ନୂଆଦିଲ୍ଲୀ, ୦୧/୧୦: ଅକ୍ଟୋବର ମାସରେ ବଡ଼ ପରିବର୍ତ୍ତନ । ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି । କେବଳ ସେତିକି ନୁହେଁ, UPI ସହିତ ଜଡ଼ିତ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ପରିବର୍ତ୍ତନର ପ୍ରଭାବ ପ୍ରତ୍ୟେକ ଘରେ ଅନୁଭୂତ ହେବ । ଆସନ୍ତୁ ଚଳିତ ମାସର ପାଞ୍ଚଟି ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା ।
ପରିବର୍ତ୍ତନ ସହ ଆରମ୍ଭ ହୋଇଛି ଅକ୍ଟୋବର ମାସ -
ମାସ ଆରମ୍ଭ ଅନେକ ଛୋଟ ଏବଂ ବଡ଼ ପରିବର୍ତ୍ତନ ହୋଇଥାଏ । ଅକ୍ଟୋବର ପହିଲାରୁ, UPI ଠାରୁ ଟ୍ରେନ୍ରେ ଟିକେଟ୍ ବୁକିଂରେ ବଡ଼ ପରିବର୍ତ୍ତନ ହୋଇଛି । ପାର୍ବଣ ଋତୁରେ କମର୍ସିଆଲ୍ LPG ସିଲିଣ୍ଡର ଦର ବଢ଼ିଛି । ସେହିପରି ଟ୍ରେନ୍ ଟିକେଟ ଅନଲାଇନ୍ ବୁକିଂ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଯାହା ରେଳ ଯାତ୍ରୀମାନଙ୍କୁ ପ୍ରଭାବିତ କରିବ।
ପ୍ରଥମ ପରିବର୍ତ୍ତନ: ଏଲପିଜି ସିଲିଣ୍ଡର ମହଙ୍ଗା-
ଅକ୍ଟୋବର ୧ ତାରିଖରୁ ଅର୍ଥାତ୍ ଅଜିଠାରୁ ବ୍ୟବସାୟିତ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ଗତ କିଛି ମାସ ମଧ୍ୟରେ, ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ । କିନ୍ତୁ ଅକ୍ଟୋବର ମାସର ପ୍ରଥମ ଦିନରେ ପୁଣି ବୃଦ୍ଧି କରିଛନ୍ତି । ଯାହା ଫଳରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଏହା ମହଙ୍ଗା ହୋଇଛି ।
IOCL ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ଏକ ସିଲିଣ୍ଡରର ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଏହା ୧,୫୮୦ ପରିବର୍ତ୍ତେ ୧,୫୯୫ ରେ ଉପଲବ୍ଧ ହେବ। କୋଲକାତାରେ ସିଲିଣ୍ଡର ମୂଲ୍ୟ ୧,୬୮୪ରୁ ଟାଙ୍କାକୁ ବୃଦ୍ଧି ହୋଇ ୧,୭୦୦ ଟଙ୍କା ହୋଇଛି । ସେହିପରି ୧୯ କିଲୋଗ୍ରାମ ସିଲିଣ୍ଡର ପୂର୍ବରୁ ୧,୫୩୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ୧,୫୪୭ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏଲପିଜି ସିଲିଣ୍ଡର ୧,୭୩୮ ଟଙ୍କାରୁ ୧,୭୫୪ ଟଙ୍କାକୁ ବୃଦ୍ଧି ପାଇଛି । ହେଲେ ୧୪ କିଲୋଗ୍ରାମ ଓଜନର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ।
ଦ୍ୱିତୀୟ ପରିବର୍ତ୍ତନ: ବିମାନ ଯାତ୍ରା ମହଙ୍ଗା !
ଦ୍ୱିତୀୟ ପରିବର୍ତ୍ତନ ବିମାନ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଗତ ସେପ୍ଟେମ୍ବରରେ ବିମାନ ଇନ୍ଧନ ମୂଲ୍ୟ ହ୍ରାସ ପାଇଥିଲା । ହେଲେ ପୁଣି ଥରେ ବଢ଼ିବା ଆଶଙ୍କା ପାଇଛି ।କମ୍ପାନୀଗୁଡ଼ିକ ଏବେ ପାର୍ବଣ ଋତୁରେ ATF ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି । ଅକ୍ଟୋବର ପହିଲାରୁ ଲାଗୁ କରାଯାଇଥିବା ନୂତନ ନିୟମ ଅନୁସାରେ ଦିଲ୍ଲୀରେ ପ୍ରତି କିଲୋଲିଟର ପିଛା ମୂଲ୍ୟ ୯୦,୭୧୩.୫୨ ଟଙ୍କା ବୃଦ୍ଧି ପାଇ ୯୨,୭୬୬.୦୨ ଟଙ୍କା ହୋଇଛି।
