ନୂଆଦିଲ୍ଲୀ,୧୩।୧: ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ ବଡ଼ ଧରଣର ଆକ୍ରମଣ। ୪ ଦିନ ଭିତରେ ଏହା ୟୁକ୍ରେନ୍ ଉପରେ ଚତୁର୍ଥ ବଡ଼ ଡ୍ରୋନ୍ ଆକ୍ରମଣ। ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, ଏଥର ମଧ୍ୟ ପାଓ୍ବାର ଗ୍ରୀଡକୁ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ଆମେରିକା ଦ୍ବାରା ରୁଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ବନ୍ଦ କରିବାର ଚେଷ୍ଟାକୁ ମଧ୍ୟ ଆଘାତ ମିଳିଛି। ଉଲ୍ଲେଖନୀୟ ଯେ, ଦୁଇ ଦେଶ ଭିତରେ ପ୍ରାୟ ୪ ବର୍ଷ ହେବ ଯୁଦ୍ଧ ଜାରି ରହିଛି।
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ, ରୁଷ ପ୍ରାୟ ୩୦୦ ଡ୍ରୋନ୍, ୧୮ ବାଲାଷ୍ଟିକ୍ ମିସାଇଲ ଓ ୭ଟି କ୍ରୁଜ ମିସାଇଲରୁ ଆକ୍ରମଣ କରିଛି। ରାତିସାରା ଚାଲିଥିବା ଏହି ଆକ୍ରମଣ ୮ଟି ଅଞ୍ଚଳରେ ହୋଇଛି। ଏଥିରେ ଉତ୍ତର-ପୂର୍ବ ଖାରକିଭ୍ର ଏକ ମେଲ୍ ଡିପୋରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡା କିଭ୍ରେ ଶତାଧିକ ଘର ଅନ୍ଧାରରେ ବୁଡି ଯାଇଛି। ୟୁକ୍ରେନ୍ର ରାଜଧାନୀରେ ଆଜିକାଲି ଭୀଷଣ ଥଣ୍ଡା ପଡୁଛି। ଏଠାରେ ଦିନର ତାପମାତ୍ରା ମାଇନସ୍ ୧୨ ଡିଗ୍ରୀ ସେଲସିୟସ୍ ରହିଛି। ରାସ୍ତାଘାଟ ବରଫରେ ଘୋଡାଇ ହୋଇଯାଇଛି ଓ ଜେନେରେଟର ଶବ୍ଦରେ ପୁରା ଅଞ୍ଚଳର ସ୍ଥିତି ଖରାପ ହୋଇ ପଡିଛି।
ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ରୁଷ ଆକ୍ରଣରେ ୟୁକ୍ରେନର ଖାରକିଭ୍ କ୍ଷେତ୍ରରେ ୧୦ ଜଣ ଆହତ ହୋଇଛନ୍ତି। ସେଭଳି ଦକ୍ଷିଣ ସହର ଓଡେସାରେ ୬ ଆହତ ହୋଇଛନ୍ତି। କ୍ଷେତ୍ରୀୟ ସୈନ୍ୟ ପ୍ରଶାସନର ମୁଖ୍ୟ ଓଲେହ କିପର କହିଛନ୍ତି, ଆକ୍ରମଣରେ ଏନର୍ଜି ଗ୍ରୀଡ୍, ଏକ ହସ୍ପିଟାଲ, କିଣ୍ଡର ଗାର୍ଡେନ, ଶିକ୍ଷା ଅନୁଷ୍ଠାନ ଏବଂ ବହୁ ଆବାସିକ ଭବନକୁ କ୍ଷତି ପହଁଞ୍ଚିଛି। ୪ ଦିନ ପୂର୍ବରୁ ୟୁକ୍ରେନ୍ ଉପରେ ମଧ୍ୟ ରୁଷ ଶତାଧିକ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଦ୍ବିତୀୟ ଥର ଏଭଳି ହୋଇଛି ଯେତେବେଳେ ଶକ୍ତିଶାଳୀ ହାଇପରସୋନିକ୍ ମିସାଇଲ ବ୍ୟବହାର କରାଯାଇଛି।