ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ରୁଷର ସଦ୍ୟତମ ଏକ ଆକ୍ରମଣ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି। ମଙ୍ଗଳବାର ସକାଳୁ ରୁଷ ପୁଣି ଥରେ ୟୁକ୍ରେନର ଦୁଇଟି ସହର ଉପରେ ବହୁ ସଂଖ୍ୟକ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ କରିଛି। ରୁଷର ଏହି ଆକ୍ରମଣରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି । ଏନେଇ ୟୁକ୍ରେନୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ବିବୃତ୍ତିରେ ଏହି ଆକ୍ରମଣକୁ ଯୁଦ୍ଧ ସମୟରେ 'ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ' ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ରୁଷ ରାତିରେ ୩୧୫ ଡ୍ରୋନ୍ ଏବଂ ୭ଟି ମିସାଇଲ୍ ମାଡ଼ କରିଛି। ସେ କହିଛନ୍ତି ଯେ, ଛଡ଼ା ଯାଇଥିବା ଅଧିକାଂଶ ଡ୍ରୋନ୍ 'ସହିଦ' ଡ୍ରୋନ୍ ଥିଲା। ଆକ୍ରମଣ ପରେ ଜେଲେନ୍ସକି ଆମେରିକା ଏବଂ ୟୁରୋପରୁ 'ଠୋସ୍ କାର୍ଯ୍ୟାନୁଷ୍ଠାନ' ପାଇଁ ଆହ୍ୱାନ କରିଛନ୍ତି।
ଓଡେସା ପ୍ରାଦେଶିକ ମୁଖ୍ୟ ଓଲେହ କିପର କହିଛନ୍ତି ଯେ, ଆକ୍ରମଣରେ ଦକ୍ଷିଣ ବନ୍ଦର ସହରର ମଧ୍ୟଭାଗରେ ଥିବା ଏକ ପ୍ରସୂତି ହସ୍ପିଟାଲ ଏବଂ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ଆଞ୍ଚଳିକ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟର ଏକ ବିବୃତ୍ତି ଅନୁଯାୟୀ, ସହରରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଆହତ ହୋଇଛନ୍ତି। କିଭ୍ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି ଯେ ରାଜଧାନୀ ଉପରେ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ୟୁକ୍ରେନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ରୁଷ କହିଛି ଯେ, ଏହା କେବଳ ସାମରିକ ଘାଟିକୁ ଟାର୍ଗେଟ କରୁଛି।