କୋଲକାତାରେ ଏହା ବୃଦ୍ଧି ପାଇ କିଲୋଲିଟର ପିଛା ୯୩,୮୮୬.୧୮ ଟଙ୍କାରୁ ୯୬,୮୧୬.୫୮ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ୮୪,୮୩୨.୮୩ ଟଙ୍କା ବଦଳରେ ୮୭,୭୧୪.୩୯ ଟଙ୍କା ହୋଇଛି । ଚେନ୍ନାଇରେ ଏହି ମୂଲ୍ୟ ୯୪,୧୫୧.୯୬ ଟଙ୍କାରୁ ବୃଦ୍ଧି ପାଇ ୯୭,୩୦୨.୧୪ ଟଙ୍କା ହୋଇଛି। ଏୟାର ଟର୍ବାଇନ୍ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ବିମାନ କମ୍ପାନୀଗୁଡ଼ିକର ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇବ । ଯାହା ଫଳରେ ବିମାନ ଟିକେଟରେ ମୂଲ୍ୟ ମଧ୍ୟ ବୃଦ୍ଧି ହେବ।
ତୃତୀୟ ପରିବର୍ତ୍ତନ: ଟ୍ରେନ୍ ଟିକେଟ୍ ବୁକିଂ ଠକେଇ ବନ୍ଦ-
ତୃତୀୟ ପରିବର୍ତ୍ତନ ରେଳ ଯାତ୍ରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି । ଟ୍ରେନ୍ ଟିକେଟ୍ ବୁକିଂରେ ଠକେଇ ରୋକିବା ଲକ୍ଷ୍ୟରେ ଭାରତୀୟ ରେଳ ବିଭାଗ । ଅକ୍ଟୋବର ୧ରୁ ନିୟମରେ ପରିବର୍ତ୍ତନ କରିବା ନେଇ ଘୋଷଣା କରିଥିଲା । ଯାହାକୁ ଆଜିଠାରୁ ଲାଗୁ କରାଯାଉଛି। ଏହା ଅଧୀନରେ, ରିଜର୍ଭେସନ କାଉଣ୍ଟର ଖୋଲିବା ପରେ ପ୍ରଥମ ୧୫ ମିନିଟ୍ ମଧ୍ୟରେ, କେବଳ ସେହି ଲୋକମାନେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ ଯେଉଁମାନଙ୍କର ଆଧାର ଯାଞ୍ଚ ହୋଇସାରିଛି। ଏହି ନିୟମ IRCTC ୱେବସାଇଟ୍ ଏବଂ ଆପ୍ ଉଭୟରେ ଲାଗୁ ହେବ। ବର୍ତ୍ତମାନ, ଏହି ନିୟମ ତତ୍କାଳ ବୁକିଂରେ ଲାଗୁ ହୋଇଥିବା ବେଳେ କମ୍ପ୍ୟୁଟରାଇଜଡ୍ PRS କାଉଣ୍ଟରରୁ ଟିକେଟ୍ ବୁକିଂ କରୁଥିବା ଲୋକଙ୍କ ପାଇଁ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ଚତୁର୍ଥ ପରିବର୍ତ୍ତନ: ଅକ୍ଟୋବରରେ UPI ସମ୍ବନ୍ଧିତ ନିୟମ ପରିବର୍ତ୍ତନ-
ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହୋଇଛି। ଜୁଲାଇ ୨୯ ତାରିଖରେ ଏକ ସର୍କୁଲାରରେ, ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସେୟାର କରିଛି ଯେ, ଅକ୍ଟୋବର ୧ ତାରିଖରୁ ସବୁଠାରୁ ଅଧିକ ବ୍ୟବହୃତ UPI ଗୁଡ଼ିକ ମଧ୍ୟରୁ ଗୋଟିଏ, ପିଅର୍-ଟୁ-ପିଅର୍ (P2P) କଲେକ୍ଟ ଟ୍ରାଞ୍ଜାକ୍ସନ୍କୁ ହଟାଇବ। ଉପଭୋକ୍ତାଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଠକେଇକୁ ରୋକିବା ପାଇଁ ଏକ ପଦକ୍ଷେପ ସ୍ୱରୂପ UPI ଆପ୍ସରୁ ଏହି ଫିଚର୍କୁ ହଟାଇ ଦିଆଯାଉଛି।
ପଞ୍ଚମ ପରିବର୍ତ୍ତନ: ବ୍ୟାଙ୍କଗୁଡ଼ିକରେ ବମ୍ପର ଛୁଟି-
ଅକ୍ଟୋବର ମାସ ପର୍ବପର୍ବାଣୀରେ ପରିପୂର୍ଣ୍ଣ । ଏପରି ସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ଘରୁ ବାହାରିବା ପୂର୍ବରୁ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଅକ୍ଟୋବର ମାସର ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରନ୍ତୁ । ଅକ୍ଟୋବର ମାସ ଦୁର୍ଗା ପୂଜା ଛୁଟି ସହିତ ଆରମ୍ଭ ହୋଇଛି। ତାପରେ ଗାନ୍ଧୀ ଜୟନ୍ତୀ, ଦଶହରା, ଲକ୍ଷ୍ମୀ ପୂଜା, ମହର୍ଷି ବାଲ୍ମିକୀ ଜୟନ୍ତୀ, କରଭା ଚୌଠ, ଦୀପାବଳି, ଗୋବର୍ଦ୍ଧନ ପୂଜା, ଭାଇ ଦୂଜ ଏବଂ ଛଟ ପୂଜାକୁ ମିଶାଇ ମୋଟ ୨୧ଟି ଛୁଟି ପଡ଼ୁଛି । ଏଥିରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ଏବଂ ସାପ୍ତାହିକ ରବିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଏହି ଛୁଟି ଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ଏବଂ ସହର ଅନୁଯାୟୀ ଲାଗୁ କରାଯିବ ।