ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏସି ଘରେ ବ୍ୟବହାର କରୁଛନ୍ତି । ତେବେ ଏହି ଏସି କେତେ ଯେ ଭୟଙ୍କର ହୋଇପାରେ ତାହା ଦିଲ୍ଲୀର ଏକ ଭୟଙ୍କର ଘଟଣା ପରେ ଜଣା ପଡ଼ିଛି । ଯଦି ଟିକେ ମଧ୍ୟ ଅବହେଳା କରନ୍ତି ତାହେଲେ ଜୀବନ ଚାଲିଯାଏ । ଏସି ପାଇଁ ବିସ୍ଫୋରଣ ଘଟିଥିବାବେଳେ ଦିଲ୍ଲୀରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଅନେକ ଲୋକ ଏଥିପାଇଁ ଏସି ବ୍ୟବହାର ସମୟରେ ଭୟ ମଧ୍ୟ କରିବା ଆରମ୍ଭ କରିଛନ୍ତି । ତେବେ ବିସ୍ଫୋରଣ ହେବା ପୂର୍ବରୁ ଏସି ସଙ୍କେତ ଦେଇଥାଏ । ଯାହାକୁ ସାଧାରଣତଃ ସମସ୍ତେ ଜାଣିପାରନ୍ତି ନାହିଁ । ତେବେ ଆସନ୍ତୁ ଆମର ଏହି ଆଲେଖ୍ୟରେ ଜାଣିବା କ’ଣ ମିଳେ ସଙ୍କେତ ?

ବିସ୍ଫୋରଣ ହେବା ପୂର୍ବରୁ ସାଧାରଣତଃ ପୋଡ଼ା ଗନ୍ଧ ଆସିଥାଏ । ତାରର ପୋଡ଼ା ଗନ୍ଧ ଆସିବା ମାତ୍ରେ ସତର୍କ ହେବା ଜରୁରୀ । ପ୍ରାୟତଃ ଲୋକେ ଏହାକୁ ଅଣଦେଖା କରନ୍ତି । କିନ୍ତୁ ପ୍ରଥମେ ଏସିକୁ ବନ୍ଦ କରିଦେବା ଉଚିତ । ଏଭଳି ଲକ୍ଷଣ ଦେଖାଗଲେ ଏହାକୁ ପ୍ରଥମେ ଏଡ଼ାଇବା ଜରୁରୀ ।

ଏସିରୁ ଯଦି ଧୂଆଁ ବାହାରୁଥିବାର ଲକ୍ଷଣ ଦେଖାଯାଏ ତାହେଲେ ବଡ଼ ବିସ୍ଫୋରଣର ସଙ୍କେତ ଦେଇଥାଏ । ଏଭଳି ଦେଖାଯାଏ ତାହେଲେ ପ୍ରଥମେ ମେନ୍ ସ୍ବିଚକୁ ବନ୍ଦ କରିଦିଅନ୍ତୁ । ନିଜେ ତିଆରି ନକରି ମେକାନିକଙ୍କୁ ଡକାଇ କାମ କରାନ୍ତୁ ।

ଅନେକ ସମୟରେ ଏସି ଚାଲୁଥିବା ସମୟରେ ଏକ ଅଜବ ଶବ୍ଦ ଶୁଣାଯାଇଥାଏ । ଫାଟିବା ଭଳି କିମ୍ବା କମ୍ପନ ଭଳି ଶବ୍ଦ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକେ ଏହାକୁ ଅଣଦେଖା କରନ୍ତି । ଭାବନ୍ତି ଏସି ପୁରୁଣା ହେବା ପରେ ଏଭଳି ଶବ୍ଦ ହେଉଛି । ମାତ୍ର ଏହାକୁ ଅଣଦେଖା କରିବା ଅନୁଚିତ । ଏହା ମୋଟରରେ ସମସ୍ୟାର ସଙ୍କେତ ହୋଇପାରେ । ଏପରି ପରିସ୍ଥିତିରେ ଏସି ଚଳାଇବା କ୍ଷତିକାରକ ହୋଇପାରେ ।

ବେଳେବେଳେ ସ୍ପାର୍କିଂ ହୋଇଥାଏ । ଏହାକୁ ବିପଦପୂର୍ଣ୍ଣ ସଙ୍କେତ ଭାବେ ବିବେଚନା କରାଯାଏ । ଯସି ଆପଣ ପ୍ଲଗ୍, ତାର କିମ୍ବା ୟୁନିଟ୍ ପାଖରେ ସ୍ପାର୍କିଂ ଦେଖନ୍ତୁ ତେବେ ତୁରନ୍ତ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରନ୍ତୁ । ଏହା ସିଧାସଳଖ ନିଆଁ ଲାଗିବାର ଆଶଙ୍କା ସୃଷ୍ଟି କରେ । ଏହାସହ ଏସିରୁ ପାଣି ଲିକେଜ୍ ହେବାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏଭଳି ହେଲେ ସର୍ଟ ସର୍କଟିର ସଙ୍କେତ ଦେଇଥାଏ । ଅନେକ ସମୟରେ ଏସି ଆପେ ଆପେ ବନ୍ଦ ଏବଂ ଚାଲୁ ହୋଇଥାଏ । ଯାହାକୁ ହାଲୁକା ଭାବେ ନେବା ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ । ଏହା ମଧ୍ୟ ସର୍ଟସର୍କିଟିର ସଙ୍କେତ ହୋଇଥାଏ ।

ଏହାସହ ପଢ଼ନ୍ତୁ : ଚେନ୍ନାଇ ଆଗରେ ୨୦୪ ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