ମସ୍କୋ,୦୬/୦୭: ରୁଷ୍‌ରେ ସ୍ୱଳ୍ପ  ବୟସ୍କା ଝିଅମାନଙ୍କୁ ପିଲା ଜନ୍ମ ପାଇଁ  ପୋତ୍ସାହିତ କରାଯାଉଛି । ଏଥିଲାଗି ସେମାନଙ୍କୁ  ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କାର  ସହାୟତା ଦିଆଯାଉଛି । ଦେଶର ଜନସଂଖ୍ୟା ବଢ଼ାଇବା ଏବଂ ବିଶାଳ ସେନା ଗଠନ ଲାଗି  ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନା ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା ।  ପ୍ରଥମେ ଏଥିରେ କେବଳ ୧୮ ବର୍ଷରୁ ଊଦ୍ଧ୍ୱର୍  ବୟସର ମହିଳାଙ୍କୁ ସାମିଲ କରାଯାଉଥିଲା । ବର୍ତ୍ତମାନ ନାବାଳିକାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।  ଆର୍ଥିକ ସହାୟତା ନେବା ଲାଗି ଅଧିକରୁ  ଅଧିକ ନାବାଳିକା ଏବଂ ସ୍ୱଳ୍ପ ବୟସର ଯୁବତୀ  ପିଲାଜନ୍ମ ଲାଗି ଆଗ୍ରହ ପ୍ରକାଶ କରିବା ନେଇ  ସରକାର ଆଶା ରଖିଛନ୍ତି । ରୁଷ୍‌ରେ ୨୦୨୩ରେ  ପ୍ରତି ମହିଳାଙ୍କ ହାରାହାରି ଜନ୍ମ ହାର ୧.୪୧  ରହିଥିଲା । ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ  ପାଲଟିଛି । କାରଣ ଦେଶର ଜନସଂଖ୍ୟା ସ୍ଥିର  ରଖିବା ଲାଗି ଜନ୍ମ ହାର ୨.୦୫ ରହିବା ଜରୁରି ।  ଜନସଂଖ୍ୟା ଦୃଷ୍ଟିରୁ ରୁଷ୍‌ ବର୍ତ୍ତମାନ ନବମ  ସ୍ଥାନରେ ରହିଛି । କିନ୍ତୁ ଏବେ ଜନସଂଖ୍ୟା କମିବା  ଚିନ୍ତା ଘାରିଲାଣି । 

ସରକାର ଜନ୍ମ ହାର ବଢ଼ାଇବା  ସକାଶେ ଯେଉଁ ପଦକ୍ଷେପ ହାତକୁ ନେଇଛନ୍ତି,  ତାହାକୁ ‘ପ୍ରୋନେଟଲିଷ୍ଟ ନୀତି’ କୁହାଯାଉଛି ।  ରୁଷ୍‌ରେ ସ୍କୁଲରେ ପାଠ ପଢ଼ୁଥିବା ଝିଅମାନଙ୍କୁ  ପିଲା ଜନ୍ମ ପାଇଁ ଆର୍ଥିକ ସହାୟତା ଦେବା  ନିଷ୍ପତ୍ତି ଏବେ ବିବାଦୀୟ ହୋଇପଡ଼ିଛି । ସର୍ଭେ  ମୁତାବକ, ୪୩% ଲୋକ ଏହି ନୀତିକୁ ସମର୍ଥନ  କରୁଥିବା ବେଳେ ୪୦% ବିରୋଧ କରୁଛନ୍ତି ।  ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଉପରେ  ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ।  ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,  ଜନସଂଖ୍ୟା ବଢ଼ିବା ଦ୍ୱାରା ବିଶାଳ ସେନା  ଗଠନ କରିବାକୁ ସହଜ ହେବ । ଏହାଦ୍ୱାରା  ଦେଶ ଖୁବ ଶକ୍ତିଶାଳୀ ହୋଇପାରିବ । ୟୁକ୍ରେନ୍‌  ଯୁଦ୍ଧକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ  ନେଉଥିବା କିଛି ବିଶେଷଜ୍ଞ ପ୍ରକାଶ କରିଛନ୍ତି।