ନୂଆଦିଲ୍ଲୀ: ଆଇପିଏଲର ୫୪ତମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବେଙ୍ଗାଲୁରୁ । ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି RCB । ଏହି ମ୍ୟାଚ ଜରିଆରେ ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ପୁନର୍ବାର ସାମ୍ନା ସାମ୍ନି ହେବେ । ରାଏପୁରକୁ ଏଥର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ରୂପେ ବେଙ୍ଗାଲୁରୁ ଗ୍ରହଣ କରିଛି । ଦଳ ଏହି ମ୍ୟାଚ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ମୁମ୍ବାଇ ପରାଜିତ ହେଲେ ପ୍ରଥମ ଦଳ ଭାବେ ପ୍ଲେ-ଅଫ ରାଉଣ୍ଡରୁ ବାଦ ପଡ଼ିବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଇତି ମଧ୍ୟରେ ୧୩ ପଏଣ୍ଟ ଅର୍ଜନ କରିସାରିଥିବା ବେଙ୍ଗାଲୁରୁ ଶେଷ ୨ଟି ମ୍ୟାଚରେ ଯଥାକ୍ରମେ ଗୁଜରାଟ ଓ ଲକ୍ଷ୍ନୌ ଠାରୁ ପରାଜିତ ହୋଇଛି । ଉଭୟ ପରାଜୟ ଜରିଆରେ ବେଙ୍ଗାଲୁରୁ ଦଳରେ ରହିଥିବା ଛୋଟ ମୋଟ ତ୍ରୁଟି ନଜରକୁ ଆସିଛି । ଆହତ ଫିଲ ସଲ୍ଟଙ୍କ ସ୍ଥାନରେ ଖେଳୁଥିବା ଜାକବ ବେଥେଲ ବଡ଼ ଇନିଂସ ଖେଳିବାରେ ବିଫଳ ହେଉଥିବାବେଳେ ଜୋସ ହାଜେଲଉଡ୍ ଅପ୍ରତ୍ୟାଶିତ ଭାବେ ଫର୍ମ ହରାଇ ବସିଛନ୍ତି । ଗତ ଲକ୍ଷେ୍ନø ବିପକ୍ଷ ମ୍ୟାଚରେ ସେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ମୁମ୍ବାଇକୁ ଭେଟିବା ପୂର୍ବରୁ ଉଭୟ ବେଥେଲ ଓ ହାଜେଲଉଡ୍ ଫର୍ମକୁ ଫେରିବା ଜରୁରି ।
ମୁମ୍ବାଇ ପରିସ୍ଥିତି ଆହୁରି ଜଟିଳ । ୫ଥର ଚାମ୍ପିଅନ୍ ହୋଇଥିବା ମୁମ୍ବାଇର ଭାଗ୍ୟ ସୂତା ଖିଅରେ ଝୁଲୁଛି । ଗୋଟିଏ ପରାଜୟ ବିଦାୟ ରାସ୍ତା ଦେଖାଇବ । ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ପ୍ରମୁଖ ଫର୍ମ ହରାଇବା ଫଳରେ ଦଳ ପାଇଁ ବିଜୟ କଷ୍ଟକର ହୋଇଛି । ମୁମ୍ବାଇ ଗତ ୪ ତାରିଖରେ ଲକ୍ଷେ୍ନøକୁ ହରାଇଥିଲା । ଆହତ ହାର୍ଦ୍ଦିକ ପାଣ୍ଡ୍ୟା ନଖେଳିବା ଦଳ ପାଇଁ ଏକ ଅଦୃଶ୍ୟ ଆଶୀର୍ବାଦ ସାବ୍ୟସ୍ତ ହୋଇଥିଲା । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ନେତୃତ୍ୱ ନେଇଥିଲେ ଓ ମୁମ୍ବାଇ ବିଜୟୀ ହୋଇଥିଲା ।
ଏହାସହ ପଢ଼ନ୍ତୁ : ଏସିରେ ବିସ୍ଫୋରଣ ପୂର୍ବରୁ ମିଳିଥାଏ ଏହି ସଂକେତ, ସତର୍କ ରୁହନ୍ତୁ...