେ  ପ୍ରଶିକ୍ଷଣ ନେଉଥିବା ଜଣେ ଜିମ୍ନାଷ୍ଟଙ୍କ  ଅଭିଭାବକ ଏନେଇ ଓଡ଼ିଶା ଜିମ୍ନାଷ୍ଟିକ  ସଂଘର ସମ୍ପାଦକ ଅଶୋକ କୁମାର  ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । 

ମୁଖ୍ୟ କୋଚ୍‌ଙ୍କ ବ୍ୟବହାରରେ  ପିଲାମାନେ ଅତିଷ୍ଠ ହୋଇ ପଡ଼ିଲେଣି ।  କେନ୍ଦ୍ର ମଧ୍ୟକୁ ଅଭିଭାବକମାନଙ୍କୁ  ପ୍ରବେଶ ଅନୁମତି ନଥିବାବେଳେ ନିଦ୍ଦିଷ୍ଟ  ଜଣେ ମହିଳାଙ୍କୁ କିନ୍ତୁ ପ୍ରବେଶ ଅନୁମତି  ଦିଆଯାଉଛି । ସେ ବିଭିନ୍ନ କଥାରେ  ମୁଣ୍ଡ ପୂରାଉଛନ୍ତି । ଏନେଇ ଅଭିଯୋଗ  କରିବା ପରେ ମୁଖ୍ୟ କୋଚ ପିଲାମାନଙ୍କୁ  ନିର୍ଯାତନା ଦେଉଛନ୍ତି । ଯେଉଁଥିପାଇଁ  ପିଲାମାନେ ଭୟରେ ଅଭ୍ୟାସ କରିବାକୁ  ଯାଉ ନାହାନ୍ତି । ଯଦିଓ ଏ ସଂପର୍କରେ  ଓଡ଼ିଶାର ମୁଖ୍ୟ କୋଚଙ୍କ ଦୃଷ୍ଟି ଆକର୍ଷଣ  କରାଯାଇଥିଲା ମାତ୍ର କିଛି ଫଳ ମିଳି ନାହିଁ । ଏମ୍‌ଏନ୍‌ଏସ ସ୍ପୋର୍ଟ୍ସ ଜିମ୍ନାଷ୍ଟିକ  କେନ୍ଦ୍ରର ପରିଚାଳନା ଦାୟିତ୍ୱରେ  ରହିଛି । ଲିଖିତ ଅଭିଯୋଗ ପରେ ବୁଧବାର ଏମ୍‌ଏନ୍‌ଏସର ପ୍ରୋଜେକ୍ଟ ମ୍ୟାନେଜର  ରାଉରକେଲା ଗସ୍ତ କରି ଅଭିଭାବକମାନଙ୍କ  ସହ ଆଲୋଚନା କରିଛନ୍ତି । ଗୁରୁବାର  ଅଭିଯୋଗ ସଂପର୍କରେ ଆଲୋଚନା  ହେବ ବୋଲି ଜଣା ପଡ଼ିଛି । ରାଜ୍ୟ ସରକାର କ୍ରୀଡ଼ାର ବିକାଶ  ନେଇ ଶହ ଶହ କୋଟି ଟଙ୍କା ଖର୍ଚ୍ଚ  କରୁଛନ୍ତି । ମାତ୍ର କିଛି ବିଶୃଙ୍ଖଳିତ  ବ୍ୟକ୍ତି ସରକାରଙ୍କ ଉଦ୍ଦେଶ୍ୟକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବାଟବଣା  କରୁଛନ୍ତି । କ୍ରୀଡ଼ା ବିଭାଗ ଏ ଦିଗରେ  ଦୃଷ୍ଟି ଦେବା ଉଚିତ । ଅଭିଯୋଗର  ତଦନ୍ତ କରି ମୁଖ୍ୟ କୋଚଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି  ଅଭିଭାବକମାନେ ଦାବି କରିଛନ୍ତି ।